ଗତ କିଛି ବର୍ଷ ମଧ୍ୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ନେଟୱର୍କ ବେଶ୍ ବିସ୍ତାର ହୋଇଛି। ଦିଲ୍ଲୀ, ହରିୟାଣା ଓ ପଞ୍ଜାବରୁ ଆରମ୍ଭ କରି ଏବେ ମୁମ୍ବାଇ ପର୍ଯ୍ୟନ୍ତ ନିଜର ପ୍ରଭାବ ବଢ଼ାଇବାକୁ ଉଦ୍ୟମ କରୁଛି ଏହି ଗ୍ୟାଙ୍ଗ୍।
ମୁମ୍ବାଇ ଅଣ୍ଡରୱାର୍ଲ୍ଡରେ ନିଜର ପ୍ରଭାବ ବଢ଼ାଇବାକୁ ଯୋଜନା କରୁଛି କି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍? ଦାଉଦ୍ ଇବ୍ରାହିମ୍ଙ୍କ D-କମ୍ପାନୀ ଭଳି ଏକ ବଡ଼ ଅପରାଧିକ ନେଟୱର୍କ ଗଢ଼ିବାକୁ ଚାହୁଁଛି କି ଏହି ଗ୍ୟାଙ୍ଗ୍? ଅଭିନେତା ଟାଇଗର ଶ୍ରଫ୍ଙ୍କ ଘର ନିକଟରେ ଗୁଳିମାଡ଼ ଘଟଣାର ତଦନ୍ତ ବେଳେ ଏଭଳି ସନ୍ଦେହ ପ୍ରକାଶ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ। ତଦନ୍ତକାରୀ ସଂସ୍ଥାର ସନ୍ଦେହ ଅନୁସାରେ, ମୁମ୍ବାଇରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରି ବଲିଉଡ୍ କଳାକାର, ବିଲ୍ଡର ଏବଂ ବଡ଼ ବ୍ୟବସାୟୀଙ୍କଠାରୁ ଦାଦାବଟି ଆଦାୟ କରିବାକୁ ଗ୍ୟାଙ୍ଗ୍ ଯୋଜନା କରୁଥାଇପାରେ।
ସୂଚନା ଅନୁସାରେ, ଗତ କିଛି ବର୍ଷ ମଧ୍ୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ନେଟୱର୍କ ବେଶ୍ ବିସ୍ତାର ହୋଇଛି। ଦିଲ୍ଲୀ, ହରିୟାଣା ଓ ପଞ୍ଜାବରୁ ଆରମ୍ଭ କରି ଏବେ ମୁମ୍ବାଇ ପର୍ଯ୍ୟନ୍ତ ନିଜର ପ୍ରଭାବ ବଢ଼ାଇବାକୁ ଉଦ୍ୟମ କରୁଛି ଏହି ଗ୍ୟାଙ୍ଗ୍। କ୍ରାଇମବ୍ରାଞ୍ଚର ସନ୍ଦେହ ହେଉଛି, ଗୁଳିମାଡ଼ ଓ ଧମକ ଭଳି ଘଟଣା କେବଳ କୌଣସି ଜଣେ ବ୍ୟକ୍ତିଙ୍କୁ ଭୟଭୀତ କରିବା ପାଇଁ ନୁହେଁ, ବରଂ ମୁମ୍ବାଇରେ ଗ୍ୟାଙ୍ଗ୍ର ଶକ୍ତି ଓ ଉପସ୍ଥିତି ଜାହିର କରିବା ପାଇଁ ହୋଇଥାଇପାରେ।
ଏହି ଘଟଣାଗୁଡ଼ିକ ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଦିଗକୁ ମଧ୍ୟ ତଦନ୍ତ କରୁଛି ପୋଲିସ। ବିଲ୍ଡର, ବ୍ୟବସାୟୀ ଏବଂ ବଲିଉଡ୍ ସହ ଜଡ଼ିତ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରି ଭୟ ସୃଷ୍ଟି କରିବା ଏହି ଗ୍ୟାଙ୍ଗ୍ର ରଣନୀତି ହୋଇଥାଇପାରେ ବୋଲି ତଦନ୍ତକାରୀ ଅଧିକାରୀଙ୍କ ସନ୍ଦେହ।
ଟାଇଗର ଶ୍ରଫ୍ଙ୍କ ଘର ନିକଟରେ ଗୁଳିମାଡ଼ ଘଟଣାର ତଦନ୍ତ ବେଳେ ଆଉ ଏକ ଚାଞ୍ଚଲ୍ୟକର ଦିଗ ସାମ୍ନାକୁ ଆସିଥିଲା। ଆକ୍ରମଣକାରୀଙ୍କ ପ୍ରଥମ ଟାର୍ଗେଟ୍ ଅନ୍ୟ ଜଣେ ବଡ଼ ହସ୍ତୀ ଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିଲା। କିନ୍ତୁ ସେଠାରେ ପହଞ୍ଚିବାରେ ବିଫଳ ହେବା ପରେ ଟାଇଗର ଶ୍ରଫ୍ଙ୍କୁ ଟାର୍ଗେଟ୍ କରାଯାଇଥିବା ସନ୍ଦେହ କରାଯାଉଛି। ଏହି ଆକ୍ରମଣ ଜରିଆରେ ମୁମ୍ବାଇରେ ଆତଙ୍କ ସୃଷ୍ଟି କରିବା ଗ୍ୟାଙ୍ଗ୍ର ଉଦ୍ଦେଶ୍ୟ ଥିଲା ବୋଲି କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି।
ବର୍ତ୍ତମାନ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ। ଗୁଳିମାଡ଼, ଧମକ ଏବଂ ଦାଦାବଟି ଆଦାୟ ନେଟୱର୍କ ମଧ୍ୟରେ କୌଣସି ସମ୍ପର୍କ ରହିଛି କି ନାହିଁ, ସେନେଇ ଖୋଳତାଡ଼ ଜାରି ରହିଛି।
ସଲମାନ ଖାନ୍ ଓ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ମଧ୍ୟରେ ବିବାଦ କ’ଣ?
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ନାଁ ଆସିଲେ ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କ ସହ ଜଡ଼ିତ ବିବାଦ ମଧ୍ୟ ଚର୍ଚ୍ଚାକୁ ଆସିଥାଏ। ଏହି ବିବାଦର ମୂଳ ୧୯୯୮ ମସିହାର କୃଷ୍ଣସାର ମୃଗ ଶିକାର ମାମଲା ସହ ଜଡ଼ିତ। ‘ହମ୍ ସାଥ୍ ସାଥ୍ ହୈଁ’ ଫିଲ୍ମର ସୁଟିଂ ସମୟରେ ରାଜସ୍ଥାନର ଯୋଧପୁର ନିକଟସ୍ଥ କାଙ୍କାଣୀ ଗାଁରେ ଦୁଇଟି କୃଷ୍ଣସାର ମୃଗ ଶିକାର ଅଭିଯୋଗରେ ସଲମାନ ଖାନ୍ଙ୍କୁ ୨୦୧୮ରେ ୫ ବର୍ଷ ଜେଲ୍ ଦଣ୍ଡ ଶୁଣାଯାଇଥିଲା। ତେବେ ଏହି ରାୟ ବିରୋଧରେ ତାଙ୍କ ଅପିଲ୍ ବିଚାରାଧୀନ ରହିଛି।
ବିଷ୍ଣୋଇ ସମ୍ପ୍ରଦାୟର ଧାର୍ମିକ ବିଶ୍ୱାସରେ ବନ୍ୟଜନ୍ତୁ ସୁରକ୍ଷାର ବିଶେଷ ଗୁରୁତ୍ୱ ରହିଛି। ତେଣୁ କୃଷ୍ଣସାର ମୃଗ ଶିକାର ମାମଲାକୁ ଏହି ସମ୍ପ୍ରଦାୟ ଗୁରୁତ୍ୱର ସହ ନେଇଥିଲା। ଦୀର୍ଘ ଦିନ ଧରି ଚାଲିଥିବା ଏହି ଆଇନଗତ ଲଢ଼େଇରେ ମଧ୍ୟ ସମ୍ପ୍ରଦାୟର ସକ୍ରିୟ ଭୂମିକା ରହିଥିଲା। ଏବେ ମୁମ୍ବାଇରେ ଲରେନ୍ସ ଗ୍ୟାଙ୍ଗ୍ର କାର୍ଯ୍ୟକଳାପ ଓ ଦାଉଦ୍ଙ୍କ D-କମ୍ପାନୀ ସହ ତୁଳନାକୁ ନେଇ ଚର୍ଚ୍ଚା ଜୋର ଧରିଛି।

