ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ମୟୂରଭଞ୍ଜ । ଗତ କିଛି ଦିନ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାବେଳେ, ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ।
ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ମୟୂରଭଞ୍ଜ । ଗତ କିଛି ଦିନ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାବେଳେ, ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଫଳରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଦ୍ରୁତ ଗତିରେ ବଢ଼ୁଛି । ଏହାକୁ ନେଇ ନଦୀ କୂଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି । ଗତ କିଛି ଦିନ ଧରି ମୟୂରଭଞ୍ଜ ଜିଲ୍ଲାରେ ଲଗାତାର ବର୍ଷା ଜାରି ରହିଛି । ବିଶେଷକରି ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରୁ ପାହାଡ଼ିଆ ଝରଣା ଓ ନାଳଗୁଡ଼ିକରେ ପ୍ରବଳ ସ୍ରୋତ ସୃଷ୍ଟି ହୋଇଛି । ଏହାର ସିଧାସଳଖ ପ୍ରଭାବ ବୁଢ଼ାବଳଙ୍ଗ ନଦୀରେ ପଡ଼ିଛି। ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି ।
ନଦୀ କୂଳବର୍ତ୍ତୀ ଗ୍ରାମଗୁଡ଼ିକରେ ବନ୍ୟା ଆଶଙ୍କା ଦେଖାଦେଇଛି । ଜଳସ୍ତର ଆହୁରି ବଢ଼ିଲେ ତଳିଆ ଅଞ୍ଚଳରେ ପାଣି ପଶିବା ସହ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇପାରେ ବୋଲି ସ୍ଥାନୀୟ ଲୋକ ଚିନ୍ତା ପ୍ରକାଶ କରିଛନ୍ତି । ଅନ୍ୟପଟେ ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଥିବା ବେଳେ ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ସମୟ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ଥିବାରୁ ନଦୀର ଜଳସ୍ତର ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବାବେଳେ ଲୋକମାନଙ୍କୁ ଅନାବଶ୍ୟକ ଭାବେ ନଦୀ ନିକଟକୁ ନଯିବାକୁ ଅନୁରୋଧ କରାଯାଇଛି । ମୟୂରଭଞ୍ଜରେ ଲଗାଣ ବର୍ଷା ଏବେ ଚିନ୍ତାର କାରଣ ପାଲଟିଛି । ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଉପରେ ପ୍ରଶାସନର କଡ଼ା ନଜର ରହିଥିବାବେଳେ, ନଦୀ କୂଳିଆ ଅଞ୍ଚଳର ଲୋକମାନେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ସତର୍କ ରହିଛନ୍ତି ।

