ଉମର ଅବଦୁଲ୍ଲା ନିଜର ଏକ୍ସ ଆକାଉଣ୍ଟରେ ବିବାହ ସମ୍ପର୍କିତ ଫଟୋ ସେୟାର କରି ଲେଖିଛନ୍ତି, ‘ଗତକାଲି ଏକ ନୂଆ ଯାତ୍ରାର ଆରମ୍ଭ ହେଲା ।’ ଉମର ଓ ନିଧିଙ୍କ ସମ୍ପର୍କକୁ ନେଇ ଗତ କିଛି ସମୟ ଧରି ଚର୍ଚ୍ଚା ହେଉଥିଲା ।
ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ଜୀବନରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ । ସାମ୍ବାଦିକା ନିଧି ରାଜଦାନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଉମର । ନିଜେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ବିବାହର ଫଟୋ ସେୟାର କରି ଏହି ଖବର ଜଣାଇଛନ୍ତି । ତାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ସୋସିଆଲ ମିଡିଆରେ ସେୟାର କଲେ ବିବାହ ଫଟୋ
ଉମର ଅବଦୁଲ୍ଲା ନିଜର ଏକ୍ସ ଆକାଉଣ୍ଟରେ ବିବାହ ସମ୍ପର୍କିତ ଫଟୋ ସେୟାର କରି ଲେଖିଛନ୍ତି, ‘ଗତକାଲି ଏକ ନୂଆ ଯାତ୍ରାର ଆରମ୍ଭ ହେଲା ।’ ଉମର ଓ ନିଧିଙ୍କ ସମ୍ପର୍କକୁ ନେଇ ଗତ କିଛି ସମୟ ଧରି ଚର୍ଚ୍ଚା ହେଉଥିଲା । ନିଧି ରାଜଦାନ ଏହା ପୂର୍ବରୁ ମଧ୍ୟ ଉମର ଅବଦୁଲ୍ଲାଙ୍କ ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମ ଏବଂ ଶପଥ ଗ୍ରହଣ ସମାରୋହରେ ନଜର ଆସିଥିଲେ ।
ପ୍ରଥମ ପତ୍ନୀଙ୍କ ସହ ହୋଇଥିଲା ଛାଡ଼ପତ୍ର
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଉମର ଅବଦୁଲ୍ଲାଙ୍କର ପ୍ରଥମ ପତ୍ନୀ ପାୟଲ ଅବଦୁଲ୍ଲାଙ୍କ ସହ ଛାଡ଼ପତ୍ର ହୋଇଥିଲା। ଉଭୟ ପକ୍ଷଙ୍କ ସହମତିରେ ସୁପ୍ରିମକୋର୍ଟରେ ଏହି ଛାଡ଼ପତ୍ର ପ୍ରକ୍ରିୟା ଶେଷ ହୋଇଥିଲା । ୧୯୯୪ ମସିହା ସେପ୍ଟେମ୍ବରରେ ଉମର ଓ ପାୟଲଙ୍କ ବିବାହ ହୋଇଥିଲା। ତେବେ ଦୀର୍ଘ ସମୟ ଧରି ଉଭୟ ଅଲଗା ରହୁଥିଲେ ।
୨୦୧୬ ଅଗଷ୍ଟ ୩୦ ତାରିଖରେ ଉମର ଅବଦୁଲ୍ଲାଙ୍କ ଛାଡ଼ପତ୍ର ଆବେଦନକୁ ପ୍ରଥମେ ପରିବାର ଅଦାଲତ ଖାରଜ କରିଥିଲେ । ଏହାପରେ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ହାଇକୋର୍ଟ ମଧ୍ୟ ଛାଡ଼ପତ୍ର ଆବେଦନକୁ ଖାରଜ କରିଥିଲେ । ପାୟଲଙ୍କ ବିରୋଧରେ ଉମର ଆଣିଥିବା ନିର୍ଯାତନା ଅଭିଯୋଗ ସ୍ପଷ୍ଟ ନଥିବା ଏବଂ ଶାରୀରିକ କିମ୍ବା ମାନସିକ ନିର୍ଯାତନାର ପ୍ରମାଣ ଦେବାରେ ସେ ବିଫଳ ହୋଇଥିବା ହାଇକୋର୍ଟ କହିଥିଲେ ।
ପରେ ଉମର ଅବଦୁଲ୍ଲା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୨୪ ଅଗଷ୍ଟରେ ଉଭୟ ପକ୍ଷ ଆପୋସ ବୁଝାମଣା ମାଧ୍ୟମରେ ବିବାଦର ସମାଧାନ ପାଇଁ ରାଜି ହେବା ପରେ ସୁପ୍ରିମକୋର୍ଟ ମାମଲାକୁ ମଧ୍ୟସ୍ଥତା ପାଇଁ ପଠାଇଥିଲେ । ଶେଷରେ ଉଭୟଙ୍କ ସହମତିରେ ଛାଡ଼ପତ୍ର ହୋଇଥିଲା । ଏବେ ନିଧି ରାଜଦାନଙ୍କ ହାତ ଧରି ଜୀବନର ନୂଆ ଯାତ୍ରା ଆରମ୍ଭ କରିଛନ୍ତି ଉମର ଅବଦୁଲ୍ଲା ।

