ଏହାର ଉତ୍ପାଦନ ପାଇଁ ଆମେରିକା ଓ ଜାପାନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହାଦ୍ୱାରା ଜାପାନରେ ଏହି ମିସାଇଲ୍ ଉତ୍ପାଦନ ପାଇଁ ସ୍ୱତନ୍ତ୍ର କାରଖାନା ଓ ବ୍ୟବସ୍ଥା ସ୍ଥାପନ କରାଯିବ । ଏହା ସହିତ ଆମେରିକା ବାହାରେ AMRAAM ଉତ୍ପାଦନ କରୁଥିବା ପ୍ରଥମ ଦେଶ ହେବ ଜାପାନ ।
ଆମେରିକାର ସବୁଠୁ ଅଧିକ ଚାହିଦା ଥିବା ଏକ ଶକ୍ତିଶାଳୀ ମିସାଇଲ୍ ଏବେ ତିଆରି କରିବ ଜାପାନ । ଏହି ମିସାଇଲ୍ ହେଉଛି AIM-120 ଆଡଭାନ୍ସଡ୍ ମିଡିୟମ୍ ରେଞ୍ଜ ଏୟାର-ଟୁ-ଏୟାର ମିସାଇଲ୍ ବା AMRAAM । ଏହାର ଉତ୍ପାଦନ ପାଇଁ ଆମେରିକା ଓ ଜାପାନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହାଦ୍ୱାରା ଜାପାନରେ ଏହି ମିସାଇଲ୍ ଉତ୍ପାଦନ ପାଇଁ ସ୍ୱତନ୍ତ୍ର କାରଖାନା ଓ ବ୍ୟବସ୍ଥା ସ୍ଥାପନ କରାଯିବ । ଏହା ସହିତ ଆମେରିକା ବାହାରେ AMRAAM ଉତ୍ପାଦନ କରୁଥିବା ପ୍ରଥମ ଦେଶ ହେବ ଜାପାନ ।
ଅକ୍ଟୋବର ୨୮ ତାରିଖରେ ଫିଲିପାଇନ୍ସର ସେବୁଠାରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ଙ୍କ ସହ ଆଲୋଚନା ପରେ ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଶିଞ୍ଜିରୋ କୋଇଜୁମି ଏହି ଘୋଷଣା କରିଛନ୍ତି । ଆସିଆନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ପ୍ଲସ୍ ଅବସରରେ ଉଭୟ ନେତାଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା । ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଏହି ଚୁକ୍ତିକୁ ଐତିହାସିକ ବୋଲି କହିଛନ୍ତି । ଏହାଦ୍ୱାରା କେବଳ ଜାପାନ ଓ ଆମେରିକାର ପ୍ରତିରକ୍ଷା ଉପକରଣର ଆବଶ୍ୟକତା ପୂରଣ ହେବ ନାହିଁ, ବରଂ ଜାପାନର ପ୍ରତିରକ୍ଷା ଶିଳ୍ପକୁ ମଧ୍ୟ ଅଧିକ ମଜବୁତ କରାଯାଇପାରିବ ।
କ’ଣ ଏହି AIM-120 AMRAAM ମିସାଇଲ୍?
AIM-120 AMRAAM ହେଉଛି ଏକ ଅତ୍ୟାଧୁନିକ ରାଡାର ଗାଇଡେଡ୍ ଏୟାର-ଟୁ-ଏୟାର ମିସାଇଲ୍ । ଏହାର ବିଶେଷତ୍ୱ ହେଉଛି, ଶତ୍ରୁ ବିମାନ ଆଖିକୁ ଦେଖା ନଯାଉଥିଲେ ମଧ୍ୟ ଏହାକୁ ରାଡାର ସହାୟତାରେ ଟାର୍ଗେଟ୍ କରି ଆକ୍ରମଣ କରାଯାଇପାରେ । ଆମେରିକା ବାୟୁସେନାର ଅସ୍ତ୍ରଭଣ୍ଡାରରେ ଏହା ଦୀର୍ଘ ଦୂରତାରେ ଆକାଶରୁ ଆକାଶକୁ ଆକ୍ରମଣ କରିପାରୁଥିବା ଅନ୍ୟତମ ଶକ୍ତିଶାଳୀ ମିସାଇଲ୍ ।
ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହୃତ ଆକ୍ଟିଭ୍ ରାଡାର ଗାଇଡେଡ୍ ଏୟାର-ଟୁ-ଏୟାର ମିସାଇଲ୍ ମଧ୍ୟରେ ଏହାର ଗଣନା କରାଯାଏ । ୪୦ରୁ ଅଧିକ ଦେଶରେ ୧୨ରୁ ଅଧିକ ପ୍ରକାରର ଯୁଦ୍ଧ ବିମାନରେ ଏହାକୁ ବ୍ୟବହାର କରାଯାଉଛି । ବିଶ୍ୱର ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଷ୍ଟିଲ୍ଥ ଫାଇଟର ଜେଟ୍ F-35 ଲାଇଟନିଂ-୨ରେ ମଧ୍ୟ ଏହି ମିସାଇଲ୍ ଲଗାଯାଇଥାଏ । ଜାପାନର ଏୟାର ସେଲ୍ଫ ଡିଫେନ୍ସ ଫୋର୍ସ ମଧ୍ୟ F-35 ଯୁଦ୍ଧ ବିମାନ ବ୍ୟବହାର କରୁଛି । କେବଳ ଆକାଶରୁ ଆକାଶକୁ ଆକ୍ରମଣ ନୁହେଁ, ଏହି ମିସାଇଲ୍କୁ ଭୂମିରୁ ଆକାଶକୁ ଆକ୍ରମଣ କରୁଥିବା ଏୟାର ଡିଫେନ୍ସ ସିଷ୍ଟମରେ ମଧ୍ୟ ବ୍ୟବହାର କରାଯାଇପାରେ । ୟୁକ୍ରେନ୍ ଯୁଦ୍ଧ ସମୟରେ ଏଭଳି ଅନେକ ଏୟାର ଡିଫେନ୍ସ ସିଷ୍ଟମର ଉପଯୋଗିତା ମଧ୍ୟ ପରୀକ୍ଷା ହୋଇସାରିଛି ।
ବର୍ତ୍ତମାନ ବିଶ୍ୱର ବିଭିନ୍ନ ଦେଶରେ ଯୁଦ୍ଧ ଓ ସାମରିକ ଉତ୍ତେଜନା କାରଣରୁ ଅସ୍ତ୍ରଶସ୍ତ୍ରର ଚାହିଦା ବଢ଼ିବା ସହ ମହଜୁଦ ଅସ୍ତ୍ରର ପରିମାଣ ମଧ୍ୟ ହ୍ରାସ ପାଉଛି । ୟୁକ୍ରେନ୍ ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏହାର ପ୍ରମୁଖ କାରଣ । ଅନ୍ୟପଟେ ହିନ୍ଦ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମଧ୍ୟ ସାମରିକ ଉତ୍ତେଜନା ବଢ଼ୁଛି ।
ଏଭଳି ସ୍ଥିତିରେ AMRAAM ମିସାଇଲ୍ ଉତ୍ପାଦନ ପାଇଁ ଜାପାନର ଏହି ପଦକ୍ଷେପ ଆମେରିକା ଓ ଏହାର ସହଯୋଗୀ ଦେଶଗୁଡ଼ିକ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ମିସାଇଲ୍ ଉତ୍ପାଦନ ବ୍ୟବସ୍ଥା ଅଧିକ ବ୍ୟାପକ ହେବା ସହ ଅସ୍ତ୍ରଶସ୍ତ୍ର ଯୋଗାଣ ଶୃଙ୍ଖଳା ମଧ୍ୟ ମଜବୁତ ହେବ । ଏହା ସହିତ ଆମେରିକା ଓ ଏହାର ସହଯୋଗୀ ଦେଶଗୁଡ଼ିକ ପାଇଁ ଆଞ୍ଚଳିକ ସ୍ତରରେ ଅସ୍ତ୍ରଶସ୍ତ୍ରର ମହଜୁଦ ବଢ଼ାଇବାରେ ମଧ୍ୟ ସହାୟତା ମିଳିବ ।

