ବାୟୁସେନା ମୁଖ୍ୟ ହେବା ପୂର୍ବରୁ ସେ ଭାଇସ୍ ଚିଫ୍ ଅଫ୍ ଦି ଏୟାର ଷ୍ଟାଫ୍, ଡେପୁଟି ଚିଫ୍ ଅଫ୍ ଦି ଏୟାର ଷ୍ଟାଫ୍ ଏବଂ ସେଣ୍ଟ୍ରାଲ୍ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ।
ଭାରତୀୟ ବାୟୁସେନାକୁ ମିଳିଲେ ନୂଆ ମୁଖ୍ୟ। ଏୟାର ଚିଫ୍ ମାର୍ଶାଲ ଆଶୁତୋଷ ଦୀକ୍ଷିତ ୩୧ ଅକ୍ଟୋବର ୨୦୨୬ରେ ଭାରତୀୟ ବାୟୁସେନାର ୨୯ତମ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଏୟାର ଚିଫ୍ ମାର୍ଶାଲ ଅମର ପ୍ରୀତ ସିଂହଙ୍କ ସ୍ଥାନ ନେଇଛନ୍ତି। ୪୨ ବର୍ଷର ଗୌରବମୟ ସାମରିକ ସେବା ପରେ ଏପି ସିଂହ ଅବସର ଗ୍ରହଣ କରିଛନ୍ତି। ଗତ ୬ ଅକ୍ଟୋବରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆଶୁତୋଷ ଦୀକ୍ଷିତଙ୍କ ନିଯୁକ୍ତି ନେଇ ଘୋଷଣା କରିଥିଲା।
୧୯୬୬ ଡିସେମ୍ବର ୯ରେ ଜନ୍ମଗ୍ରହଣ କରିଥିବା ଆଶୁତୋଷ ଦୀକ୍ଷିତ ୧୯୮୬ ଡିସେମ୍ବର ୬ରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ପ୍ରାୟ ୪୦ ବର୍ଷର ସାମରିକ କ୍ୟାରିୟର ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଅପରେସନ୍ ଓ ରଣନୈତିକ ଦାୟିତ୍ୱ ତୁଲାଇଛନ୍ତି। ତାଙ୍କର ୩୫୦୦ ଘଣ୍ଟାରୁ ଅଧିକ ବିମାନ ଉଡ଼ାଣ ଅଭିଜ୍ଞତା ରହିଛି।
ମିରାଜ୍-୨୦୦୦, ମିଗ୍, ଜାଗୁଆର, ତେଜସ୍, କିରଣ, ହକ୍ ଏବଂ ଆଇଏଲ୍-୭୮ ଭଳି ବିଭିନ୍ନ ଯୁଦ୍ଧ ବିମାନ ଓ ବିମାନ ଉଡ଼ାଇବାର ଅଭିଜ୍ଞତା ରହିଛି ତାଙ୍କର। ସେ ଜଣେ ଏକ୍ସପେରିମେଣ୍ଟାଲ୍ ଟେଷ୍ଟ ପାଇଲଟ୍ ଏବଂ ଯୋଗ୍ୟ ଫ୍ଲାଇଂ ଇନଷ୍ଟ୍ରକ୍ଟର ମଧ୍ୟ। ଅପରେସନ୍ ସଫେଦ ସାଗର, ଅପରେସନ୍ ରକ୍ଷକ ଓ ଅପରେସନ୍ ସିନ୍ଦୂରରେ ତାଙ୍କର ଅଭିଜ୍ଞତା ରହିଛି।
ବାୟୁସେନା ମୁଖ୍ୟ ହେବା ପୂର୍ବରୁ ସେ ଭାଇସ୍ ଚିଫ୍ ଅଫ୍ ଦି ଏୟାର ଷ୍ଟାଫ୍, ଡେପୁଟି ଚିଫ୍ ଅଫ୍ ଦି ଏୟାର ଷ୍ଟାଫ୍ ଏବଂ ସେଣ୍ଟ୍ରାଲ୍ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ। ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ୨୦୦୬ରେ ବାୟୁସେନା ମେଡାଲ, ୨୦୧୧ରେ ବିଶିଷ୍ଟ ସେବା ମେଡାଲ, ୨୦୨୩ରେ ଅତି ବିଶିଷ୍ଟ ସେବା ମେଡାଲ ଏବଂ ୨୦୨୬ରେ ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ ହୋଇଛନ୍ତି। ଏବେ ତାଙ୍କ ନେତୃତ୍ୱରେ ଭାରତୀୟ ବାୟୁସେନା କିଭଳି ନୂଆ ଶକ୍ତି ଓ ଦିଗ ପାଇବ, ତାହା ଉପରେ ସମସ୍ତଙ୍କ ନଜର।

