ୟେମେନକୁ ନେଇ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ମତଭେଦ ରହିଛି। ୟୁଏଇ ଦକ୍ଷିଣ ଟ୍ରାଞ୍ଜିସନାଲ କାଉନସିଲ୍ (ଏସ୍ଟିସି) ନାମକ ବିଚ୍ଛିନ୍ନତାବାଦୀ ଗୋଷ୍ଠୀକୁ ସମର୍ଥନ କରୁଥିବାବେଳେ ସାଉଦି ଆରବ ୟେମେନର ସରକାରଙ୍କ ପକ୍ଷରେ ରହିଛି।
ଆମେରିକାର ଘନିଷ୍ଠ ସହଯୋଗୀ ୟୁଏଇକୁ ନେଇ ବଡ଼ ଖୁଲାସା। ସାଉଦି ଆରବ ବିରୋଧରେ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କୁ ଗୁପ୍ତ ଭାବରେ ସହାୟତା କରୁଛି ସଂଯୁକ୍ତ ଆରବ ଏମିରେଟ୍ସ! ଏପରି ସାଂଘାତିକ ଅଭିଯୋଗ ଆଣିଛି ଗଣମାଧ୍ୟମ ସଂସ୍ଥା ଡ୍ରପ୍ ସାଇଟ୍। ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ମଧ୍ୟପ୍ରାଚ୍ୟର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଦୀର୍ଘ ବର୍ଷ ଧରି ବନ୍ଧୁ ଭାବେ ପରିଚିତ ସାଉଦି ଆରବ ଓ ୟୁଏଇ ମଧ୍ୟରେ ଥିବା ମତଭେଦ ଏବେ ସାମ୍ନାକୁ ଆସିଛି।
ଡ୍ରପ୍ ସାଇଟ୍ ଏହି ଘଟଣା ସମ୍ପର୍କରେ ଜାଣିଥିବା ଚାରି ଜଣ ଅଧିକାରୀଙ୍କ ସୂଚନା ଆଧାରରେ ରିପୋର୍ଟ ପ୍ରକାଶ କରିଛି। ଏଥିରେ ଦାବି କରାଯାଇଛି ଯେ, ସାଉଦି ଆରବ ଉପରେ ଆକ୍ରମଣ କରିବା ସମୟରେ ହୁତି ବିଦ୍ରୋହୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ସୂଚନା ଯୋଗାଇ ଦେଇଥିଲା ୟୁଏଇ ସହ ଜଡ଼ିତ ୟେମେନୀ ଗୋଷ୍ଠୀ। ଏହାଦ୍ୱାରା ହୁତି ବିଦ୍ରୋହୀମାନେ ନିଜ ଟାର୍ଗେଟ୍କୁ ସଫଳତାର ସହ ଆକ୍ରମଣ କରିବାରେ ସହାୟତା ପାଇଥିବା ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗ ନେଇ ୟୁଏଇର ପ୍ରତିକ୍ରିୟା ସମ୍ପର୍କରେ ରିପୋର୍ଟରେ ସ୍ପଷ୍ଟ ସୂଚନା ନାହିଁ।
ୟେମେନକୁ ନେଇ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ମତଭେଦ ରହିଛି। ୟୁଏଇ ଦକ୍ଷିଣ ଟ୍ରାଞ୍ଜିସନାଲ କାଉନସିଲ୍ (ଏସ୍ଟିସି) ନାମକ ବିଚ୍ଛିନ୍ନତାବାଦୀ ଗୋଷ୍ଠୀକୁ ସମର୍ଥନ କରୁଥିବାବେଳେ ସାଉଦି ଆରବ ୟେମେନର ସରକାରଙ୍କ ପକ୍ଷରେ ରହିଛି। ୟେମେନର ରଣନୈତିକ ବନ୍ଦର ଓ ସାମୁଦ୍ରିକ ଯୋଗାଣ ମାର୍ଗ ଉପରେ ପ୍ରଭାବ ବଜାୟ ରଖିବା ୟୁଏଇର ଲକ୍ଷ୍ୟ ବୋଲି କୁହାଯାଉଛି। ଅନ୍ୟପଟେ ଏହାକୁ ନିଜର ଦକ୍ଷିଣ ସୀମା ଓ ଲୋହିତ ସାଗରରେ ସୁରକ୍ଷା ପାଇଁ ବିପଦ ଭାବେ ଦେଖୁଛି ସାଉଦି ଆରବ। ଗତ ଡିସେମ୍ବରରେ ଏସ୍ଟିସି ପାଇଁ ଆସୁଥିବା ଅସ୍ତ୍ରଶସ୍ତ୍ରକୁ ଲକ୍ଷ୍ୟ କରି ମୁକାଲ୍ଲା ବନ୍ଦରରେ ସାଉଦି ଆରବ ଆକ୍ରମଣ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହା ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାକୁ ଆହୁରି ବଢ଼ାଇଥିଲା।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ହୁତି ବିଦ୍ରୋହୀ ଓ ୟୁଏଇ ଆଦର୍ଶଗତ ଭାବେ ପରସ୍ପରର ବିରୋଧୀ ଭାବେ ପରିଚିତ। ତେଣୁ ସାଉଦି ଆରବ ବିରୋଧରେ ହୁତିଙ୍କୁ ସହାୟତା ଦେବା ନେଇ ହୋଇଥିବା ଏହି ଅଭିଯୋଗ ମଧ୍ୟପ୍ରାଚ୍ୟର ରାଜନୈତିକ ସମୀକରଣକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି କରିଛି। ତେବେ ଏହି ଦାବିଗୁଡ଼ିକର ସ୍ୱାଧୀନ ପୁଷ୍ଟି ଏବଂ ସମ୍ପୃକ୍ତ ଦେଶଗୁଡ଼ିକର ଆଧିକାରିକ ପ୍ରତିକ୍ରିୟା ଏବେ ଗୁରୁତ୍ୱପୂର୍ଣ୍ଣ ହେବ।

