ଅର୍ଣ୍ଣବ ଉପରେ ଥିଲା ସାରାଦେଶର ନଜର । ୧୨ଘଣ୍ଟା ଧରି ଚାଲିଥିଲା ଅପରେସନ । ସାଇକ୍ଲୋନ୍ ମନିଟରିଂ ରୁମରୁ, ଫାୟାର କଂଟ୍ରୋଲ ରୁମ୍, ସବୁଠି ଥିଲା ଗୋଟିଏ ଚର୍ଚ୍ଚା । ରାତି ଗୋଟାଏ ବେଳକୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ସକାଳ ୯ଟା ପର୍ଯ୍ୟନ୍ତ ଚକମା ଦେଇଥିଲା ବାତ୍ୟା ।
ବାତ୍ୟା ଅର୍ଣ୍ଣବକୁ ନେଇ ଥିଲା ସାରା ଦେଶର ନଜର । କେଉଁଠି କରିବ ଲ୍ୟାଣ୍ଡଫଲ୍? କେତେବେଳେ ଛୁଇଁବ ସ୍ଥଳଭାଗ? କେତେ ରହିବ ପବନର ବେଗ? କେଉଁ ଅଞ୍ଚଳରେ କେତେ ବର୍ଷା ହେବ? ଏମିତି ଅନେକ ପ୍ରଶ୍ନ, ଆଶଙ୍କା ଆଉ ଆକଳନ ଭିତରେ ବିତିଥିଲା ରାତି। ଘଣ୍ଟା ଘଣ୍ଟା ଧରି ଚାଲିଥିଲା ବାତ୍ୟା ଅର୍ଣ୍ଣବର ଅପରେସନ୍ । ପ୍ରତି ମୁହୂର୍ତ୍ତରେ ବଦଳୁଥିଲା ସ୍ଥିତି, ଆଉ ଘଣ୍ଟାକୁ ଘଣ୍ଟା ଅପଡେଟ୍ ଦେଉଥିଲା ଆଇଏମ୍ଡି । ବାତ୍ୟାର ଗତିପଥ ଉପରେ ଥିଲା ସମସ୍ତଙ୍କ ତୀକ୍ଷ୍ଣ ନଜର। ଆଉ ଏସବୁ ଭିତରେ ଲୋକଙ୍କୁ ଆତଙ୍କିତ ନକରି, ସତ ଓ ସଠିକ୍ ଖବର ପହଞ୍ଚାଇବାର ଦାୟିତ୍ୱ ତୁଲାଉଥିଲା କନକ ନ୍ୟୁଜ୍ ଟିମ୍ । କେମିତି ବଦଳିଥିଲା ବାତ୍ୟାର ରୂପ ? କେମିତି ସାମ୍ନାକୁ ଆସିଥିଲା ସ୍ଥିତିର ସ୍ପଷ୍ଟ ଚିତ୍ର?
ରାତିସାରା ଥିଲା ନଜର
ବଦଳୁଥିଲା ବାତ୍ୟାର ଗତିପଥ
ସାଇକ୍ଲୋନ୍ ମନିଟରିଂ ରୁମ୍ରୁ ଫାୟାର କଣ୍ଟ୍ରୋଲ୍ ରୁମ୍, ସବୁଠି ଥିଲା ଗୋଟିଏ ଚର୍ଚ୍ଚା, ବାତ୍ୟା ଅର୍ଣ୍ଣବ। ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ଆଡ଼କୁ ମାଡ଼ି ଆସୁଥିଲା ଅର୍ଣ୍ଣବ। କେଉଁଠି ହେବ ଲ୍ୟାଣ୍ଡଫଲ୍, ତାକୁ ନେଇ ଲାଗି ରହିଥିଲା ଉତ୍କଣ୍ଠା। ସନ୍ଧ୍ୟା ୮ଟା ପରେ ମଧ୍ୟରାତ୍ରି ସୁଦ୍ଧା ସ୍ଥଳଭାଗ ଛୁଇଁବା ନେଇ ସ୍ପଷ୍ଟ ହୋଇଥିଲା ଆକଳନ। ଆଉ ତା’ପରଠୁ ବଢ଼ି ଚାଲିଥିଲା ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତାମିଲନାଡୁ, ପଶ୍ଚିମବଙ୍ଗ ଓ ପୁଡୁଚେରୀବାସୀଙ୍କ ଛାତିରେ ଛନକା।ରାତି ପ୍ରାୟ ୧୧ଟା। ସ୍ଥଳଭାଗ ଆଡ଼କୁ ମାଡ଼ି ଆସିଥିଲା ବାତ୍ୟାର ବାହ୍ୟ ବଳୟ। ବଢ଼ିଥିଲା ପବନର ବେଗ, ଆରମ୍ଭ ହୋଇଥିଲା ବର୍ଷା। ରାତି ଗୋଟେ ବେଳକୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। କିନ୍ତୁ ଏହାରି ଭିତରେ ବଦଳିଥିଲା ଅର୍ଣ୍ଣବର ଗତିପଥ। ସ୍ଥଳଭାଗକୁ କିଛି ଅଂଶ ପ୍ରବେଶ କରିବା ପରେ ହଠାତ୍ ଦିଗ ବଦଳାଇ ରିକର୍ଭ କରିଥିଲା ବାତ୍ୟା। ମନ୍ଥର ଗତିରେ ଗୋଟିଏ ସ୍ଥାନରେ ବହୁ ସମୟ ଧରି ଅଟକିକି ରହିଯାଇଥିଲା । ଆନ୍ଧ୍ରପ୍ରଦେଶର ଆଭ୍ୟନ୍ତରୀଣ ଅଞ୍ଚଳ ଦେଇ ଗତି କରିବାରୁ ବଢ଼ିଥିଲା ଦ୍ୱନ୍ଦ୍ୱ। ପ୍ରତିଟି ପରିବର୍ତ୍ତନ ଉପରେ ଥିଲା ପାଣିପାଗ ବିଭାଗର ନଜର, ଆଉ ପରବର୍ତ୍ତୀ ଅପଡେଟ୍କୁ ଅପେକ୍ଷା କରିଥିଲେ ଲୋକେ।
ସକାଳ ୮ଟା ପରେ ସ୍ପଷ୍ଟ ହେଲା ଚିତ୍ର । ରାତିସାରା ଅପେକ୍ଷା, ଆଶଙ୍କା ଆଉ ଅନିଶ୍ଚିତତା। ସକାଳ ୮ଟା ପରେ ଧୀରେ ଧୀରେ ସ୍ପଷ୍ଟ ହେଲା ବାତ୍ୟାର ସ୍ଥିତି। ଆନ୍ଧ୍ରପ୍ରଦେଶ–ୟାନାମ ଉପକୂଳ ଅତିକ୍ରମ କରିଥିଲା ଅର୍ଣ୍ଣବ। ଶେଷ ହୋଇଥିଲା ସ୍ଥଳଭାଗ ପ୍ରବେଶ ପ୍ରକ୍ରିୟା। ତେବେ ସ୍ଥଳଭାଗ ଛୁଇଁବା ପରେ ମଧ୍ୟ ତୁରନ୍ତ ଥମି ନଥିଲା ବାତ୍ୟାର ପ୍ରଭାବ। ଧୀରେ ଧୀରେ ହ୍ରାସ ପାଇଥିଲା ତୀବ୍ରତା। ଅତି ଭୀଷଣ ବାତ୍ୟାରୁ ଭୀଷଣ ବାତ୍ୟାର ରୂପ ନେଇଥିଲା ‘ଅର୍ଣ୍ଣବ’। ତଥାପି ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ରହିଥିବା ରିପୋର୍ଟ ଆସିଥିଲା। ସକାଳ ୯ଟା ପରେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ଜାରି ରହିଥିଲା ବର୍ଷା ଓ ପବନର ପ୍ରଭାବ। ବାତ୍ୟାର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନେଇଥିଲା ପ୍ରଶାସନ। ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଓଡ଼ିଶାରେ ୫୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ବାତ୍ୟାର ତୀବ୍ରତା କମୁଥିଲା, ହେଲେ ବିପଦ ସମ୍ପୂର୍ଣ୍ଣ ଟଳି ନଥିଲା। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା, ପବନ ଓ ସମ୍ଭାବ୍ୟ ଭୂସ୍ଖଳନକୁ ନେଇ ସତର୍କ ରହିଥିଲା ପ୍ରଶାସନ।
ରାତିର ଅନିଶ୍ଚିତତାରୁ ସକାଳର ସ୍ପଷ୍ଟ ଚିତ୍ର। ଲ୍ୟାଣ୍ଡଫଲ୍ର ଆକଳନରୁ ଗତିପଥର ପରିବର୍ତ୍ତନ, ପ୍ରତିଟି ମୁହୂର୍ତ୍ତ ଥିଲା ଗୁରୁତ୍ୱପୂର୍ଣ୍ଣ। ଦୀର୍ଘ ୧୨ ଘଣ୍ଟାର ଅପରେସନ୍ ପରେ ବାତ୍ୟାର ସ୍ଥିତି ନେଇ ମିଳିଥିଲା ଅଧିକ ସ୍ପଷ୍ଟ ସୂଚନା। ବର୍ତ୍ତମାନ ଅର୍ଣ୍ଣବ ଦୁର୍ବଳ ହୋଇ ଛତିଶଗଡ଼ ଆଡ଼କୁ ଗତି କରୁଛି ।
ଆନ୍ଦୋଳନ ହେବ ବୋଲି ବୁଦ୍ଧିଜୀବୀ ଚେତାବନୀ ଦେଇଛନ୍ତି।

