ଜ୍ଞାନେଶ କୁମାରଙ୍କ ବିରୋଧରେ ବଡ଼ ରଣନୀତି , ଖଡ୍‌ଗେଙ୍କ ବାସଭବନରେ ହେବ ସାର୍ବଜନୀନ ମହାଭିଯୋଗ

ଅକ୍ଟୋବର ୩୦ ତାରିଖ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ଏଥିରେ ଇଣ୍ଡିଆ ବ୍ଲକର ସାଂସଦଙ୍କ ସହ ନାଗରିକ ସମାଜର ପ୍ରତିନିଧି ଓ ଆଇନ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ । କିଛି ପୂର୍ବତନ ବିଚାରପତି ମଧ୍ୟ ଏଥିରେ ସାମିଲ ହେବାର ସମ୍ଭାବନା ରହିଛି ।

ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ନିଜର ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରୁଛି ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକ । ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ ହେବାକୁ ଥିବା ବିଶାଳ ରାଲି ପୂର୍ବରୁ ଅକ୍ଟୋବର ୩୦ ତାରିଖରେ ଆୟୋଜନ ହେବ ‘ସାର୍ବଜନୀନ ମହାଭିଯୋଗ’ କାର୍ଯ୍ୟକ୍ରମ । ଏହା ଜରିଆରେ ନିର୍ବାଚନ କମିସନଙ୍କ କାର୍ଯ୍ୟପ୍ରଣାଳୀ ଓ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ନେଇ ବିରୋଧୀ ନିଜର ଅସନ୍ତୋଷ ପ୍ରକାଶ କରିବେ ।

ପ୍ରଥମେ ଏହି କାର୍ଯ୍ୟକ୍ରମ ପାଇଁ ଅଶୋକା ହୋଟେଲ ଓ ରାମଲୀଳା ମୈଦାନକୁ ବାଛିଥିଲେ ବିରୋଧୀ । କିନ୍ତୁ ସରକାରୀ ଚାପ ଯୋଗୁଁ ଏହି ଦୁଇଟି ସ୍ଥାନରେ ଅନୁମତି ମିଳିନଥିବା କଂଗ୍ରେସ ଅଭିଯୋଗ କରିଛି । ଏହାପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଦିଲ୍ଲୀସ୍ଥିତ ୧୦ ରାଜାଜୀ ମାର୍ଗ ବାସଭବନରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି । ଏହି ବାସଭବନରେ ପୂର୍ବରୁ ଇଣ୍ଡିଆ ବ୍ଲକର ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ ଓ ରଣନୀତି ପ୍ରସ୍ତୁତି ହୋଇଛି । ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ ଏବଂ ଓମାର ଅବଦୁଲ୍ଲାଙ୍କ ପରି ପ୍ରମୁଖ ବିରୋଧୀ ନେତା ମଧ୍ୟ ଏଠାରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଛନ୍ତି ।

ଅକ୍ଟୋବର ୩୦ ତାରିଖ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ଏଥିରେ ଇଣ୍ଡିଆ ବ୍ଲକର ସାଂସଦଙ୍କ ସହ ନାଗରିକ ସମାଜର ପ୍ରତିନିଧି ଓ ଆଇନ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ । କିଛି ପୂର୍ବତନ ବିଚାରପତି ମଧ୍ୟ ଏଥିରେ ସାମିଲ ହେବାର ସମ୍ଭାବନା ରହିଛି । କାର୍ଯ୍ୟକ୍ରମରେ ସମୟାନୁସାରେ ଉପସ୍ଥିତ ରହିବାକୁ ବିରୋଧୀ ସାଂସଦମାନଙ୍କୁ ହ୍ୱାଟସଆପ୍ ମାଧ୍ୟମରେ ସୂଚନା ଦିଆଯାଇଛି ।

ଏହି ବୈଠକରେ ଜ୍ଞାନେଶ କୁମାରଙ୍କ ବିରୋଧରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଏକ ପ୍ରସ୍ତାବ ଉପସ୍ଥାପନ କରାଯିବ । ବିଶେଷକରି ଏସଆଇଆର ପ୍ରକ୍ରିୟା ଏବଂ ଏହା ମାଧ୍ୟମରେ ବହୁ ସଂଖ୍ୟକ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିବାର ଆଶଙ୍କା ଉପରେ ଆଲୋଚନା ହେବ । ଭୋଟରଙ୍କ ଅଧିକାର ଓ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ମଧ୍ୟ ବିରୋଧୀ ନିଜର ମତ ରଖିବେ ।

ପ୍ରସ୍ତାବରେ ଜ୍ଞାନେଶ କୁମାରଙ୍କ ଉପରେ ମନମୁଖୀ ନିଷ୍ପତ୍ତି ନେବା ସହ ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ନକରିବା ଭଳି ଅଭିଯୋଗ ଉଠାଯିବ । ଏଭଳି ପରିସ୍ଥିତିରେ ସେ ମୁଖ୍ୟ ନିର୍ବାଚନ କମିସନର ପଦରେ ରହିବା ଉଚିତ ନୁହେଁ ବୋଲି ବିରୋଧୀ ଯୁକ୍ତି ଦର୍ଶାଇବେ । ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ କହିବା ଅନୁଯାୟୀ, ଏହା କୌଣସି ‘ମକ୍ ପାର୍ଲାମେଣ୍ଟ’ ନୁହେଁ; ବରଂ ଏକ ‘ସାର୍ବଜନୀନ ମହାଭିଯୋଗ’। ଏଥିରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ଓ ପୂର୍ବତନ ବିଚାରପତିଙ୍କୁ ସାମିଲ କରି ନିର୍ବାଚନ କମିସନ ଏବଂ ଏସଆଇଆର ପ୍ରକ୍ରିୟା ସମ୍ପର୍କିତ ପ୍ରସଙ୍ଗଗୁଡ଼ିକୁ ବ୍ୟାପକ ଭାବେ ଉପସ୍ଥାପନ କରାଯିବ । ନଭେମ୍ବର ୧ ତାରିଖରେ ହେବାକୁ ଥିବା ବିଶାଳ ରାଲି ପୂର୍ବରୁ ଏହି କାର୍ଯ୍ୟକ୍ରମ ଜରିଆରେ ବିରୋଧୀ ନିଜର ଏକତା ଓ ରାଜନୈତିକ ଶକ୍ତି ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏବେ ଏହି ପ୍ରସଙ୍ଗ ଆଗାମୀ ଦିନରେ ଜାତୀୟ ରାଜନୀତିରେ କେତେ ତୀବ୍ର ରୂପ ନେଉଛି, ତାହା ଉପରେ ନଜର ରହିବ ।

Leave a Reply

Your email address will not be published. Required fields are marked *