ବାତ୍ୟା ଅର୍ଣ୍ଣବ ଆସିଲା, କଉେଁଠି ଉଡ଼େଇଲା, କେଉଁଠି ବୁଡ଼େଇଲା

ବାତ୍ୟା, ବର୍ଷା, ବନ୍ୟାସ୍ଥିତି । କେବଳ ଆନ୍ଧ୍ର କି ପୁଡୁଚେରି ନୁହେଁ, ଓଡ଼ିଶାକୁ ବି ଭୀଷଣ ପ୍ରଭାବିତ କରିଛି ଅର୍ଣ୍ଣବ ବିପତ୍ତି । ବିଶେଷ କରି ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ଅନ୍ୟ ଜିଲ୍ଲା ଗୁଡ଼ିକରେ ବି ବର୍ଷା ଓ ଅଳ୍ପ କିଛି ଅଘଟଣ ଦେଖିବାକୁ ମିଳିଛି । ଚିନ୍ତାର ବିଷୟ ହେଉଛି, ଏବେ ବି ଓଡ଼ିଶା ଉପରୁ ହଟିନି ଦୁର୍ବିପାକର କଳାବାଦଲ ।

 ଉଡ଼ାଇଲା… ବୁଡ଼ାଇଲା… ଛେଚିଲା… ଭାଙ୍ଗିଲା… । କାଲି ରାତିସାରା ଅର୍ଣ୍ଣବ ତାଣ୍ଡବ ରଚିବା ପରେ ଆଜି ସକାଳୁ ଇଏ ଆନ୍ଧ୍ରପ୍ରଦେଶର ଦୃଶ୍ୟ । ଅତି ଭୀଷଣ ବାତ୍ୟାମାଡ଼ରେ ଖିନଭିନ ଗଛପତ୍ର, ରାସ୍ତାଘାଟ, ଛିନଛତ୍ର ଅନ୍ୟ ଭିତ୍ତିଭୂମି । ଆନ୍ଧ୍ର ଓ ପୁଡୁଚେରିର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ।… 

 ଓଡ଼ିଶା ଉପରେ ବି ପଡ଼ିଛି ଅର୍ଣ୍ଣବର ବ୍ୟାପକ ପ୍ରଭାବ ।  ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ଗଜପତି, ଗଞ୍ଜାମ । ଗଛ ଉପୁଡ଼ିଛି, ଘର ଭାଙ୍ଗିଛି, ତୋରଣ ଓଲଟିଛି । ଯାତାୟାତ ଓ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ । ଜନଜୀବନକୁ ପ୍ରଭାବିତ କରିଛି ବାତ୍ୟା । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗିରେ ୧୮ଟି ଓ ନନ୍ଦପୁରରେ ଗୋଟିଏ ଘର ଭାଙ୍ଗିଛି । ଗଜପତି ଜିଲ୍ଲା ମୋହନାରେ ଘର ଉପରେ ଗଛ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି । ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ଯଥାଶୀଘ୍ର ଗଛ କାଟି ସ୍ଥିତି ସ୍ୱାଭାବିକ କରିବାକୁ ଚେଷ୍ଟା ଚଳାଇଛନ୍ତି ।… ଆଶ୍ରୟ ସ୍ଥଳରେ ଲୋକଙ୍କୁ ରଖାଯିବା ସହ, ରନ୍ଧାଖାଦ୍ୟ ଦିଆଯାଉଛି । ସ୍ଥିତି ନସୁଧୁରିବା ଯାଏଁ ମାଆଗୃହରେ ଆଶ୍ରୟ ନେଇଛନ୍ତି ଗର୍ଭବତୀ । କଣ୍ଟ୍ରୋଲ ରୁମ୍‌ରୁ ଉଦ୍ଧାରକାର୍ଯ୍ୟ ଉପରେ ରହିଛି ନଜର ।

ବର୍ଷା ବିତ୍ପାତ ବିଭିନ୍ନ ସ୍ଥାନରେ ସୃଷ୍ଟି କରିଛି ବନ୍ୟାସ୍ଥିତି । ଇଏ ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପାଦଦେଶର ଭୟଙ୍କର ଦୃଶ୍ୟ। କଇଁପୁର-ବୁରକତ ରାସ୍ତା ଧୋଇଯାଇଛି । ମହେନ୍ଦ୍ରତନୟା ନଦୀର ଉତ୍ପତ୍ତି ସ୍ଥଳରେ ଜଳ ବଳ ଦେଖାଉଛି । ସେପଟେ ନଦୀକୁ ଧସି ପଡ଼ିଛି ମୋହନା ଗୁଡ଼ୁରୀଗୁଡ଼ା ବ୍ରିଜ୍‌ର ଗାର୍ଡୱାଲ୍‌ । ଫଳରେ ତିନିଟି ଗାଁର ଯାତାୟତ ପ୍ରଭାବିତ ହୋଇଛି । ରାୟଗଡ଼ ବ୍ଲକ ରେଗିଡିସିଂ ଗାଁ ଭିତରକୁ ଧସେଇ ପଶିଛି ମାଟି ଅତଡ଼ା । ଆତଙ୍କିତ ଗ୍ରାମବାସୀ ।… ଗଞ୍ଜାମ ସାନଖେମୁଣ୍ଡି କଂକୋରଡ଼ା ରାସ୍ତା ଉପରେ ନଦୀର ଭ୍ରମ ସୃଷ୍ଟି ହୋଇଛି । 

Leave a Reply

Your email address will not be published. Required fields are marked *