ଶୁଣାଣି ସମୟରେ ମସଜିଦ କମିଟି ପକ୍ଷରୁ ବରିଷ୍ଠ ଓକିଲ ଅହମଦୀ ଦୃଢ଼ ଦଲିଲ ରଖି କହିଛନ୍ତି ଯେ, କୌଣସି ବି ପୂଜାସ୍ଥଳର ଧାର୍ମିକ ସ୍ୱରୂପକୁ ବଦଳାଯାଇପାରିବ ନାହିଁ । ଯଦି କୌଣସି ପୂଜାସ୍ଥଳ ଏକ ପ୍ରାଚୀନ ସ୍ମାରକୀ ମଧ୍ୟ ହୋଇଥାଏ, ତଥାପି ଏହାର ମୂଳ ଧାର୍ମିକ ଚରିତ୍ରର ସୁରକ୍ଷା କରିବା ଆଇନଗତ ଭାବେ ଜରୁରୀ ।
ଉତ୍ତର ପ୍ରଦେଶ ସମ୍ଭଲର ଶାହୀ ଜାମା ମସଜିଦ ସର୍ଭେ ନିର୍ଦ୍ଦେଶକୁ ବିରୋଧ କରି ମସଜିଦ କମିଟି ପକ୍ଷରୁ କରାଯାଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି । ଶୁଣାଣି ସମୟରେ ମସଜିଦ କମିଟି ପକ୍ଷରୁ ବରିଷ୍ଠ ଓକିଲ ଅହମଦୀ ଦୃଢ଼ ଦଲିଲ ରଖି କହିଛନ୍ତି ଯେ, କୌଣସି ବି ପୂଜାସ୍ଥଳର ଧାର୍ମିକ ସ୍ୱରୂପକୁ ବଦଳାଯାଇପାରିବ ନାହିଁ । ଯଦି କୌଣସି ପୂଜାସ୍ଥଳ ଏକ ପ୍ରାଚୀନ ସ୍ମାରକୀ ମଧ୍ୟ ହୋଇଥାଏ, ତଥାପି ଏହାର ମୂଳ ଧାର୍ମିକ ଚରିତ୍ରର ସୁରକ୍ଷା କରିବା ଆଇନଗତ ଭାବେ ଜରୁରୀ । ସେ ଏହାର ଉଦାହରଣ ଦେଇ କହିଛନ୍ତି ଯେ, ଯଦି କୌଣସି ସ୍ଥାନ ମନ୍ଦିର ତେବେ ତାକୁ ଚର୍ଚ୍ଚ କିମ୍ବା ଯଦି ମସଜିଦ ତେବେ ତାକୁ ମନ୍ଦିରରେ ପରିବର୍ତ୍ତନ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ । ପ୍ରାଚୀନ ସ୍ମାରକୀ ଅଧିନିୟମର ମୂଳ ଲକ୍ଷ୍ୟ ହେଉଛି ସଂରକ୍ଷଣ ଏବଂ ଏହି ସଂରକ୍ଷଣ ମଧ୍ୟରେ ଉକ୍ତ ସ୍ଥାନର ଧାର୍ମିକ ପରିଚୟକୁ ବଜାୟ ରଖିବା ମଧ୍ୟ ଅନ୍ତର୍ଭୁକ୍ତ ।
ଶୁଣାଣି ସମୟରେ ଜଷ୍ଟିସ ପିଏସ୍ ନରସିଂହ ସହିଷ୍ଣୁତା ବା ଟଲରାନ୍ସର ଗୁରୁତ୍ୱ ଉପରେ ଜୋର ଦେଇଛନ୍ତି। ଓକିଲ ଅହମଦୀ ପୂର୍ବତନ ଜଷ୍ଟିସ ରେଡ୍ଡୀଙ୍କ ଏକ ଟିପ୍ପଣୀର ସହାୟତା ନେଇ ଅଦାଲତରେ କହିଥିଲେ ଯେ ସମାଜରେ ସହିଷ୍ଣୁତା ରହିବା ଅତ୍ୟନ୍ତ ଆବଶ୍ୟକ । ଏହା ଉପରେ ଜଷ୍ଟିସ ନରସିଂହ ସହମତି ପ୍ରକାଶ କରି କହିଛନ୍ତି ଯେ ଆମକୁ ସର୍ବଦା ସହିଷ୍ଣୁତା ରଖିବା ଉଚିତ । ଏହି ମାମଲାରେ ନିମ୍ନ ଅଦାଲତଙ୍କ ପକ୍ଷରୁ କୋର୍ଟ କମିଶନର ନିଯୁକ୍ତି ଦିଆଯିବା ନିଷ୍ପତ୍ତିକୁ ମଧ୍ୟ ଅହମଦୀ ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ ଗତ ୧୯ ନଭେମ୍ବରରେ ଆବେଦନକାରୀଙ୍କ ପକ୍ଷରୁ ସର୍ଭେ ପାଇଁ ଅନୁରୋଧ କରାଯାଇଥିଲା ଏବଂ ଟ୍ରାୟଲ କୋର୍ଟ ବିନା ନୋଟିସରେ ଏକପାଖିଆ ନିର୍ଦ୍ଦେଶ ଜାରି କରିଥିଲେ । ସିପିସିର ନିୟମ ଅନୁଯାୟୀ କୌଣସି ସ୍ଥାନୀୟ ଯାଞ୍ଚ ପାଇଁ କମିଶନର ନିଯୁକ୍ତି କରିବା ପୂର୍ବରୁ ଅଦାଲତଙ୍କୁ ଏହା ସ୍ପଷ୍ଟ କରିବାକୁ ପଡ଼ିଥାଏ ଯେ ଏହି ଯାଞ୍ଚ କାହିଁକି ଆବଶ୍ୟକ, ମାତ୍ର ଟ୍ରାୟଲ କୋର୍ଟଙ୍କ ନିର୍ଦ୍ଦେଶରେ ଏଭଳି କୌଣସି ସ୍ପଷ୍ଟ କାରଣ ଦର୍ଶାଯାଇ ନାହିଁ ।
ମସଜିଦ କମିଟି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ କୋର୍ଟ କମିଶନରଙ୍କ କାର୍ଯ୍ୟ ହେଉଛି ଅଦାଲତଙ୍କୁ ସାହାଯ୍ୟ କରିବା, କୌଣସି ପକ୍ଷକୁ ନିଜ ସପକ୍ଷରେ ପ୍ରମାଣ ଯୋଗାଡ଼ କରିବାର ମାଧ୍ୟମ ଦେବା ନୁହେଁ । ହାଇକୋର୍ଟଙ୍କ ସେହି ଦୃଷ୍ଟିକୋଣକୁ ମଧ୍ୟ ସେମାନେ ବିରୋଧ କରିଛନ୍ତି ଯେଉଁଥିରେ କୁହାଯାଇଥିଲା ଯେ କମିଶନରଙ୍କ ଜରିଆରେ ପକ୍ଷକାରମାନେ ଉନ୍ନତ ପ୍ରମାଣ ପାଇପାରିବେ । ଏହା ସହିତ ସମ୍ପତ୍ତିର ମାଲିକାନାକୁ ନେଇ ସେ କହିଛନ୍ତି ଯେ କମିଟି କେବଳ ଏକ ରକ୍ଷଣାବେକ୍ଷଣକାରୀ ବା କଷ୍ଟୋଡିଆନ ଭାବେ କାମ କରୁଛି, ପ୍ରକୃତରେ ସମ୍ପତ୍ତିର ମାଲିକାନା ଅଲ୍ଲାଙ୍କ ପାଖରେ ରହିଛି । ଅନ୍ୟପକ୍ଷରେ ଓକିଲ ନିଜାମ ପାଶା ୧୯୫୮ର ପ୍ରାଚୀନ ସ୍ମାରକୀ ଆଇନ ଏବଂ ୧୯୯୧ର ପୂଜାସ୍ଥଳ ଆଇନକୁ ଏକାଠି ପଢ଼ିବା ପାଇଁ ଯୁକ୍ତି ବାଢ଼ିଛନ୍ତି । ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ ନିଜର ପକ୍ଷ ରଖିବା ପାଇଁ ସମୟ ମାଗିଥିବାରୁ ମାମଲାର ପରବର୍ତ୍ତୀ ଶୁଣାଣି ଆଗକୁ ଘୁଞ୍ଚାଯାଇଛି ।

