ଭକ୍ତି… ଭାବ… ଆଉ ବିଶ୍ୱାସର ମହାମିଳନ । ଆଜି ଶ୍ରୀକ୍ଷେତ୍ର ପାଲଟିଛି ଭକ୍ତିର ମହାସମୁଦ୍ର । ବଡ଼ଦାଣ୍ଡର ପ୍ରତ୍ୟେକ ଇଞ୍ଚ ଜାଗାରେ କେବଳ ଶ୍ରଦ୍ଧାଳୁଙ୍କ ସମାଗମ । ଘଣ୍ଟ, ଘଣ୍ଟା, ଶଙ୍ଖଧ୍ୱନି ଓ ହୁଳହୁଳିରେ କମ୍ପି ଉଠୁଛି ସମଗ୍ର ଶ୍ରୀକ୍ଷେତ୍ର ।
ଭକ୍ତି… ଭାବ… ଆଉ ବିଶ୍ୱାସର ମହାମିଳନ । ଆଜି ଶ୍ରୀକ୍ଷେତ୍ର ପାଲଟିଛି ଭକ୍ତିର ମହାସମୁଦ୍ର । ବଡ଼ଦାଣ୍ଡର ପ୍ରତ୍ୟେକ ଜାଗାରେ କେବଳ ଶ୍ରଦ୍ଧାଳୁଙ୍କ ସମାଗମ । ଘଣ୍ଟ, ଘଣ୍ଟା, ଶଙ୍ଖଧ୍ୱନି ଓ ହୁଳହୁଳିରେ କମ୍ପି ଉଠୁଛି ସମଗ୍ର ଶ୍ରୀକ୍ଷେତ୍ର । “ଜୟ ଜଗନ୍ନାଥ” ଧ୍ୱନିରେ ପ୍ରକମ୍ପିତ ହେଉଛି ଆକାଶ-ବାତାସ । କାଳିଆ ସାଆନ୍ତଙ୍କ ଏକ ଝଲକ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଚାତକ ପରି ଅପେକ୍ଷା କରି ରହିଛନ୍ତି । ଆଜି ପ୍ରଭୁ ଶ୍ରୀଜଗନ୍ନାଥ ନିଜ ଭକ୍ତଙ୍କ ପାଖକୁ ଆସିଛନ୍ତି । ସିଂହଦ୍ୱାରର ଗର୍ଭଗୃହ ଛାଡ଼ି ବଡ଼ଦାଣ୍ଡରେ ବିରାଜମାନ ହୋଇ ସମସ୍ତଙ୍କୁ ଦେଉଛନ୍ତି ଦିବ୍ୟ ଦର୍ଶନ । ଯେଉଁମାନେ ବର୍ଷସାରା ଏହି କ୍ଷଣକୁ ଅପେକ୍ଷା କରିଥିଲେ, ସେମାନଙ୍କ ପାଇଁ ଏହା ଅବର୍ଣ୍ଣନୀୟ ଆନନ୍ଦର ମୁହୂର୍ତ୍ତ ।
ଆଖିରେ ଅଶ୍ରୁ, ହୃଦୟରେ ଅଗାଧ ଭକ୍ତି ଏବଂ ଓଠରେ କେବଳ ଗୋଟିଏ ନାମ—”ଜୟ ଜଗନ୍ନାଥ”। ବର୍ଷା ହେଉ କି ପବନ, ପ୍ରକୃତିର କୌଣସି ବାଧା ଭକ୍ତଙ୍କ ଭକ୍ତିକୁ ଅଟକାଇ ପାରିନାହିଁ । ବରଂ ଲାଗୁଛି, ପ୍ରକୃତି ମଧ୍ୟ ମହାପ୍ରଭୁଙ୍କ ଏହି ଦିବ୍ୟ ଲୀଳାରେ ସାମିଲ ହୋଇଛି । ବର୍ଷାର ବୁନ୍ଦା, ଭକ୍ତଙ୍କ ଅଶ୍ରୁ ଏବଂ ଭାବର ଉଚ୍ଛ୍ୱାସ ମିଶି ଆଜି ବଡ଼ଦାଣ୍ଡକୁ କରିଦେଇଛି ଏକ ଅନନ୍ୟ ଆଧ୍ୟାତ୍ମିକ କ୍ଷେତ୍ର । ବିଶ୍ୱାସ ରହିଛି, ଘୋଷଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କଲେ ଅନେକ ଜନ୍ମର ପାପ କ୍ଷୟ ହୁଏ ଏବଂ ମୋକ୍ଷର ପଥ ପ୍ରଶସ୍ତ ହୁଏ । ସେଥିପାଇଁ ଦେଶ-ବିଦେଶରୁ ଆସିଥିବା ଅଗଣିତ ଶ୍ରଦ୍ଧାଳୁ ଆଜି ଏହି ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହୋଇ ନିଜ ଜୀବନକୁ ଧନ୍ୟ ମନେ କରୁଛନ୍ତି । ଭକ୍ତି, ଭାବ ଓ ବିଶ୍ୱାସର ଏହି ମହାପର୍ବରେ ସତରେ ଆଜି ଲୋକାରଣ୍ୟ ପାଲଟିଛି ଶ୍ରୀକ୍ଷେତ୍ର, ଆଉ ମହାପ୍ରଭୁଙ୍କ କରୁଣା ଦୃଷ୍ଟିରେ ପୁଲକିତ ହୋଇଉଠିଛି ସମଗ୍ର ବଡ଼ଦାଣ୍ଡ ।

