ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସାହାରନପୁର ଜିଲ୍ଲାପାଳଙ୍କ ବିରୋଧରେ ଅପମାନଜନକ ପୋଷ୍ଟ କରିଥିବା ନେଇ ଅଧିବକ୍ତା ଦୁଷ୍ୟନ୍ତ ସିଂଙ୍କ ତେହେରିର ଆଧାରରେ ସଦର ବଜାର ଥାନାରେ ଏହି ମାମଲା ରୁଜୁ ହୋଇଥିଲା ।
ଉତ୍ତରପ୍ରଦେଶର ସାହାରନପୁର କଲେକ୍ଟରେଟ ପରିସରରେ ଥିବା ଏକ ମସଜିଦ ଉଚ୍ଛେଦକୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ଓ ଭଡ଼କାଉ ଟିପ୍ପଣୀ କରିଥିବା ଅଭିଯୋଗରେ ପୁଲିସ ହୁଦା ଜରିୱାଲାଙ୍କୁ ଗିରଫ କରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସାହାରନପୁର ଜିଲ୍ଲାପାଳଙ୍କ ବିରୋଧରେ ଅପମାନଜନକ ପୋଷ୍ଟ କରିଥିବା ନେଇ ଅଧିବକ୍ତା ଦୁଷ୍ୟନ୍ତ ସିଂଙ୍କ ତେହେରିର ଆଧାରରେ ସଦର ବଜାର ଥାନାରେ ଏହି ମାମଲା ରୁଜୁ ହୋଇଥିଲା ।
ପୁଲିସ ସୂଚନା ଅନୁଯାୟୀ, ଗତ ୭ ସେପ୍ଟେମ୍ବରରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ନେତାଙ୍କ ସାହାରନପୁର ଗସ୍ତ ସମୟରେ ହୁଦା ସର୍କିଟ ହାଉସରେ ପହଞ୍ଚିଥିଲେ। ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ମହିଳା ପୋଲିସ କର୍ମଚାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ଓ ହଙ୍ଗାମା ହୋଇଥିଲା। ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ତାଙ୍କୁ ହେପାଜତକୁ ନେଇଥିଲା ଏବଂ ପରେ ଶାନ୍ତିଭଙ୍ଗ ଧାରାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ୍ୟାୟାଳୟରେ ହାଜର କରିବା ପରେ ତାଙ୍କୁ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି ।
ଗିରଫ ହୋଇଥିବା ମହିଳା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜକୁ ଜଣେ ରାଜନୈତିକ ବିଶ୍ଳେଷକ, ସାଉଦି ଆରବର ଟିଭି ଚ୍ୟାନେଲ-୨ର ପୂର୍ବତନ ନ୍ୟୁଜ୍ ଆଙ୍କର୍, ଦୁବାଇର ସାମ୍ବାଦିକ ଏବଂ ବିବିସି ଲଣ୍ଡନର ସହ-କଳାକାର ଭାବେ ପରିଚୟ ଦେଇଛନ୍ତି। ପୋଲିସ ବର୍ତ୍ତମାନ ତାଙ୍କର ମୂଳ ନିବାସ ଏବଂ ଭାଇରାଲ ଭିଡିଓର ସତ୍ୟାସତ୍ୟ ଯାଞ୍ଚ କରୁଛି ।
ଏସପି ସିଟି ବ୍ୟୋମ ବିନ୍ଦଲ କହିଛନ୍ତି ଯେ, ସୋସିଆଲ ମିଡିଆରେ ଭ୍ରାମକ, ହିଂସାତ୍ମକ କିମ୍ବା ଉତ୍ତେଜନାପୂର୍ଣ୍ଣ ପୋଷ୍ଟ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଜନସାଧାରଣଙ୍କୁ ସୋସିଆଲ ମିଡିଆର ସତର୍କତାପୂର୍ଣ୍ଣ ବ୍ୟବହାର କରିବାକୁ ଅପିଲ କରିଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

