ଗଞ୍ଜେଇ ଚାଲାଣ ବିରୋଧରେ ବୌଦ୍ଧ ପୁଲିସ ଏକ ବଡ଼ ସଫଳତା ହାସଲ କରିଛି। ପୁରୁଣାକଟକରୁ ବୌଦ୍ଧ ଆସୁଥିବା ଏକ କଣ୍ଟେନରର ସିକ୍ରେଟ୍ ଚାମ୍ବରରୁ ୩ କୁଇଣ୍ଟାଲ ୧୫ କେଜି ଗଞ୍ଜେଇ ଜବତ କରାଯାଇଛି।
ଗଞ୍ଜେଇ ମାଫିଆଙ୍କ ବିରୋଧରେ ବୌଦ୍ଧ ପୁଲିସକୁ ବଡ଼ ସଫଳତା ମିଳିଛି। ପୁରୁଣାକଟକ ପଟୁ ବୌଦ୍ଧ ଆସୁଥିବା ଏକ କଣ୍ଟେନର ଉପରେ ଚଢ଼ଉ କରି ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ସରସରା ରେଳ ଫାଟକ ନିକଟରେ ଏହି ଚଢ଼ଉ କରାଯାଇଥିଲା । ଯାଞ୍ଚ ବେଳେ କଣ୍ଟେନରର ଡ୍ରାଇଭର ସିଟ୍ ପଛପଟେ ଅତ୍ୟନ୍ତ ଚତୁରତାର ସହ ଏକ ସିକ୍ରେଟ୍ ଚାମ୍ବର ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଥିଲା । ସେହି ଚାମ୍ବର ଭିତରେ ଲୁଚାଇ ରଖାଯାଇଥିବା ୩ କୁଇଣ୍ଟାଲ ୧୫ କେଜି ଗଞ୍ଜେଇ ପୁଲିସ ଜବତ କରିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଆଇନକୁ ଚକମା ଦେବା ପାଇଁ ଗଞ୍ଜେଇ ଚାଲାଣକାରୀମାନେ କଣ୍ଟେନର ଭିତରେ ସ୍ୱତନ୍ତ୍ର ଭାବେ ଏହି ଗୁପ୍ତ ଚାମ୍ବର ତିଆରି କରିଥିଲେ । ବାହାରୁ ଦେଖିଲେ କୌଣସି ସନ୍ଦେହ ସୃଷ୍ଟି ନହେବା ଭଳି ଏହାକୁ ଡିଜାଇନ୍ କରାଯାଇଥିଲା । ତେବେ ସୂଚନା ଆଧାରରେ ପୁଲିସ ଗାଡ଼ିକୁ ଅଟକାଇ ଖୋଳତାଡ଼ କରିବା ପରେ ସମଗ୍ର ଘଟଣା ପଦାକୁ ଆସିଥିଲା ।
ଘଟଣାରେ ସମ୍ପୃକ୍ତ କଣ୍ଟେନରର ଡ୍ରାଇଭର ଓ ହେଲ୍ପରଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ଏହି ଗଞ୍ଜେଇ କେଉଁଠାରୁ ଆସିଥିଲା, କେଉଁ ସ୍ଥାନକୁ ଚାଲାଣ ହେଉଥିଲା ଏବଂ ଏହା ପଛରେ କାର୍ଯ୍ୟ କରୁଥିବା ସଂଗଠିତ ଚକ୍ରରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
ଏହି ସଫଳ ଅଭିଯାନରେ ବୌଦ୍ଧ ପୁଲିସ ସହ ହରଭଙ୍ଗା ତହସିଲଦାର ମଧ୍ୟ ସାମିଲ ହୋଇଥିଲେ । ଗଞ୍ଜେଇ ଚାଲାଣ ବିରୋଧରେ ପୁଲିସର ଏହି ସଫଳ କାର୍ଯ୍ୟାନୁଷ୍ଠାନ ନିଶା କାରବାରୀଙ୍କ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ବର୍ତ୍ତମାନ ଏହି ମାମଲାରେ ଅଧିକ ତଦନ୍ତ ଚାଲିଥିବା ବେଳେ ଗଞ୍ଜେଇ ଚାଲାଣର ସମ୍ପୂର୍ଣ୍ଣ ନେଟୱାର୍କର ପର୍ଦ୍ଦାଫାସ କରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି ।

