କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ୨୧ ହଜାର ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀଙ୍କୁ ମିଳିବ ବୋନସ୍

ନିୟୋକ୍ତା ବା କମ୍ପାନି ମାଲିକଙ୍କ ପାଇଁ ଏହି ବୋନସ୍‌ ଦେବା ବାଧ୍ୟତାମୂଳକ କରାଯାଇଛି । ତେବେ ଯେଉଁ କର୍ମଚାରୀଙ୍କ ଦରମା ୨୧,୦୦୦ ଟଙ୍କାରୁ ଅଧିକ, ସେମାନଙ୍କ କ୍ଷେତ୍ରରେ ଏହି ବୋନସ୍‌ ବାଧ୍ୟତାମୂଳକ ନୁହେଁ ।

କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦୁଇଟି ନୂଆ ବିଜ୍ଞପ୍ତି ଜାରି କରାଯାଇଛି । ନୂଆ ନିୟମ ଅନୁଯାୟୀ, ଏବେ ମାସିକ ୨୧,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା ସମସ୍ତ କର୍ମଚାରୀଙ୍କୁ ବୋନସ୍‌ର ଲାଭ ମିଳିବ । ନିୟୋକ୍ତା ବା କମ୍ପାନି ମାଲିକଙ୍କ ପାଇଁ ଏହି ବୋନସ୍‌ ଦେବା ବାଧ୍ୟତାମୂଳକ କରାଯାଇଛି । ତେବେ ଯେଉଁ କର୍ମଚାରୀଙ୍କ ଦରମା ୨୧,୦୦୦ ଟଙ୍କାରୁ ଅଧିକ, ସେମାନଙ୍କ କ୍ଷେତ୍ରରେ ଏହି ବୋନସ୍‌ ବାଧ୍ୟତାମୂଳକ ନୁହେଁ ।

‘ୱେଜ୍‌ କୋଡ୍‌ ୨୦୧୯’ ଅନୁଯାୟୀ, ବୋନସ୍ ପାଇବା ପାଇଁ ଜଣେ କର୍ମଚାରୀଙ୍କୁ ବର୍ଷକୁ ଅତିକମରେ ୩୦ ଦିନ କାମ କରିବା ଆବଶ୍ୟକ। ଯୋଗ୍ୟ କର୍ମଚାରୀଙ୍କୁ ସର୍ବନିମ୍ନ ୮.୩୩ ପ୍ରତିଶତରୁ ସର୍ବାଧିକ ୨୦ ପ୍ରତିଶତ ପର୍ଯ୍ୟନ୍ତ ବାର୍ଷିକ ବୋନସ୍‌ ମିଳିବ। ଏହି ବୋନସ୍‌ର ଗଣନା ମାସିକ ୭,୦୦୦ ଟଙ୍କା କିମ୍ବା ସମ୍ପୃକ୍ତ ରାଜ୍ୟର ସର୍ବନିମ୍ନ ମଜୁରୀ (ଯେଉଁଟି ଅଧିକ ଥିବ) ଆଧାରରେ କରାଯିବ ।

ଧରନ୍ତୁ, ଜଣେ କର୍ମଚାରୀଙ୍କ ମାସିକ ସର୍ବନିମ୍ନ ମଜୁରୀ ୧୨,୦୦୦ ଟଙ୍କା। ଏହି କ୍ଷେତ୍ରରେ ତାଙ୍କର ବାର୍ଷିକ ବୋନସ୍‌ ଗଣନା (୧୨,୦୦୦ × ୮.୩୩% × ୧୨) ଅନୁସାରେ ପ୍ରାୟ ୧୧,୯୯୫ ଟଙ୍କା ହେବ। ଯଦି କୌଣସି କର୍ମଚାରୀଙ୍କ ଦରମା ୧୫,୦୦୦ ଟଙ୍କା ହୋଇଥାଏ ଏବଂ ରାଜ୍ୟର ସର୍ବନିମ୍ନ ମଜୁରୀ ୧୦,୦୦୦ ଟଙ୍କା ଥାଏ, ତେବେ ୧୦,୦୦୦ ଟଙ୍କା ଆଧାରରେ ହିଁ ବୋନସ୍ ହିସାବ କରାଯିବ ।

କେବେ ମିଳିବ ଟଙ୍କା ?

ନିୟମ ଅନୁସାରେ, ଆର୍ଥିକ ବର୍ଷ ଶେଷ ହେବାର ୮ ମାସ ମଧ୍ୟରେ ବୋନସ୍ ରାଶି କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ପଡ଼ିବ। ଯଦି ନିୟୋକ୍ତା କୌଣସି ଯଥାର୍ଥ କାରଣ ଦର୍ଶାନ୍ତି, ତେବେ ଏହି ସମୟସୀମାକୁ ସର୍ବାଧିକ ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ପୂର୍ବର ‘ପେମେଣ୍ଟ ଅଫ୍ ବୋନସ୍ ଆକ୍ଟ, ୧୯୬୫’ରେ ମଧ୍ୟ ୮ ମାସର ସମୟସୀମା ଧାର୍ଯ୍ୟ କରାଯାଇଥିଲା। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ନିମ୍ନ ଓ ମଧ୍ୟମ ଆୟକାରୀ ବର୍ଗର ଲକ୍ଷ ଲକ୍ଷ ଶ୍ରମିକ ଉପକୃତ ହେବେ ।

Leave a Reply

Your email address will not be published. Required fields are marked *