ଇସ୍ରାଏଲ୍ ନିର୍ବାଚନରେ ନେତାନ୍ୟାହୁଙ୍କୁ କଡ଼ା ଟକ୍କର, ସରକାର ଗଠନ ନେଇ ବଢ଼ିଲା ଅନିଶ୍ଚିତତା

ପ୍ରାରମ୍ଭିକ ଭୋଟ୍ ଗଣତି ଓ ଏଗଜିଟ୍ ପୋଲ୍ ଆକଳନ ଅନୁଯାୟୀ, ଇସ୍ରାଏଲର ୧୨୦ ଆସନ ବିଶିଷ୍ଟ ସଂସଦ ‘କନେସେଟ୍’ରେ ନେତାନ୍ୟାହୁଙ୍କ ଦକ୍ଷିଣପନ୍ଥୀ ମେଣ୍ଟ ଏବଂ ବିରୋଧୀ ଗାଡି ଆଇଜେନକୋଟଙ୍କ ମେଣ୍ଟ ମଧ୍ୟରେ କଡ଼ା ମୁକାବିଲା ହୋଇଛି।

ଇସ୍ରାଏଲ୍ ରାଜନୀତିରେ ଏବେ ଜୋରଦାର ହଲଚଲ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ବଢ଼ିଥିବା ବେଳେ ନିର୍ବାଚନୀ ଲଢ଼େଇରେ ବିରୋଧୀ ମେଣ୍ଟ କଡ଼ା ଟକ୍କର ଦେଉଛି। ପ୍ରାରମ୍ଭିକ ଭୋଟ୍ ଗଣତି ଓ ଏଗଜିଟ୍ ପୋଲ୍ ଆକଳନ ଅନୁଯାୟୀ, ଇସ୍ରାଏଲର ୧୨୦ ଆସନ ବିଶିଷ୍ଟ ସଂସଦ ‘କନେସେଟ୍’ରେ ନେତାନ୍ୟାହୁଙ୍କ ଦକ୍ଷିଣପନ୍ଥୀ ମେଣ୍ଟ ଏବଂ ବିରୋଧୀ ଗାଡି ଆଇଜେନକୋଟଙ୍କ ମେଣ୍ଟ ମଧ୍ୟରେ କଡ଼ା ମୁକାବିଲା ହୋଇଛି। ଉଭୟ ପକ୍ଷ ପ୍ରାୟ ୫୧ଟି ଆସନ ହାସଲ କରିବା ସ୍ଥିତିରେ ଥିବାରୁ ସରକାର ଗଠନର ଚିତ୍ର ଅସ୍ପଷ୍ଟ ରହିଛି।

ପ୍ରାରମ୍ଭିକ ଗଣତି ଅନୁସାରେ, ନେତାନ୍ୟାହୁଙ୍କ ଲିକୁଡ୍ ପାର୍ଟି ୨୫.୩୪ ପ୍ରତିଶତ ଭୋଟ୍ ସହ ପ୍ରାୟ ୨୭ଟି ଆସନ ପାଇ ବୃହତ୍ତମ ଦଳ ଭବେ ଉଭା ହୋଇଛି। ଅନ୍ୟପଟେ ଗାଡି ଆଇଜେନକୋଟଙ୍କ ୟାଶାର୍ ପାର୍ଟି ୧୬.୬ ପ୍ରତିଶତ ଭୋଟ୍ ପାଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଆଗକୁ ଆସିଛି। ତେବେ ସବୁଠାରୁ ବଡ଼ ଦଳ ହେବା ସତ୍ତ୍ୱେ ନେତାନ୍ୟାହୁଙ୍କ ପାଇଁ ସରକାର ଗଠନ କରିବା ସହଜ ହେବ ନାହିଁ। କାରଣ, ସଂସଦରେ ସରକାର ଗଢ଼ିବା ପାଇଁ ଅତି କମ୍‌ରେ ୬୧ଟି ଆସନର ସମର୍ଥନ ଆବଶ୍ୟକ।

ଏହି ପରିସ୍ଥିତିରେ ନେତାନ୍ୟାହୁ ନିଜ ସମର୍ଥକଙ୍କୁ ସମ୍ବୋଧିତ କରି ଦେଶରେ ଏକ ଶକ୍ତିଶାଳୀ ଦକ୍ଷିଣପନ୍ଥୀ ଓ ଜାତୀୟତାବାଦୀ ସରକାର ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ଏଥିସହ ଆରବ ସମର୍ଥିତ ଦଳଗୁଡ଼ିକ ସହ ମେଣ୍ଟ କରିବାର ସମ୍ଭାବନାକୁ ସେ ଖାରଜ କରିଛନ୍ତି।

ଅନ୍ୟପକ୍ଷରେ, ବିରୋଧୀ ନେତା ଆଇଜେନକୋଟ୍ ଏଗଜିଟ୍ ପୋଲ୍‌କୁ ଆଧାର କରି ନେତାନ୍ୟାହୁଙ୍କ ନେତୃତ୍ୱ ପ୍ରତି ଜନସାଧାରଣଙ୍କ ଆସ୍ଥା ହ୍ରାସ ପାଇଥିବା ଦାବି କରିଛନ୍ତି। ଗାଜା, ଲେବାନନ୍ ଓ ଇରାନ୍ ସହ ସଂଘର୍ଷ ଏବଂ ଦେଶ ଭିତରେ ବଢ଼ୁଥିବା ରାଜନୈତିକ ଓ ସାମାଜିକ ଧ୍ରୁବୀକରଣ ଏହି ନିର୍ବାଚନକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଛି। ଦୀର୍ଘ ୧୭ ବର୍ଷର ଶାସନକାଳ ପରେ ନେତାନ୍ୟାହୁଙ୍କ ପାଇଁ ଏହି ନିର୍ବାଚନ ଏକ ବଡ଼ ରାଜନୈତିକ ପରୀକ୍ଷା ଭାବେ ଦେଖାଯାଉଛି। ଏବେ ସମସ୍ତଙ୍କ ନଜର ଚୂଡ଼ାନ୍ତ ଫଳାଫଳ ଉପରେ। ଭୋଟ୍ ଗଣତି ଶେଷ ହେବା ପରେ କେଉଁ ମେଣ୍ଟ ସରକାର ଗଠନ କରିବ ଏବଂ ନେତାନ୍ୟାହୁ କ୍ଷମତା ବଜାୟ ରଖିପାରିବେ କି ନାହିଁ, ତାହା ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *