ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଆଲୋଚନା କରି ବଦ୍ରିନାଥ ଅଭିଷେକଙ୍କ ବ୍ୟାଟିଂକୁ ଖୁବ୍ ପ୍ରଶଂସା କରିଛନ୍ତି । ତାଙ୍କ କହିବା କଥା, ଅଭିଷେକଙ୍କ ଚେହେରା ଯେତେ ସରଳ ଓ ଶାନ୍ତ ଦେଖାଯାଏ, ପାୱାରପ୍ଲେରେ ତାଙ୍କ ବ୍ୟାଟିଂ ସେତିକି ଭୟଙ୍କର ।
ଆନ୍ତର୍ଜାତୀୟ କ୍ରିକେଟରେ ଏବେ ଇଂଲଣ୍ଡର ଷ୍ଟାର ବ୍ୟାଟର ହ୍ୟାରି ବ୍ରୁକଙ୍କ ଦବଦବା ଦେଖିବାକୁ ମିଳୁଛି । ବିଶେଷ କରି ଟି-୨୦ କ୍ରିକେଟରେ ତାଙ୍କ ବ୍ୟାଟ୍ରୁ ଲଗାତାର ରନ୍ ବର୍ଷା ହେଉଛି । ତାଙ୍କ ଦମଦାର ବ୍ୟାଟିଂକୁ ଦେଖି ଇଂଲଣ୍ଡର ଗଣମାଧ୍ୟମ ତାଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଟି-୨୦ ବ୍ୟାଟର ବୋଲି କହୁଛି । କିନ୍ତୁ ଏହି ତୁଳନାକୁ ନେଇ ଭାରତର ପୂର୍ବତନ କ୍ରିକେଟର ଏସ୍. ବଦ୍ରିନାଥ ରଖିଛନ୍ତି ଭିନ୍ନ ମତ। ତାଙ୍କ କହିବା ଅନୁସାରେ, ହ୍ୟାରି ବ୍ରୁକ୍ ନୁହେଁ, ଟି-୨୦ କ୍ରିକେଟରେ ଅଭିଷେକ ଶର୍ମା ହିଁ ବିଶ୍ୱର ଏକ ନମ୍ବର ବ୍ୟାଟର ।
ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଆଲୋଚନା କରି ବଦ୍ରିନାଥ ଅଭିଷେକଙ୍କ ବ୍ୟାଟିଂକୁ ଖୁବ୍ ପ୍ରଶଂସା କରିଛନ୍ତି। ତାଙ୍କ କହିବା କଥା, ଅଭିଷେକଙ୍କ ଚେହେରା ଯେତେ ସରଳ ଓ ଶାନ୍ତ ଦେଖାଯାଏ, ପାୱାରପ୍ଲେରେ ତାଙ୍କ ବ୍ୟାଟିଂ ସେତିକି ଭୟଙ୍କର । ତାଙ୍କ ଆକ୍ରମଣାତ୍ମକ ଶୈଳୀ ବିପକ୍ଷ ବୋଲରଙ୍କ ମନରେ ଭୟ ସୃଷ୍ଟି କରିବାକୁ ଯଥେଷ୍ଟ । ବଦ୍ରିନାଥ ସ୍ପଷ୍ଟ ଭାବେ କହିଛନ୍ତି, ଇଂଲଣ୍ଡର ମିଡିଆ ହ୍ୟାରି ବ୍ରୁକଙ୍କୁ ଶ୍ରେଷ୍ଠ ବୋଲି କହିପାରେ । କିନ୍ତୁ ଟି-୨୦ରେ ଅଭିଷେକଙ୍କ ସହ ତାଙ୍କର ତୁଳନା କରିବା ଠିକ୍ ନୁହେଁ । ଅଭିଷେକଙ୍କ ପ୍ରଦର୍ଶନ ଓ ପରିସଂଖ୍ୟାନ ହିଁ ତାଙ୍କୁ ଶ୍ରେଷ୍ଠ ପ୍ରମାଣିତ କରୁଛି ।
ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ରେ ଅଭିଷେକ ଶର୍ମାଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଥିଲା ଧମାକାଦାର ଶତକ । ୧୯୯ ରନ୍ର ବିଶାଳ ଟାର୍ଗେଟକୁ ପିଛା କରି ଅଭିଷେକ ନିଜର ବିସ୍ଫୋରକ ବ୍ୟାଟିଂରେ ବୋଲରଙ୍କ ନିଦ ହଜାଇ ଦେଇଥିଲେ । ଏହି ଇନିଂସ ପରେ ସେ ପୁଣି ଥରେ ଆଇସିସି ଟି-୨୦ ବ୍ୟାଟର ରାଙ୍କିଂର ଶୀର୍ଷ ସ୍ଥାନ ଦଖଲ କରିଥିଲେ । ଏହାସହ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟର ଭାବେ ବିରାଟ କୋହଲିଙ୍କୁ ମଧ୍ୟ ପଛରେ ପକାଇଥିଲେ ।
କେବଳ ଅଭିଷେକଙ୍କ ପ୍ରଶଂସା ନୁହେଁ, ଟିମ୍ ଇଣ୍ଡିଆର ଓପନିଂ ଯୋଡ଼ିକୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ଉଠାଇଛନ୍ତି ବଦ୍ରିନାଥ । ଆଇପିଏଲ୍ ପରେ ଆୟରଲାଣ୍ଡ ଗସ୍ତରୁ ଦଳରେ ସାମିଲ ହୋଇଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ଅଭିଷେକଙ୍କ ସହ ଓପନିଂ କରୁଥିବା ଦେଖି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।ତାଙ୍କ ପ୍ରଶ୍ନ ହେଉଛି, ଭାରତ ପାଇଁ ଓପନିଂ କିଏ କରିବେ ? ବୈଭବ ସୂର୍ଯ୍ୟବଂଶୀ ନା ସଞ୍ଜୁ ସାମସନ୍ ? ସଞ୍ଜୁଙ୍କୁ ତିନି ନମ୍ବରରେ ଖେଳାଇବା ଠିକ୍ ନୁହେଁ ବୋଲି ସେ ମତ ଦେଇଛନ୍ତି । ବାରମ୍ବାର ଓପନିଂ ଯୋଡ଼ି ବଦଳାଇବା ବଦଳରେ ଟିମ୍ ମ୍ୟାନେଜମେଣ୍ଟ ଗୋଟିଏ ଯୋଜନା ଉପରେ ସ୍ଥିର ରହିବା ଆବଶ୍ୟକ ବୋଲି ବଦ୍ରିନାଥ କହିଛନ୍ତି । ତେବେ ଅଭିଷେକଙ୍କ ଦମଦାର ଫର୍ମ ଭାରତୀୟ ଦଳ ପାଇଁ ବଡ଼ ଶକ୍ତି ହୋଇଥିବା ବେଳେ ଓପନିଂ ଯୋଡ଼ିକୁ ନେଇ ଏହି ଚର୍ଚ୍ଚା ଏବେ କ୍ରିକେଟ ମହଲରେ ଜୋର ଧରିଛି ।

