ଗାଁ ଭିତରୁ ଛାଡୁଛି ପାଣି, କମୁନି ଦୁର୍ଦ୍ଦଶା : ଯନ୍ତ୍ରଣା ଅସହ୍ୟରେ ଗଞ୍ଜାମ

ବନ୍ୟା ବିତ୍ପାତ ପରେ ବିପନ୍ନଙ୍କ ଯନ୍ତ୍ରଣାର ସୀମା ନାହିଁ । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଜୀବନଯାତ୍ରା କେବେ ସ୍ୱାଭାବିକ ହେବ ଜଣାନାହିଁ । ଘରଦ୍ୱାର ଭାଙ୍ଗି ଯାଇଛି, ଆସବାବପତ୍ର ଓ ଖାଦ୍ୟସାମଗ୍ରୀ ବତୁରି ଯାଇଛି

ବନ୍ୟା ବିତ୍ପାତ ପରେ ବିପନ୍ନଙ୍କ ଯନ୍ତ୍ରଣାର ସୀମା ନାହିଁ । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଜୀବନଯାତ୍ରା କେବେ ସ୍ୱାଭାବିକ ହେବ ଜଣାନାହିଁ । ଘରଦ୍ୱାର ଭାଙ୍ଗି ଯାଇଛି, ଆସବାବପତ୍ର ଓ ଖାଦ୍ୟସାମଗ୍ରୀ ବତୁରି ଯାଇଛି । ସ୍ଥିତି ଏମିତି ଯେ, ଲୋକ ତ୍ରାହି ତ୍ରାହି ଡାକିଲେଣି, ଗୁମୁରି ଗୁମୁରି କାନ୍ଦିଲେଣି ।… 

ଘର ଭିତର ଓଦା… ଆସବାବପତ୍ର, ଚାଉଳବସ୍ତା, ବହିପତ୍ର.. ସବୁ ଓଦା ଓଦା… ଆଉ ବିପନ୍ନଙ୍କ ଆଖି ବି ଓଦା… ।  ଆଶ୍ରୟସ୍ଥଳରୁ ଘରକୁ ଫେରିବା ପରେ କୋହ ରୋକିପାରୁନାହାନ୍ତି ବନ୍ୟା ବିପନ୍ନ । ଇଏ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଦୃଶ୍ୟ । ଗଞ୍ଜାମ ଜିଲ୍ଲାର ଶହ ଶହ ଗାଁରେ ଖାଲି ଘର ଦ୍ୱାର ଭାଙ୍ଗିନି, ଘର ଭିତର ବି ଛାରଖାର କରିଦେଇଛି ବନ୍ୟା । ଏବେ କିଏ ଘରେ ଜମି ଥିବା ମାଟି କାଦୁଅକୁ ସଫା କରୁଛି, ଆଉ କିଏ ଶୁଖାଉଛି ବହି ବସ୍ତାନି । ପୁରୁଷୋତ୍ତମପୁର, ଶେରଗଡ଼ ଆଦି ଅଞ୍ଚଳରେ ବି ଅତି ବିକଳ ଚିତ୍ର । ରାସ୍ତା ଉପରେ ୨ ଫୁଟ ପାଣି । ନିଷ୍କାସନ ହେବାର ନାଁ ଧରୁନି । ଋଷିକୁଲ୍ୟାରେ ଘାଇ ହେବା ପରେ ଆଛୁଲି ଗାଁରେ ପଶିଥିଲା ବନ୍ୟାଜଳ । ଏବେ ପାଣି କମୁଛି, ହେଲେ ଛାଡ଼ିଯାଇଛି ଦୁର୍ଦ୍ଦଶାର ଦାରୁଣ ଚିହ୍ନ ।…
ଗଜପତି ଜିଲ୍ଲାର ସ୍ଥିତି ବି ତଦ୍ରୁପ । ମୋହନା ସହରକୁ ସଂଯୋଗ କରୁଥିବା ଖାରୀଗୁଡ଼ା, ଲେକାପଦର, ହୁଏରୀ ଓ ଗଣ୍ଡାପଦର ଗାଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ । ଲଗାଣ ବର୍ଷାରେ କଲଭର୍ଟ ଧୋଇ ଯିବା ପରେ ଯାତାୟାତ ଠପ୍ । ଦୁର୍ଦ୍ଦଶା ଭୋଗୁଛନ୍ତି ଚାରି ଚାରିଟି ଗାଁର ଲୋକ। ସେପଟେ ମହେନ୍ଦ୍ର ତନୟା ନଦୀରେ ରାୟଗଡ଼ ବ୍ଲକ୍ ଜିରାଙ୍ଗ ଗାଁର ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ଗାଧୋଇବାକୁ ଯାଇଥିବା ପୀତାମ୍ୱର ବାରିକଙ୍କ ପତ୍ତା ମିଳୁନି । କେବଳ ଅଛି ତ ନଦୀ ପାହାଚ ଉପରେ ତାଙ୍କ ଗାମୁଛା ଓ ଚପଲ । ସେପଟେ ମୋହନା ସହରରେ ଦେଖାଦେଇଛି ପାନୀୟ ଜଳ ସଂକଟ । ପମ୍ପ ହାଉସ ଓ ୨ଟି ଇନ୍‌ଟେକ୍ ପାଣି ଟାଙ୍କି ସମ୍ପୂର୍ଣ୍ଣ ବୁଡ଼ିଯାଇଥିଲା । ଫଳରେ ୪ ଦିନ ହେଲା ଜଳଯୋଗାଣ ଠପ୍‌ ପଡ଼ିଛି ।…
ବନ୍ୟା ସଂକଟ ବେଳେ ଲୋକଙ୍କ ପାଖରେ ଶୁଖିଲା ଖାଦ୍ୟ ଓ ଜରୁରୀ ସାମଗ୍ରୀ ପହଞ୍ଚାଇବାକୁ ଅଣ୍ଟା ଭିଡ଼ିଛି ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା । ହେଲିକପ୍ଟରରେ ଆକାଶମାର୍ଗରୁ ଜଳବନ୍ଦୀ ଲୋକଙ୍କୁ ରିଲିଫ ବଣ୍ଟନ କରାଯାଉଛି । 

Leave a Reply

Your email address will not be published. Required fields are marked *