ସ୍ପେନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୩୯ ମୃତ, ଅନେକ ଗୁରୁତର

ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଆହତ ଯାତ୍ରୀଙ୍କୁ ଆଶ୍ରୟ ଓ ଚିକିତ୍ସା ଯୋଗାଇବା ପାଇଁ ଉର୍ଡା ସହରର ଏକ ଇନଡୋର୍ ଷ୍ଟାଡିୟମ୍‌କୁ ଜରୁରୀକାଳୀନ କେନ୍ଦ୍ରରେ ପରିଣତ କରାଯାଇଛି।

ସ୍ପେନରେ ଘଟିଛି ଭୟଙ୍କର ରେଳ ଦୁର୍ଘଟଣା। ଦୁଇଟି ଦ୍ରୁତଗାମୀ ଟ୍ରେନ୍ ମଧ୍ୟରେ ଧକ୍କା ହେବା ଫଳରେ ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ ସମ୍ପୃକ୍ତ ରେଳପଥରେ ଟ୍ରେନ୍ ଚଳାଚଳ ବନ୍ଦ ରଖାଯାଇଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ବ୍ୟବସ୍ଥା କରିଛନ୍ତି।

ସୂଚନା ଅନୁଯାୟୀ, ବୁଧବାର ସ୍ଥାନୀୟ ସମୟ ସକାଳ ପ୍ରାୟ ୯ଟାରେ ଟୋଲେଡୋ ପ୍ରଦେଶର ମୋରା ଏବଂ ଓର୍ଗାଜ୍ ସହର ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ମାଦ୍ରିଦ୍‌ରୁ ସେଭିଲ୍ ଯାଉଥିବା ରେନଫେ ଏବଂ ଇରିଓ କମ୍ପାନୀର ଦୁଇଟି ହାଇସ୍ପିଡ୍ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା। ଏହାର ପ୍ରଭାବରେ ଇରିଓ ଟ୍ରେନ୍‌ର ଦୁଇଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଦୁର୍ଘଟଣା ପରେ ରେଳ ଚଳାଚଳ ସଂସ୍ଥା ଆଡିଫ୍ ପକ୍ଷରୁ ଉକ୍ତ ରୁଟ୍‌ରେ ସମସ୍ତ ଟ୍ରେନ୍ ଚଳାଚଳ ସ୍ଥଗିତ ରଖାଯାଇଥିବା ସୂଚନା ଦିଆଯାଇଛି।

ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଆହତ ଯାତ୍ରୀଙ୍କୁ ଆଶ୍ରୟ ଓ ଚିକିତ୍ସା ଯୋଗାଇବା ପାଇଁ ଉର୍ଡା ସହରର ଏକ ଇନଡୋର୍ ଷ୍ଟାଡିୟମ୍‌କୁ ଜରୁରୀକାଳୀନ କେନ୍ଦ୍ରରେ ପରିଣତ କରାଯାଇଛି। ଦୁର୍ଘଟଣାର ଖବର ପାଇ ସ୍ପେନ୍‌ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଓ ଆହତଙ୍କ ପ୍ରତି ସେ ସମବେଦନା ଜଣାଇବା ସହ ନିଜର ସମସ୍ତ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ କରିଛନ୍ତି। ସେହିପରି ବିରୋଧୀ ପୀପୁଲ୍ସ ପାର୍ଟି ମଧ୍ୟ ନିଜର ନିର୍ବାଚନୀ କାର୍ଯ୍ୟକ୍ରମ ସ୍ଥଗିତ ରଖିଛି।

ଅନ୍ୟପଟେ, ମାତ୍ର ୯ ମାସ ପୂର୍ବରୁ ଜାନୁଆରୀ ମାସରେ ଆଦାମୁଜ୍ ନିକଟରେ ଘଟିଥିବା ଏକ ଭୟଙ୍କର ରେଳ ଦୁର୍ଘଟଣାରେ ୪୬ ଜଣଙ୍କ ଜୀବନ ଯାଇଥିଲା। ପୁଣି ସମାନ ରେଳପଥରେ ଏଭଳି ଦୁର୍ଘଟଣା ଘଟିବା ପରେ ଦେଶର ରେଳ ସୁରକ୍ଷା ବ୍ୟବସ୍ଥା ଓ ଭିତ୍ତିଭୂମିକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଓ ଉଦ୍ଧାର କାର୍ଯ୍ୟ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *