ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କ୍ରିକେଟ୍ ପରାମର୍ଶଦାତା କମିଟିର ସଦସ୍ୟ ଅଶୋକ ମଲହୋତ୍ରା ଓ ଜତିନ ପରାଞ୍ଜପେ ନୂଆ ସଦସ୍ୟ ଚୟନ ପ୍ରକ୍ରିୟା ଶେଷ କରିଥିଲେ।
ଭାରତୀୟ କ୍ରିକେଟ୍ରେ ବଡ଼ ପରିବର୍ତ୍ତନ। ପୁରୁଷ କ୍ରିକେଟ୍ ଦଳର ଚୟନ କମିଟିରେ ହୋଇଛି ଅଦଳବଦଳ। ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ଚୟନ କମିଟିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି। ସେ ଅଜିତ ଅଗରକରଙ୍କ ସ୍ଥାନ ନେବେ। ନିଜ ଖେଳ ଜୀବନରେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିବାର ଅଭିଜ୍ଞତା ଓ ବରିଷ୍ଠତା ଆଧାରରେ ଓଝାଙ୍କୁ ଏହି ଦାୟିତ୍ୱ ମିଳିଥିବା କୁହାଯାଇଛି।
ଏହା ସହିତ ପୂର୍ବତନ ଭାରତୀୟ କ୍ରିକେଟର ରମେଶ ପାୱାରଙ୍କୁ ମଧ୍ୟ ଚୟନ କମିଟିର ନୂଆ ସଦସ୍ୟ ଭାବେ ସାମିଲ କରାଯାଇଛି। ଭାରତୀୟ କ୍ରିକେଟ୍ରେ ଅଭିଜ୍ଞତା ରଖିଥିବା ପାୱାର ଖେଳାଳି ଭାବେ ନିଜର ଦକ୍ଷତା ଦେଖାଇବା ସହ ପ୍ରଶିକ୍ଷକ ଭାବେ ମଧ୍ୟ ସଫଳତା ହାସଲ କରିଛନ୍ତି।
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କ୍ରିକେଟ୍ ପରାମର୍ଶଦାତା କମିଟିର ସଦସ୍ୟ ଅଶୋକ ମଲହୋତ୍ରା ଓ ଜତିନ ପରାଞ୍ଜପେ ନୂଆ ସଦସ୍ୟ ଚୟନ ପ୍ରକ୍ରିୟା ଶେଷ କରିଥିଲେ। ଆବେଦନକାରୀଙ୍କ ସାକ୍ଷାତକାର ଓ ଯାଞ୍ଚ ପରେ ରମେଶ ପାୱାରଙ୍କ ନାମକୁ ସର୍ବସମ୍ମତିକ୍ରମେ ସୁପାରିସ କରାଯାଇଥିଲା।
ରମେଶ ପାୱାର ନିଜ ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନରେ ଭାରତ ପାଇଁ ୨ଟି ଟେଷ୍ଟ ଓ ୩୧ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଅବସର ପରେ ସେ ଭାରତୀୟ ମହିଳା କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ଏହାବ୍ୟତୀତ ମୁମ୍ବାଇ ଓ ଗୁଜରାଟ ଦଳକୁ ମଧ୍ୟ ପ୍ରଶିକ୍ଷଣ ଦେଇଛନ୍ତି। ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସରେ ବୋଲିଂ ପ୍ରଶିକ୍ଷକ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି।
ଅନ୍ୟପଟେ, ବିସିସିଆଇ ଅଜିତ ଅଗରକରଙ୍କ କାର୍ଯ୍ୟକାଳର ପ୍ରଶଂସା କରିଛି। ୨୦୨୩ ଜୁଲାଇରେ ଚୟନ କମିଟିର ଅଧ୍ୟକ୍ଷ ଦାୟିତ୍ୱ ନେଇଥିବା ଅଗରକରଙ୍କ ସମୟରେ ଭାରତ ତିନୋଟି ଆଇସିସି ଟ୍ରଫି, ଦୁଇଟି ଏସିଆ କପ୍ ଏବଂ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଉଲ୍ଲେଖ କରାଯାଇଛି।
ନୂଆ ପୁରୁଷ ଚୟନ କମିଟି:
• ପ୍ରଜ୍ଞାନ ଓଝା – ଅଧ୍ୟକ୍ଷ
• ଶିବ ସୁନ୍ଦର ଦାସ – ସଦସ୍ୟ
• ଆର୍ପି ସିଂହ – ସଦସ୍ୟ
• ଅଜୟ ରାତ୍ରା – ସଦସ୍ୟ
• ରମେଶ ପାୱାର – ସଦସ୍ୟ

