ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏଲନ୍ ମସ୍କ ଏହି ପ୍ରସ୍ତାବ ସମ୍ପର୍କରେ ଏକ ପୋଷ୍ଟ କରିଛନ୍ତି। ଆସନ୍ତା ବର୍ଷ ଆମେରିକାର ପ୍ରତ୍ୟେକ ପିଲାଙ୍କୁ ନିଜର ସ୍ପେସ୍ଏକ୍ସ ଶେୟାରରୁ ଗୋଟିଏ ଲେଖାଏଁ ଦେବେ ବୋଲି ସେ କହିଛନ୍ତି।
ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ଏକ ବଡ଼ ଘୋଷଣାକୁ ନେଇ ଏବେ ଚର୍ଚ୍ଚା। ଆମେରିକାର ପ୍ରତ୍ୟେକ ପିଲାଙ୍କୁ ନିଜର ମହାକାଶ ଗବେଷଣା କମ୍ପାନୀ ସ୍ପେସ୍ଏକ୍ସର ଗୋଟିଏ ଲେଖାଏଁ ଶେୟାର ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଏହା ବ୍ୟକ୍ତିଗତ ଭାବେ ଶେୟାର ଉପହାର ଦେବାର ସବୁଠାରୁ ବଡ଼ ପଦକ୍ଷେପ ମଧ୍ୟରୁ ଗୋଟିଏ ହୋଇପାରେ। ତେବେ ଏହି ଯୋଜନା ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ଏବଂ କେମିତି ପିଲାଙ୍କୁ ମିଳିବ ଶେୟାର?
ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏଲନ୍ ମସ୍କ ଏହି ପ୍ରସ୍ତାବ ସମ୍ପର୍କରେ ଏକ ପୋଷ୍ଟ କରିଛନ୍ତି। ଆସନ୍ତା ବର୍ଷ ଆମେରିକାର ପ୍ରତ୍ୟେକ ପିଲାଙ୍କୁ ନିଜର ସ୍ପେସ୍ଏକ୍ସ ଶେୟାରରୁ ଗୋଟିଏ ଲେଖାଏଁ ଦେବେ ବୋଲି ସେ କହିଛନ୍ତି। ତେବେ ଏହି ଶେୟାର କିପରି ବଣ୍ଟନ ହେବ, ପିଲାଙ୍କ ନାଁରେ ସିଧାସଳଖ ହସ୍ତାନ୍ତର କରାଯିବ ନା କୌଣସି ନିବେଶ ଖାତାରେ ରଖାଯିବ, ସେନେଇ ସେ ସ୍ପଷ୍ଟ କରିନାହାନ୍ତି।
ରିପୋର୍ଟ ଅନୁସାରେ, ଆମେରିକାରେ ୧୮ ବର୍ଷରୁ କମ୍ ବୟସର ପ୍ରାୟ ୭.୨ କୋଟି ପିଲା ଅଛନ୍ତି। ଯଦି ପ୍ରତ୍ୟେକ ପିଲାଙ୍କୁ ଗୋଟିଏ ଲେଖାଏଁ ଶେୟାର ଦିଆଯାଏ, ତେବେ ମୋଟ ୭.୨ କୋଟି ଶେୟାର ଆବଶ୍ୟକ ହେବ। ପ୍ରତି ଶେୟାରର ଆନୁମାନିକ ମୂଲ୍ୟ ୧୪୬ ଡଲାର ହିସାବରେ ଏହାର ମୋଟ ମୂଲ୍ୟ ପ୍ରାୟ ୧୦.୫ ବିଲିୟନ ଡଲାର ହେବ। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୯୯ ହଜାର କୋଟି ଟଙ୍କାରୁ ଅଧିକ। ତେବେ ଶେୟାରର ପ୍ରକୃତ ମୂଲ୍ୟ ଏବଂ ପିଲାଙ୍କ ସଂଖ୍ୟା ଅନୁସାରେ ଏହି ହିସାବ ବଦଳିପାରେ।
ଏହି ଶେୟାର ବଣ୍ଟନ ଆମେରିକାର ଟ୍ରମ୍ପ ଆକାଉଣ୍ଟସ୍ ଯୋଜନା ସହ ଯୋଡ଼ି ହୋଇପାରେ ବୋଲି ରିପୋର୍ଟରେ ସମ୍ଭାବନା ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ୨୦୨୫ରୁ ୨୦୨୮ ମଧ୍ୟରେ ଜନ୍ମ ନେଇଥିବା ଯୋଗ୍ୟ ପିଲାଙ୍କ ପାଇଁ ୧,୦୦୦ ଡଲାରର ପ୍ରାରମ୍ଭିକ ସରକାରୀ ଅନୁଦାନ ରହିଛି। ତେବେ ମସ୍କ ଏହି ଯୋଜନା ସହ ତାଙ୍କ ପ୍ରସ୍ତାବକୁ ଯୋଡ଼ିବା ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।
ଅନ୍ୟପଟେ, ସ୍ପେସ୍ଏକ୍ସର ଅଧ୍ୟକ୍ଷା ଗ୍ୱିନ୍ ସଟୱେଲ୍ ଏବଂ ତାଙ୍କ ସ୍ୱାମୀ ମଧ୍ୟ ୨୦ ଲକ୍ଷରୁ ଅଧିକ ଆମେରିକୀୟ ପିଲାଙ୍କୁ କମ୍ପାନୀର ଶେୟାର ଦେବାକୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। ସେପଟେ ଏଆଇ କମ୍ପାନୀ ଆନ୍ଥ୍ରୋପିକ୍ ମଧ୍ୟ ନିଜ ଶେୟାରର ୫ ପ୍ରତିଶତ ଏକ ନୂଆ ପବ୍ଲିକ୍ ବେନିଫିଟ୍ ଫଣ୍ଡରେ ନିବେଶ କରିବାକୁ ପ୍ରସ୍ତାବ ଦେଇଛି। ଏବେ ମସ୍କଙ୍କ ଏହି ଘୋଷଣା ବାସ୍ତବ ରୂପ ନେଉଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର।

