ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ଅକ୍ଟୋବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ ଟସ୍କ । ଏହି ଗସ୍ତକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ଓ ରଣନୈତିକ ସମ୍ପର୍କ ଆହୁରି ମଜଭୁତ ହେବା ନେଇ ଆଶା କରାଯାଉଛି ।
ଦୀର୍ଘ ୧୬ ବର୍ଷ ପରେ ଭାରତ ଗସ୍ତରେ ଆସୁଛନ୍ତି ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ଅକ୍ଟୋବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ ଟସ୍କ । ଏହି ଗସ୍ତକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ଓ ରଣନୈତିକ ସମ୍ପର୍କ ଆହୁରି ମଜଭୁତ ହେବା ନେଇ ଆଶା କରାଯାଉଛି । ଅନ୍ୟପଟେ ଆତଙ୍କବାଦ ପ୍ରସଙ୍ଗରେ ପୋଲାଣ୍ଡ ଭାରତକୁ ଦୃଢ଼ ସମର୍ଥନ ଦେବ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛି । ଯାହା ପାକିସ୍ତାନ ପାଇଁ କୂଟନୈତିକ ଚାପ ବଢ଼ାଇପାରେ ।
୨୨ ତାରିଖରେ ମୋଦୀ-ଟସ୍କ ଦ୍ୱିପାକ୍ଷିକ ଆଲୋଚନା
ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ସେହି ଦେଶର ଅର୍ଥ ଓ ଅର୍ଥନୀତି ମନ୍ତ୍ରୀ ଆନ୍ଦ୍ରେଜ ଡୋମାନସ୍କି ଏବଂ ଏକ ବଡ଼ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ଭାରତ ଆସିବେ। ଅକ୍ଟୋବର ୨୨ ତାରିଖରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଡୋନାଲ୍ଡ ଟସ୍କଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ଏହି ବୈଠକରେ ଅଗଷ୍ଟ ୨୦୨୪ରେ ମୋଦୀଙ୍କ ପୋଲାଣ୍ଡ ଗସ୍ତ ପରେ ଦୁଇ ଦେଶର ରଣନୈତିକ ସହଭାଗିତାରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯିବ । ଏଥିସହ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା, ନୂଆ ପ୍ରଯୁକ୍ତିବିଦ୍ୟା, ଅକ୍ଷୟ ଶକ୍ତି, ଶିକ୍ଷା ଓ ସଂସ୍କୃତି ଭଳି କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ଆଲୋଚନା ହେବ। ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମଧ୍ୟ ଉଭୟ ନେତା ନିଜ ନିଜର ମତ ରଖିବେ ।
ବେଙ୍ଗାଲୁରୁ ଯିବେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ
ଭାରତ ଗସ୍ତ ସମୟରେ ଡୋନାଲ୍ଡ ଟସ୍କ ବେଙ୍ଗାଲୁରୁ ମଧ୍ୟ ଯିବେ। ସେଠାରେ ଆଇଟି ଓ ମହାକାଶ କ୍ଷେତ୍ର ସହ ଜଡ଼ିତ ବ୍ୟବସାୟିକ ପ୍ରତିନିଧିଙ୍କ ସହ ତାଙ୍କର ଆଲୋଚନା କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ୨୨ରେ ନୂଆଦିଲ୍ଲୀ ଏବଂ ଅକ୍ଟୋବର ୨୩ରେ ବେଙ୍ଗାଲୁରୁରେ ଭାରତ-ପୋଲାଣ୍ଡ ବ୍ୟବସାୟ ଫୋରମ୍ ଆୟୋଜନ କରାଯିବ। ଏହାଦ୍ୱାରା ଦୁଇ ଦେଶର ଶିଳ୍ପ ଓ ବ୍ୟବସାୟିକ ସଂସ୍ଥା ମଧ୍ୟରେ ସହଯୋଗ ଏବଂ ନିବେଶର ନୂଆ ସୁଯୋଗ ସୃଷ୍ଟି ହେବା ଆଶା ରହିଛି ।
ଆତଙ୍କବାଦ ପ୍ରସଙ୍ଗରେ ଭାରତ ସହ ରହିବ ପୋଲାଣ୍ଡ
ଆତଙ୍କବାଦ ପ୍ରସଙ୍ଗରେ ପୋଲାଣ୍ଡ ପୂର୍ବରୁ ଭାରତକୁ ସମର୍ଥନ ଦେବା କଥା କହିଛି। ଗତ ଅଗଷ୍ଟରେ ଭାରତରେ ପୋଲାଣ୍ଡର ରାଷ୍ଟ୍ରଦୂତ ପିଓତ୍ର ଆଣ୍ଟୋନି ସ୍ୱିତାଲସ୍କି କହିଥିଲେ ଯେ, ଆତଙ୍କବାଦ ପ୍ରସଙ୍ଗ ଉଠିଲେ ପୋଲାଣ୍ଡ ଭାରତ ସହ ଦୃଢ଼ ଭାବେ ଠିଆ ହେବ । ତାଙ୍କ କହିବା ଅନୁସାରେ, ଭାରତ ଭଳି ପୋଲାଣ୍ଡ ମଧ୍ୟ ଆତଙ୍କବାଦର ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି । ତେଣୁ ଏହି ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ସହଯୋଗ ଗୁରୁତ୍ୱପୂର୍ଣ୍ଣ ।
୪୫ ବର୍ଷ ପରେ ହୋଇଥିଲା ମୋଦୀଙ୍କ ପୋଲାଣ୍ଡ ଗସ୍ତ
୨୦୨୪ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ପୋଲାଣ୍ଡ ଗସ୍ତ କରିଥିଲେ । ଦୀର୍ଘ ୪୫ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ପୋଲାଣ୍ଡ ଗସ୍ତ କରିଥିଲେ। ଏହି ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ରଣନୈତିକ ସହଭାଗିତାର ସ୍ତରକୁ ଉନ୍ନୀତ କରାଯାଇଥିଲା । ଡୋନାଲ୍ଡ ଟସ୍କ ଶେଷ ଥର ପାଇଁ ୨୦୧୦ରେ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଭାରତକୁ ଆନୁଷ୍ଠାନିକ ଗସ୍ତ କରିଥିଲେ । ୨୦୧୭ରେ ସେ ନୂଆଦିଲ୍ଲୀ ଆସିଥିଲେ ମଧ୍ୟ ସେତେବେଳେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଭାବେ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ ।

