କୁନିକୁନି ପିଲାଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଶିକ୍ଷା ପାଇଁ ଗାଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଇଛି । ହେଲେ କେତେକ ସ୍ଥାନରେ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ କୋଠା ନାହିଁ ତ’ ଆଉ କେଉଁଠି ବିପଜ୍ଜନକ ଅବସ୍ଥାରେ ପିଲାଏ ପାଠ ପଢ଼ୁଛନ୍ତି
କୁନିକୁନି ପିଲାଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଶିକ୍ଷା ପାଇଁ ଗାଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଇଛି । ହେଲେ କେତେକ ସ୍ଥାନରେ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ କୋଠା ନାହିଁ ତ’ ଆଉ କେଉଁଠି ବିପଜ୍ଜନକ ଅବସ୍ଥାରେ ପିଲାଏ ପାଠ ପଢ଼ୁଛନ୍ତି । ଏନେଇ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଗ୍ରାମବାସୀ ଫେରାଦ ହେବା ପରେ ମଧ୍ୟ କୌଣସି ସୁଫଳ ମିଳିପାରୁନି।
ବଲାଙ୍ଗିର ପୁଇଁତଳା ବ୍ଳକ ହେଡର୍କ୍ବାଟର ଠାରୁ ୨କିମି ଦୂରରେ ରହିଛି କାଲସାଏପାଲି ଗାଁର ଅଙ୍ଗନବାଡ଼ି କେନ୍ଦ୍ର ।
କେନ୍ଦ୍ର କହିଲେ କୋଠାବାଡ଼ି କିଛି ନାହିଁ । କାଲସାଏପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ଏକ ଜରାଜୀର୍ଣ୍ଣ ରୋଷେଇ ଘରେ ପିଲାଙ୍କୁ ଏକାଠି କରି ପଢ଼ାନ୍ତି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା । ଛାତ ଉପରୁ ସିମେଣ୍ଟ ଅତଡ଼ା ଖସୁଛି। କୋଠା ଆଖପାଖରେ ପାଣି ଜମି ରହୁଥିବାରୁ ଝରକା ପଟେ ବିଷାକ୍ତ ସାପ ମଧ୍ୟ ପଶି ଆସୁଥିବା ଅଭିଯୋଗ ହେଉଛି। ବର୍ଷ ବର୍ଷ ଧରି ବିପଦସଙ୍କୁଳ ପରିବେଶରେ ପାଠ ପଢ଼ୁଛନ୍ତି କୁନିକୁନି ପିଲା। ଏନେଇ ବିଭାଗୀୟ ଅଧିକାରୀ ଏବଂ ପୁଇଁତଳା ବିଡିଓଙ୍କୁ ଲିଖିତ ଅଭିଯୋଗ ପରେ ବି କିଛି ସୁଫଳ ମିଳୁନି । ଶେଷରେ ବାଧ୍ୟ ହୋଇ ଲୋକେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣିର ଦ୍ୱାରସ୍ଥ ହୋଇଛନ୍ତି ।
ଜନଶୁଣାଣିରେ ଅଭିଯୋଗ ପରେ, ସିଡିପିଓ ଘଟଣାସ୍ଥଳକୁ ଆସି ତଥ୍ୟ ସଂଗ୍ରହ କରିଛନ୍ତି । ସ୍କୁଲ ରୋଷେଇ ଘର ପରିବର୍ତ୍ତେ ଶ୍ରେଣୀଗୃହରେ ସକାଳ ୭ଟାରୁ ୯ଟା ୩୦ ଯାଏଁ ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହା କ’ଣ ସ୍ଥାୟୀ ସମାଧାନ? ସୂଚନା ଅନୁସାରେ, ଅଙ୍ଗନବାଡ଼ି କେନ୍ଦ୍ରର କୋଠା ନିର୍ମାଣ ପାଇଁ ସରକାର ଅର୍ଥ ଯୋଗାଇ ଦେଇଛନ୍ତି । ଜାଗା ମଧ୍ୟ ଚିହ୍ନଟ ସରିଛି । କିନ୍ତୁ ଦୀର୍ଘ ବର୍ଷ ହେବ କୋଠା ନିର୍ମାଣ ଆରମ୍ଭ ହୋଇପାରୁନି। ବର୍ଷା ଦିନେ କିମ୍ବା ସ୍କୁଲର କୌଣସି କାର୍ଯ୍ୟକ୍ରମ ରହିଲେ ଅଙ୍ଗନବାଡ଼ି ପିଲାଙ୍କର ମଧ୍ୟ ଛୁଟି ରହୁଛି । କାଲସାଏପାଲିର ଏହି ଚିତ୍ର କେବଳ ଗୋଟିଏ ଗାଁର ନୁହେଁ, ବରଂ ବଲାଙ୍ଗୀରର ଅନେକ ଅଙ୍ଗନବାଡ଼ି କେନ୍ଦ୍ରର ବାସ୍ତବ ସ୍ଥିତିକୁ ପଦାରେ ପକାଇଛି । କାଗଜପତ୍ରରେ ଯୋଜନା ଓ ଅର୍ଥ ଆବଣ୍ଟନ ହୋଇଥିଲେ ମଧ୍ୟ ପ୍ରଶାସନ ର ଶିଥିଳତା ଯୋଗୁଁ କୁନିକୁନି ପିଲାଙ୍କ ଭବିଷ୍ୟତ ବିପଦ ମଧ୍ୟକୁ ଠେଲି ହୋଇଯାଇଛି ।

