E20 ପେଟ୍ରୋଲକୁ ନେଇ ଚର୍ଚ୍ଚା ମଧ୍ୟରେ ପୁଣି ଫେରିବ କି E10? ପୁରୁଣା ଗାଡ଼ି ମାଲିକଙ୍କ ପାଇଁ କମ୍ ଇଥାନଲ୍ ମିଶ୍ରିତ ପେଟ୍ରୋଲ ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଛନ୍ତି ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ୍ ।
E20 ପେଟ୍ରୋଲକୁ ନେଇ ଚର୍ଚ୍ଚା ମଧ୍ୟରେ ପୁଣି ଫେରିବ କି E10? ପୁରୁଣା ଗାଡ଼ି ମାଲିକଙ୍କ ପାଇଁ କମ୍ ଇଥାନଲ୍ ମିଶ୍ରିତ ପେଟ୍ରୋଲ ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଛନ୍ତି ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ୍ । ଦେଶରେ E20 ପେଟ୍ରୋଲକୁ ନେଇ ଗାଡ଼ି ମାଲିକଙ୍କ ମଧ୍ୟରେ ଚିନ୍ତା ଓ ଚର୍ଚ୍ଚା ଜାରି ରହିଛି । ବିଶେଷକରି ପୁରୁଣା ଦୁଇଚକିଆ ଗାଡ଼ିରେ E20 ପେଟ୍ରୋଲ ବ୍ୟବହାରକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ, ପୁରୁଣା ଯାନ ପାଇଁ E10 ପେଟ୍ରୋଲର ବିକଳ୍ପ ରଖିବାକୁ ନାଗେଶ୍ୱରନ୍ ପରାମର୍ଶ ଦେଇଛନ୍ତି । E10 ପେଟ୍ରୋଲରେ ୯୦ ପ୍ରତିଶତ ପେଟ୍ରୋଲ ଓ ୧୦ ପ୍ରତିଶତ ଇଥାନଲ୍ ମିଶ୍ରଣ ରହିଥାଏ । ନାଗେଶ୍ୱରନଙ୍କ ମତରେ, ପୁରୁଣା ଗାଡ଼ି ପାଇଁ କମ୍ ଇଥାନଲ୍ ମିଶ୍ରିତ ଇନ୍ଧନ ଉପଲବ୍ଧ ରହିଲେ ଗାଡ଼ି ମାଲିକମାନଙ୍କୁ ବିକଳ୍ପ ମିଳିବ ।ତାଙ୍କ ଅନୁସାରେ, ଭାରତରେ ପ୍ରାୟ ୭.୫ରୁ ୮ କୋଟି ପୁରୁଣା ଦୁଇଚକିଆ ଯାନ ରହିଛି, ଯେଉଁଥିରେ BS4 ପୂର୍ବର ମଡେଲ୍ ଏବଂ କାର୍ବ୍ୟୁରେଟର୍ ବ୍ୟବସ୍ଥା ରହିଛି । ଏଭଳି ପୁରୁଣା କାର୍ବ୍ୟୁରେଟର୍ ଇଥାନଲ୍ ମିଶ୍ରିତ ଇନ୍ଧନ ଅନୁଯାୟୀ ସ୍ୱୟଂଚାଳିତ ଭାବେ ଫ୍ୟୁଏଲ୍ ମାତ୍ରା ଆଡଜଷ୍ଟ କରିପାରେ ନାହିଁ ।
ଫଳରେ ଇଞ୍ଜିନ୍ ଅଧିକ ଗରମ ହେବା ଭଳି ସମସ୍ୟା ଦେଖାଦେଇପାରେ । ତେବେ E20 ପେଟ୍ରୋଲ ଯୋଗୁଁ ସବୁ ଗାଡ଼ିର ଇଞ୍ଜିନ୍ ନଷ୍ଟ ହେଉଛି ବୋଲି କହିବା ଠିକ୍ ନୁହେଁ ବୋଲି ନାଗେଶ୍ୱରନ୍ ମତ ଦେଇଛନ୍ତି । E20ରେ ଇଥାନଲ୍ ପରିମାଣ ବଢ଼ିବାରୁ ଇନ୍ଧନର ମୋଟ ଏନର୍ଜି କିଛି କମିପାରେ ଏବଂ ଏହାର ପ୍ରଭାବରେ ମାଇଲେଜ୍ରେ କିଛି ହ୍ରାସ ହୋଇପାରେ । ତେବେ ସୋସିଆଲ୍ ମିଡିଆରେ ଦାବି ହେଉଥିବା ବଡ଼ ପରିମାଣର ମାଇଲେଜ୍ ହ୍ରାସ କିମ୍ବା ପ୍ରତ୍ୟେକ ଗାଡ଼ିର ଇଞ୍ଜିନ୍ ନଷ୍ଟ ହେବା ଭଳି ଦାବିକୁ ପରୀକ୍ଷା ତଥ୍ୟ ସମର୍ଥନ କରୁନାହିଁ । ସେହିପରି, ଇଥାନଲ୍ ମିଶ୍ରଣ ନୀତିକୁ ଆଗକୁ ନେବା ପୂର୍ବରୁ ‘ଫୁଡ୍ ବନାମ ଫ୍ୟୁଏଲ୍’ ବିଷୟକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ନାଗେଶ୍ୱରନ୍ କହିଛନ୍ତି । ଅର୍ଥାତ୍, ଇଥାନଲ୍ ଉତ୍ପାଦନ ପାଇଁ ଚାଷ ଜମି ଓ ପାଣିର ବ୍ୟବହାର ବଢ଼ିଲେ ଖାଦ୍ୟ ଉତ୍ପାଦନ ଉପରେ କଣ ପ୍ରଭାବ ପଡ଼ିବ, ତାହାର ମଧ୍ୟ ହିସାବ ରଖିବା ଦରକାର । ତେଣୁ ନୂଆ ଗାଡ଼ି ପାଇଁ E20 ଚାଲୁ ରହିବା ସହ ପୁରୁଣା ଗାଡ଼ି ମାଲିକଙ୍କ ପାଇଁ E10 ଭଳି କମ୍ ଇଥାନଲ୍ ମିଶ୍ରିତ ପେଟ୍ରୋଲର ବିକଳ୍ପ ରଖାଯାଇପାରେ—ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ପରାମର୍ଶ ପରେ ଏବେ ଏହି ଆଲୋଚନା ଜୋର ଧରିଛି ।

