ଭାରତୀୟ ପରିବାରର ଅର୍ଶଦୀପ ସିଂହ ଡାଙ୍ଗ୍ ବ୍ରିଟେନ୍ର ରୟାଲ୍ ଏୟାର୍ ଫୋର୍ସ, ଅର୍ଥାତ୍ RAFରେ ଇତିହାସ ରଚିଛନ୍ତି । ୨୮ ବର୍ଷୀୟ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅର୍ଶଦୀପ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ RAFରେ ଫାଇଟର୍ ପାଇଲଟ୍ ଭାବେ ଗ୍ରାଜୁଏସନ୍ କରିଥିବା ପ୍ରଥମ ଶିଖ୍ ହୋଇଛନ୍ତି ।
ଭାରତୀୟ ପରିବାରର ଅର୍ଶଦୀପ ସିଂହ ଡାଙ୍ଗ୍ ବ୍ରିଟେନ୍ର ରୟାଲ୍ ଏୟାର୍ ଫୋର୍ସ, ଅର୍ଥାତ୍ RAFରେ ଇତିହାସ ରଚିଛନ୍ତି । ୨୮ ବର୍ଷୀୟ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅର୍ଶଦୀପ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ RAFରେ ଫାଇଟର୍ ପାଇଲଟ୍ ଭାବେ ଗ୍ରାଜୁଏସନ୍ କରିଥିବା ପ୍ରଥମ ଶିଖ୍ ହୋଇଛନ୍ତି । ଅଗଷ୍ଟ ୧୪ରେ ଉତ୍ତର ୱେଲ୍ସର RAF ଭ୍ୟାଲିରେ ଆୟୋଜିତ ଫାଷ୍ଟ ଜେଟ୍ ପାଇଲଟ୍ ସମାରୋହରେ ସେ ଫାଇଟର୍ ୱିଙ୍ଗ୍ସ ହାସଲ କରିଛନ୍ତି ।
ଚଣ୍ଡୀଗଡ଼ରେ ୧୯୯୮ରେ ଜନ୍ମ ହୋଇଥିବା ଅର୍ଶଦୀପ ମାତ୍ର ୬ ବର୍ଷ ବୟସରେ ପରିବାର ସହ ବ୍ରିଟେନ୍ ଚାଲିଯାଇଥିଲେ। ତାଙ୍କ ବାପା ଜଗଦୀପ ସିଂହ ଡାଙ୍ଗ୍ ଲୁଧିଆନାର ହୋଇଥିବା ବେଳେ ମାଆ ଗଗନଦୀପ କୌର ଅମୃତସରର । ବ୍ରିଷ୍ଟଲ୍ ବିଶ୍ୱବିଦ୍ୟାଳୟରୁ ଗଣିତ ଓ ଦର୍ଶନଶାସ୍ତ୍ର ପଢ଼ିବା ପରେ ସେ ୨୦୨୨ରେ ଅଫିସର୍ ଟ୍ରେନିଂ ସମାପ୍ତ କରିଥିଲେ ।
୨୦୨୪ରେ ଫାଷ୍ଟ ଜେଟ୍ ଷ୍ଟ୍ରିମ୍ ପାଇଁ ଚୟନ ହେବା ପରେ ତାଙ୍କ ପାଇଲଟ୍ ହେବାର ଯାତ୍ରା ଆହୁରି ଦ୍ରୁତ ହୋଇଥିଲା । ୨୦୨୫ରେ ଟେକ୍ସାସ୍ରେ ଏକାକୀ ବିମାନ ଉଡ଼ାଣ ଦେଇଥିଲେ ଅର୍ଶଦୀପ। ଶେଷରେ ଜୁଲାଇ ୨୦୨୬ରେ ସେ ନିଜର ୱିଙ୍ଗ୍ସ ଟେଷ୍ଟ ପାସ୍ କରିଛନ୍ତି ।
ଏହି ସଫଳତା ପଛରେ ରହିଛି ତାଙ୍କ ପରିବାରର ସମର୍ଥନ । ପାଇଲଟ୍ ହେବା ତାଙ୍କ ଜେଜେବାପାଙ୍କ ସ୍ୱପ୍ନ ଥିଲା। ଅର୍ଶଦୀପ କହିଛନ୍ତି, ସେ ନିଜ ସମ୍ପ୍ରଦାୟକୁ ବିଶ୍ୱସ୍ତରରେ ପ୍ରତିନିଧିତ୍ୱ କରି ଗର୍ବିତ । ତେବେ ସେ ଚାହାନ୍ତି, ଏହି ସଫଳତା ଶେଷ ନୁହେଁ, ତାଙ୍କ ପରେ ଆହୁରି ଅନେକ ଶିଖ୍ ଯୁବକ ଏହି କ୍ଷେତ୍ରକୁ ଆସନ୍ତୁ ।

