ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକରେ ପୁଣି ଦେଖିବାକୁ ମିଳିଛି ହାତୀ ଆତଙ୍କ । ରାତି ଅଧରେ ଜଙ୍ଗଲୀ ହାତୀପଲ ଏକ ଘର ଉପରେ ଆକ୍ରମଣ କରି ଘରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେବା ସହ ଗୋଟିଏ ପରିବାରର ଚାରିଜଣଙ୍କୁ ଗୁରୁତର ଆହତ କରିଛି ।
ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକରେ ପୁଣି ଦେଖିବାକୁ ମିଳିଛି ହାତୀ ଆତଙ୍କ । ରାତି ଅଧରେ ଜଙ୍ଗଲୀ ହାତୀପଲ ଏକ ଘର ଉପରେ ଆକ୍ରମଣ କରି ଘରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେବା ସହ ଗୋଟିଏ ପରିବାରର ଚାରିଜଣଙ୍କୁ ଗୁରୁତର ଆହତ କରିଛି । ଆହତମାନେ ବର୍ତ୍ତମାନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଇଛାପଡ଼ା ପଞ୍ଚାୟତର ସର୍ଗୁଲ ଗ୍ରାମରେ ବୁଧବାର ରାତି ପ୍ରାୟ ୨ଟା ସମୟରେ ଜଙ୍ଗଲୀ ହାତୀପଲ ଲିଙ୍ଗରାଜ ଭୋଇଙ୍କ ଘର ଉପରେ ହଠାତ୍ ଆକ୍ରମଣ କରିଥିଲେ । ହାତୀମାନେ ଘରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଦେଇଥିବା ବେଳେ ଘରେ ଥିବା ଲିଙ୍ଗରାଜ ଭୋଇ, ତାଙ୍କ ସ୍ତ୍ରୀ ଏବଂ ଦୁଇଜଣ ଶିଶୁ ଗୁରୁତର ଆହତ ହୋଇଥିଲେ ।
ସ୍ଥାନୀୟ ଲୋକମାନେ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଥିଲେ । ବର୍ତ୍ତମାନ ସେମାନେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନ, ବନ ବିଭାଗ ଓ ଓଡ଼ିଶା ସରକାରଙ୍କୁ ତୁରନ୍ତ ପୀଡ଼ିତ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ସହ କ୍ଷତିପୂରଣ ଓ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି । ସେହିପରି ହାତୀ ଉପଦ୍ରବ ରୋକିବା ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ମଧ୍ୟ ଦାବି ଉଠିଛି ।

