ପୁରୁଣା ଗାଡ଼ି ପାଇଁ E10 ପେଟ୍ରୋଲ ଫେରାଇବାକୁ ପ୍ରସ୍ତାବ

E20 ପେଟ୍ରୋଲକୁ ନେଇ ଚର୍ଚ୍ଚା ମଧ୍ୟରେ ପୁଣି ଫେରିବ କି E10? ପୁରୁଣା ଗାଡ଼ି ମାଲିକଙ୍କ ପାଇଁ କମ୍ ଇଥାନଲ୍ ମିଶ୍ରିତ ପେଟ୍ରୋଲ ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଛନ୍ତି ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ୍ ।

E20 ପେଟ୍ରୋଲକୁ ନେଇ ଚର୍ଚ୍ଚା ମଧ୍ୟରେ ପୁଣି ଫେରିବ କି E10? ପୁରୁଣା ଗାଡ଼ି ମାଲିକଙ୍କ ପାଇଁ କମ୍ ଇଥାନଲ୍ ମିଶ୍ରିତ ପେଟ୍ରୋଲ ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଛନ୍ତି ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ୍ । ଦେଶରେ E20 ପେଟ୍ରୋଲକୁ ନେଇ ଗାଡ଼ି ମାଲିକଙ୍କ ମଧ୍ୟରେ ଚିନ୍ତା ଓ ଚର୍ଚ୍ଚା ଜାରି ରହିଛି । ବିଶେଷକରି ପୁରୁଣା ଦୁଇଚକିଆ ଗାଡ଼ିରେ E20 ପେଟ୍ରୋଲ ବ୍ୟବହାରକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ, ପୁରୁଣା ଯାନ ପାଇଁ E10 ପେଟ୍ରୋଲର ବିକଳ୍ପ ରଖିବାକୁ ନାଗେଶ୍ୱରନ୍ ପରାମର୍ଶ ଦେଇଛନ୍ତି । E10 ପେଟ୍ରୋଲରେ ୯୦ ପ୍ରତିଶତ ପେଟ୍ରୋଲ ଓ ୧୦ ପ୍ରତିଶତ ଇଥାନଲ୍ ମିଶ୍ରଣ ରହିଥାଏ । ନାଗେଶ୍ୱରନଙ୍କ ମତରେ, ପୁରୁଣା ଗାଡ଼ି ପାଇଁ କମ୍ ଇଥାନଲ୍ ମିଶ୍ରିତ ଇନ୍ଧନ ଉପଲବ୍ଧ ରହିଲେ ଗାଡ଼ି ମାଲିକମାନଙ୍କୁ ବିକଳ୍ପ ମିଳିବ ।ତାଙ୍କ ଅନୁସାରେ, ଭାରତରେ ପ୍ରାୟ ୭.୫ରୁ ୮ କୋଟି ପୁରୁଣା ଦୁଇଚକିଆ ଯାନ ରହିଛି, ଯେଉଁଥିରେ BS4 ପୂର୍ବର ମଡେଲ୍ ଏବଂ କାର୍ବ୍ୟୁରେଟର୍ ବ୍ୟବସ୍ଥା ରହିଛି । ଏଭଳି ପୁରୁଣା କାର୍ବ୍ୟୁରେଟର୍ ଇଥାନଲ୍ ମିଶ୍ରିତ ଇନ୍ଧନ ଅନୁଯାୟୀ ସ୍ୱୟଂଚାଳିତ ଭାବେ ଫ୍ୟୁଏଲ୍ ମାତ୍ରା ଆଡଜଷ୍ଟ କରିପାରେ ନାହିଁ ।

 ଫଳରେ ଇଞ୍ଜିନ୍ ଅଧିକ ଗରମ ହେବା ଭଳି ସମସ୍ୟା ଦେଖାଦେଇପାରେ । ତେବେ E20 ପେଟ୍ରୋଲ ଯୋଗୁଁ ସବୁ ଗାଡ଼ିର ଇଞ୍ଜିନ୍ ନଷ୍ଟ ହେଉଛି ବୋଲି କହିବା ଠିକ୍ ନୁହେଁ ବୋଲି ନାଗେଶ୍ୱରନ୍ ମତ ଦେଇଛନ୍ତି । E20ରେ ଇଥାନଲ୍ ପରିମାଣ ବଢ଼ିବାରୁ ଇନ୍ଧନର ମୋଟ ଏନର୍ଜି କିଛି କମିପାରେ ଏବଂ ଏହାର ପ୍ରଭାବରେ ମାଇଲେଜ୍‌ରେ କିଛି ହ୍ରାସ ହୋଇପାରେ । ତେବେ ସୋସିଆଲ୍ ମିଡିଆରେ ଦାବି ହେଉଥିବା ବଡ଼ ପରିମାଣର ମାଇଲେଜ୍ ହ୍ରାସ କିମ୍ବା ପ୍ରତ୍ୟେକ ଗାଡ଼ିର ଇଞ୍ଜିନ୍ ନଷ୍ଟ ହେବା ଭଳି ଦାବିକୁ ପରୀକ୍ଷା ତଥ୍ୟ ସମର୍ଥନ କରୁନାହିଁ । ସେହିପରି, ଇଥାନଲ୍ ମିଶ୍ରଣ ନୀତିକୁ ଆଗକୁ ନେବା ପୂର୍ବରୁ ‘ଫୁଡ୍ ବନାମ ଫ୍ୟୁଏଲ୍’ ବିଷୟକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ନାଗେଶ୍ୱରନ୍ କହିଛନ୍ତି । ଅର୍ଥାତ୍‌, ଇଥାନଲ୍ ଉତ୍ପାଦନ ପାଇଁ ଚାଷ ଜମି ଓ ପାଣିର ବ୍ୟବହାର ବଢ଼ିଲେ ଖାଦ୍ୟ ଉତ୍ପାଦନ ଉପରେ କଣ ପ୍ରଭାବ ପଡ଼ିବ, ତାହାର ମଧ୍ୟ ହିସାବ ରଖିବା ଦରକାର । ତେଣୁ ନୂଆ ଗାଡ଼ି ପାଇଁ E20 ଚାଲୁ ରହିବା ସହ ପୁରୁଣା ଗାଡ଼ି ମାଲିକଙ୍କ ପାଇଁ E10 ଭଳି କମ୍ ଇଥାନଲ୍ ମିଶ୍ରିତ ପେଟ୍ରୋଲର ବିକଳ୍ପ ରଖାଯାଇପାରେ—ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ପରାମର୍ଶ ପରେ ଏବେ ଏହି ଆଲୋଚନା ଜୋର ଧରିଛି ।

Leave a Reply

Your email address will not be published. Required fields are marked *