ପ୍ରାୟ ୫୦ ବର୍ଷ ପୁରୁଣା ଏହି କୋଠାର ମୂଳ ଭିତ୍ତି ଅତିରିକ୍ତ ଭାର ସମ୍ଭାଳିବାକୁ ସକ୍ଷମ ନଥିବା ଜାଣିବା ସତ୍ତ୍ୱେ ମାଲିକମାନେ କେବଳ ଅଧିକ ଭଡ଼ା ଆୟ ଉଦ୍ଦେଶ୍ୟରେ ବିପଦପୂର୍ଣ୍ଣ ନିର୍ମାଣ ଜାରି ରଖିଥିଲେ । ଏହି ଅବହେଳା ଯୋଗୁଁ ୭ ଜଣ ନିରୀହ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଗତ ରବିବାର ଏକ ପିଜି କୋଠା ଭୁଶୁଡ଼ିବା ଘଟଣାରେ ପୁଲିସ ରୁଜୁ କରିଥିବା ଏଫ୍ଆଇଆର୍ରୁ ଅତ୍ୟନ୍ତ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପ୍ରାୟ ୫୦ ବର୍ଷ ପୁରୁଣା ଏହି କୋଠାର ମୂଳ ଭିତ୍ତି ଅତିରିକ୍ତ ଭାର ସମ୍ଭାଳିବାକୁ ସକ୍ଷମ ନଥିବା ଜାଣିବା ସତ୍ତ୍ୱେ ମାଲିକମାନେ କେବଳ ଅଧିକ ଭଡ଼ା ଆୟ ଉଦ୍ଦେଶ୍ୟରେ ବିପଦପୂର୍ଣ୍ଣ ନିର୍ମାଣ ଜାରି ରଖିଥିଲେ । ଏହି ଅବହେଳା ଯୋଗୁଁ ୭ ଜଣ ନିରୀହ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ପୁଲିସ ଏଫ୍ଆଇଆର୍ ଅନୁସାରେ, କୋଠାର ମାଲିକ ହରିରାମ ବଂଶଲ ଓ ତାଙ୍କ ଭାଇ ପୁରୁଣା ଢାଞ୍ଚା ଉପରେ ଚାରି ମହଲା ନିର୍ମାଣ କରିଥିଲେ ଏବଂ ଏହା ପରେ ମଧ୍ୟ କୋଠାରେ ଆହୁରି ନିର୍ମାଣ କାମ ଚାଲୁ ରହିଥିଲା, ଯାହା ଫଳରେ କୋଠାର ଭାର ବହନ କ୍ଷମତା ଉପରେ ଅତ୍ୟଧିକ ଚାପ ପଡ଼ିଥିଲା ।
ଏହି କୋଠାରେ ‘ହଷ୍ଟେଲ୍ ଡେଜ୍’ ନାମରେ ଏକ ପିଜି ଚାଲୁଥିଲା ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସ୍ ନିକଟରେ ଥିବାରୁ ଏଠାରେ ଅନେକ ଛାତ୍ର ରହୁଥିଲେ । ମାଲିକମାନେ ଜାଣିଶୁଣି ଜୀବନକୁ ବିପଦରେ ପକାଇ ଏଭଳି ଅବୈଧ ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ରବିବାର ଅପରାହ୍ଣ ପ୍ରାୟ ୧ଟା ୩୦ରେ ଘଟିଥିବା ଏହି ଦୁର୍ଘଟଣା ପରେ ଦକ୍ଷିଣ କ୍ୟାମ୍ପସ୍ ଥାନାରେ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏଫ୍ଆଇଆର୍ରେ ଦର୍ଶାଯାଇଛି ଯେ, ମୂଳ ଭିତ୍ତି ଦୁର୍ବଳ ଥିବା ଜାଣି ମଧ୍ୟ ନିଜର ବ୍ୟକ୍ତିଗତ ଫାଇଦା ପାଇଁ କରାଯାଇଥିବା ଏହି ଅବହେଳା ଯୋଗୁଁ ଜୀବନ ଓ ସମ୍ପତ୍ତିର ଅପୂରଣୀୟ କ୍ଷତି ଘଟିଛି। ପୁଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

