ମୋଦୀଙ୍କ ବାପାଙ୍କୁ ନେଇ ଖଡ଼ଗେଙ୍କ ବିବାଦୀୟ ମନ୍ତବ୍ୟ, ତେଜିଲା ରାଜନୀତି

ପାଟନାରେ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ‘ମୋଦୀ କା ବାପ୍‌ ଭି ଯାଏଗା’ ମନ୍ତବ୍ୟକୁ ନେଇ ବିବାଦ। ବିଜେପି ସାଂସଦ ସମ୍ବିତ ପାତ୍ର ଏହାକୁ ନିନ୍ଦା କରିବା ସହ ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଏକ ମନ୍ତବ୍ୟକୁ କେନ୍ଦ୍ର କରି ଜାତୀୟ ରାଜନୀତିରେ ହଟଚମଟ । ବିହାରର ରାଜଧାନୀ ପାଟନାରେ ଏକ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଉଥିବା ବେଳେ ଖଡ଼ଗେ କହିଥିବା ଏକ ବିବାଦୀୟ କଥାକୁ ନେଇ ବିଜେପି ତୀବ୍ର ପ୍ରତିବାଦ କରିଛି । ଏହାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ୍‌ଯୁଦ୍ଧ ଜୋର୍‌ ଧରିଛି ।

ରିପୋର୍ଟ ଅନୁସାରେ, ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଡକ୍ଟର ଶ୍ରୀକୃଷ୍ଣ ସିଂହଙ୍କ ୧୩୯ତମ ଜୟନ୍ତୀ ଅବସରରେ ପାଟନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖଡ଼ଗେ ଉଦ୍‌ବୋଧନ ଦେଉଥିଲେ । ଏହି ସମୟରେ ସେ ମୋଦୀ ସରକାରଙ୍କୁ କ୍ଷମତାରୁ ହଟାଇବା ଓ କଂଗ୍ରେସକୁ କ୍ଷମତାକୁ ଆଣିବା ପ୍ରସଙ୍ଗରେ କହୁଥିବା ବେଳେ ଦର୍ଶକଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମୋଦୀ କୁଆଡ଼େ ଯିବେ ନାହିଁ ବୋଲି କହିଥିଲେ ।

ଏହାର ଜବାବ ଦେବାକୁ ଯାଇ ଖଡ଼ଗେ କହିଥିଲେ, “ମୋଦୀ କା ବାପ୍‌ ଭି ଯାଏଗା” ଏହି ମନ୍ତବ୍ୟ ସାମ୍ନାକୁ ଆସିବା ପରେ ରାଜନୈତିକ ବିବାଦ ତେଜିଛି । ଖଡ଼ଗେଙ୍କ ଏଭଳି ଭାଷାକୁ ନେଇ ବିଜେପି ନେତାମାନେ କଂଗ୍ରେସକୁ ଘେରିବା ସହ କ୍ଷମା ମାଗିବାକୁ ଦାବି କରିଛନ୍ତି ।

ଖଡ଼ଗେଙ୍କ ମନ୍ତବ୍ୟକୁ ନିନ୍ଦା କରି ବିଜେପି ସାଂସଦ ସମ୍ବିତ ପାତ୍ର କଂଗ୍ରେସ ନେତୃତ୍ୱକୁ ଟାର୍ଗେଟ୍‌ କରିଛନ୍ତି । ଏହା କେବଳ ଖଡ଼ଗେଙ୍କ ଭାଷା ନୁହେଁ, ବରଂ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଭାଷା ବୋଲି ସେ ଅଭିଯୋଗ କରିଛନ୍ତି । କଂଗ୍ରେସର ରାଜନୈତିକ ହତାଶା ଏଭଳି ମନ୍ତବ୍ୟରୁ ପ୍ରତିଫଳିତ ହେଉଥିବା ମଧ୍ୟ ସମ୍ବିତ ପାତ୍ର କହିଛନ୍ତି।

ଏହି ବିବାଦକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମଧ୍ୟ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗିବାକୁ କହିଛନ୍ତି । ମୋଦୀଙ୍କ ପିତାଙ୍କୁ ନେଇ ଏଭଳି ଭାଷା ପ୍ରୟୋଗ କରିବା ଅନୁଚିତ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଏବେ ଏହି ପ୍ରସଙ୍ଗକୁ ନେଇ ଉଭୟ ଦଳ ମଧ୍ୟରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜୋର୍‌ ଧରିଥିବା ବେଳେ ଖଡ଼ଗେଙ୍କ ମନ୍ତବ୍ୟ ଆଗକୁ ଆହୁରି ବିବାଦ ସୃଷ୍ଟି କରିବାର ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *