ଶେଷକୃତ୍ୟ ପାଇଁ ମଶାଣିକୁ ନେଉଥିଲେ, ବାଟରେ ଶବ ଜବତ କଲା ପୁଲିସ

ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ପାତ୍ରପଡ଼ା ଗାଁରେ ମିଥୁନ ମୁଖିଙ୍କ ମୃତଦେହକୁ ଶେଷକୃତ୍ୟ ପାଇଁ ମଶାଣିକୁ ନେବା ବେଳେ ଜବତ କରିଛି ପୁଲିସ। ପୁଲିସକୁ ନ ଜଣାଇ ଶବଦାହ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଖବର ପାଇ ପୁଲିସ ପହଞ୍ଚିଥିଲା।

ମଶାଣିକୁ ଶେଷକୃତ୍ୟ ପାଇଁ ନେବା ସମୟରେ ଶବକୁ ଜବତ କଲା ପୁଲିସ। ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ଆତ୍ମହତ୍ୟା କରିଥିବା ଯୁବକର ମୃତଦେହକୁ ପୁଲିସକୁ ନଜଣାଇ ପରିବାର ସାହିଭାଇ ମିଶି ଶେଷକୃତ୍ୟ କରିବାକୁ ବାହାରିଥିଲେ । ଏହି ଖବର ପାଇ ବାଗଡିଆ ଥାନା ପୁଲିସ ଗାଁରେ ପହଞ୍ଚି ମଶାଣିକୁ ନେବା ବାଟରେ ମୃତଦେହକୁ ଜବତ କରିଛି ।

ସୂଚନା ଯେ ପାତ୍ରପଡା ଗାଁ ମୁଖିସାହିର ମିଥୁନ ମୁଖି କିଛି ଦିନ ହେଲା ପାରିବାରିକ କନ୍ଦଳକୁ ନେଇ ଘରେ ଏକୁଟିଆ ରହୁଥିଲେ। ଆଜି ପରିବାର ଲୋକ କେହି ନଥିବା ବେଳେ ମିଥୁନ ଘର ଭିତରେ ଆତ୍ମହତ୍ୟା କରିଥିଲେ। ପରିବାର ଲୋକ ଏହା ଦେଖିବା ପରେ ସାହି ପଡିଶା ଲୋକଙ୍କୁ ଡାକି ଶବ ଦାହ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ସନ୍ଧ୍ୟାରେ ମଶାଣୀକୁ ଶେଷକୃତ୍ୟ ପାଇଁ ନେଉଥିଲେ। ବାଗଡିଆ ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ୍ୟୁ ପଛର  କାରଣ ଜାଣିବାକୁ ପୁଲିସ ଏବେ ଛାନଭିନ ଚଳାଇଛି। 

Leave a Reply

Your email address will not be published. Required fields are marked *