ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା ! ୧୫୦ ଆଫଗାନଙ୍କ ଜୀବନ ବିପଦରେ

ତାଲିବାନ ବିରୋଧରେ ଯୁଦ୍ଧରେ ଆମେରିକାର ହାତ ମଜବୁତ କରିଥିଲେ । ହେଲେ ଏବେ ସେହି ଆଫଗାନ ନାଗରିକଙ୍କୁ ଦେଶରୁ ବିଦା କରିବାକୁ ପ୍ରସ୍ତୁତ ହେଉଛି ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ଉଠିଛି ବଡ଼ ବିବାଦ ।

ଆମେରିକା ପାଇଁ ଲଢ଼ିଥିଲେ, ଆମେରିକା ସେନାକୁ ସହଯୋଗ କରିଥିଲେ । ତାଲିବାନ ବିରୋଧରେ ଯୁଦ୍ଧରେ ଆମେରିକାର ହାତ ମଜବୁତ କରିଥିଲେ । ହେଲେ ଏବେ ସେହି ଆଫଗାନ ନାଗରିକଙ୍କୁ ଦେଶରୁ ବିଦା କରିବାକୁ ପ୍ରସ୍ତୁତ ହେଉଛି ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ଉଠିଛି ବଡ଼ ବିବାଦ । କାରଣ, ଆଫଗାନିସ୍ତାନ ଫେରିଲେ ଏହି ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। ତାଲିବାନ ସେମାନଙ୍କୁ ହତ୍ୟା କରିପାରେ ବୋଲି ଆଶଙ୍କା କରାଯାଉଛି ।

ଟ୍ରମ୍ପ ପ୍ରଶାସନ ଲୁଇସିଆନାରେ ୧୫୦ରୁ ଅଧିକ ଆଫଗାନ ପ୍ରବାସୀଙ୍କୁ ଅଟକ ରଖିଛି । ପ୍ରଥମ ପର୍ଯ୍ୟାୟରେ ଏମାନଙ୍କୁ ପାକିସ୍ତାନ ପଠାଇବାକୁ ଯୋଜନା ହୋଇଛି । ପରେ ପାକିସ୍ତାନ ଦେଇ ଆଫଗାନିସ୍ତାନ ପଠାଯିବ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଆମେରିକା ସେନାକୁ ତାଲିବାନ ବିରୋଧରେ ସହଯୋଗ କରିଥିଲେ । ୨୦୨୧ରେ ଆମେରିକା ଆଫଗାନିସ୍ତାନ ଛାଡ଼ିବା ସମୟରେ ଏମାନଙ୍କୁ ନିଜ ଦେଶରେ ଆଶ୍ରୟ ଦେଇଥିଲା ।

ଏହି ନିଷ୍ପତ୍ତିକୁ ନେଇ ଆମେରିକାର ବିଭିନ୍ନ ମାନବାଧିକାର ସଂଗଠନ ବିରୋଧ କରିଛନ୍ତି । ସେମାନଙ୍କ କହିବା ଅନୁସାରେ, ଆଫଗାନିସ୍ତାନ ଫେରିଲେ ଏହି ଲୋକମାନେ ତାଲିବାନ ଶାସନର ନିର୍ଯାତନାର ଶିକାର ହୋଇପାରନ୍ତି । ଏମାନଙ୍କ ମଧ୍ୟରେ ଜଣେ ସମଲିଙ୍ଗୀ ବ୍ୟକ୍ତି ମଧ୍ୟ ଅଛନ୍ତି । ତାଙ୍କୁ ତାଲିବାନ ମୃତ୍ୟୁଦଣ୍ଡ ଦେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । କେତେକ ଆଫଗାନଙ୍କ ସମ୍ପର୍କୀୟ ମଧ୍ୟ ଆମେରିକା ସେନାକୁ ସହଯୋଗ କରିଥିବାରୁ ତାଲିବାନର ଟାର୍ଗେଟ୍‌ରେ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ଆମେରିକା ଏହି ଆଫଗାନ ନାଗରିକଙ୍କୁ ସିଧାସଳଖ ଆଫଗାନିସ୍ତାନ ପଠାଉନାହିଁ । ଏହାର ପ୍ରମୁଖ କାରଣ ହେଉଛି ଆମେରିକା ଓ ତାଲିବାନ ଶାସିତ ଆଫଗାନିସ୍ତାନ ମଧ୍ୟରେ ଔପଚାରିକ କୂଟନୈତିକ ସମ୍ପର୍କ ନାହିଁ । କାବୁଲରେ ଆମେରିକାର କୌଣସି କୂଟନୈତିକ ପ୍ରତିନିଧି ମଧ୍ୟ ନାହାନ୍ତି । ତେବେ ପାକିସ୍ତାନ ଓ ଅନ୍ୟ ସହଯୋଗୀ ଦେଶଙ୍କ ମାଧ୍ୟମରେ ଆମେରିକା ତାଲିବାନ ସହ ଯୋଗାଯୋଗରେ ରହିଥିବା ଦାବି କରାଯାଉଛି। ଉଭୟ ପକ୍ଷ ମଧ୍ୟରେ ଗୁପ୍ତ ବୈଠକ ହୋଇଥିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି । ହେଲେ ଏହାକୁ ଆମେରିକା କିମ୍ବା ତାଲିବାନ ପକ୍ଷରୁ ଆଧିକାରିକ ଭାବେ ସ୍ପଷ୍ଟ କରାଯାଇନାହିଁ । ଯେଉଁ ଆଫଗାନମାନେ ଆମେରିକାକୁ ସହଯୋଗ କରିଥିଲେ, ଆଜି ସେହି ଲୋକଙ୍କୁ ଆମେରିକା ଫେରାଇ ଦେବାକୁ ଯୋଜନା କରୁଛି । ଟ୍ରମ୍ପ ପ୍ରଶାସନର ଏହି ପଦକ୍ଷେପ ଏବେ ଅନ୍ତର୍ଜାତୀୟ ସ୍ତରରେ ମାନବାଧିକାରକୁ ନେଇ ନୂଆ ବିତର୍କ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *