‘ସେମିକନ୍ ଇଣ୍ଡିଆ ୨୦୨୬’ରେ ଓଡ଼ିଶାର ବଡ଼ ସଫଳତା: ୨୩,୬୦୦ କୋଟି ନିବେଶ ପ୍ରସ୍ତାବ

ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଏବେ ଏକ ନୂତନ ଇତିହାସ ରଚୁଛି ଓଡ଼ିଶା । ନୂଆଦିଲ୍ଲୀରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଭବିଷ୍ୟତ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ।

ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଏବେ ଏକ ନୂତନ ଇତିହାସ ରଚୁଛି ଓଡ଼ିଶା । ନୂଆଦିଲ୍ଲୀରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଭବିଷ୍ୟତ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । କଟକ ଜିଲ୍ଲା ନରାଜଠାରେ ୮୭୦ ଏକର ପରିମିତ ଜମିରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ‘ଓଡ଼ିଶା ସିଲିକନ୍ ଭାଲି’ । ଶିଳ୍ପ ପାଇଁ ନରାଜର ଭୌଗଳିକ ଅବସ୍ଥିତି ଅତ୍ୟନ୍ତ ଅନୁକୂଳ । ଭୁବନେଶ୍ୱର-କଟକ କରିଡର ସହ ସୁଗମ ଯୋଗାଯୋଗ, ମହାନଦୀରୁ ଜଳ ଯୋଗାଣ ଏବଂ ପାରାଦୀପ ତଥା ଧାମରା ବନ୍ଦର ସଂଯୋଗ ଏହାକୁ ଲଜିଷ୍ଟିକ୍ସର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ କରିବ । 

ଏହି ସମ୍ମିଳନୀରେ ରାଜ୍ୟକୁ ମିଳିଛି ପ୍ରାୟ ୨୩ ହଜାର ୬ଶହ କୋଟି ଟଙ୍କାର ବିପୁଳ ନିବେଶ ପ୍ରସ୍ତାବ ଆସିଛି, ଯାହାଦ୍ବାରା ୬ ହଜାରରୁ ଅଧିକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କେବଳ ସେତିକି ନୁହେଁ, ଜାପାନ, ସ୍ୱିଡେନ୍ ଏବଂ ତାଇୱାନ ଭଳି ଦେଶର ଅନ୍ତର୍ଜାତୀୟ ପ୍ରତିନିଧି ଏବଂ ଲ୍ୟାମ୍ ରିସର୍ଚ୍ଚ, ଆପ୍ଲାଏଡ୍ ମେଟେରିଆଲ୍ସ ପରି ଅଭିଜ୍ଞ କମ୍ପାନିଗୁଡ଼ିକର ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ସେମିକଣ୍ଡକ୍ଟର ଉପକରଣ ଓ କଞ୍ଚାମାଲ ପାଇଁ ଓଡ଼ିଶା ସରକାର ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ବା ISM 2.0 ସହ ସମନ୍ୱୟ ରଖି ୨୫ ପ୍ରତିଶତ ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ବାଲିରୁ ସିଲିକନ୍ ଅର୍ଥାତ୍ ‘ସାଣ୍ଡ ଟୁ ସିଲିକନ୍’’ ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶା ଏବେ ପ୍ରମାଣ କରିଦେଇଛି ଯେ, ରାଜ୍ୟ ଖଣି ଅର୍ଥନୀତିରୁ ବାହାରି ଜ୍ଞାନ ଅର୍ଥନୀତି ଆଡ଼କୁ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏହା ନିଶ୍ଚିତ ଭାବେ ‘ବିକଶିତ ଭାରତ ପାଇଁ ଏକ ସମୃଦ୍ଧ ଓଡ଼ିଶା’ ଗଠନ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

Leave a Reply

Your email address will not be published. Required fields are marked *