ପୂର୍ବତନ ନକ୍ସଲ କମାଣ୍ଡର ସୁରେଶ ସିଂହ ମୁଣ୍ଡା ଓ ସୋମବାରୀ ହେମ୍ବ୍ରମ ବିବାହ ବନ୍ଧନରେ ଆବଦ୍ଧ ହୋଇ ନୂଆ ଜୀବନ ଆରମ୍ଭ କରିଛନ୍ତି । ଏହି ବିବାହର ସବୁଠାରୁ ନିଆରା କଥା ହେଉଛି, ବରଯାତ୍ରୀ ଓ ପରିବାର ସଦସ୍ୟଙ୍କ ଭୂମିକା ନିଭାଇଥିଲେ ପୁଲିସ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀ ।
ଦିନେ ହାତରେ ବନ୍ଧୁକ ଧରି ହିଂସାର ପଥ ବାଛିଥିଲେ । ହେଲେ ଆଜି ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି ପରସ୍ପରର ହାତ ଧରି । ଝାଡ଼ଖଣ୍ଡର ହଜାରିବାଗ ମୁକ୍ତ କାରାଗାରରେ ଅନୁଷ୍ଠିତ ହୋଇଛି ଏକ ନିଆରା ବିବାହ । ପୂର୍ବତନ ନକ୍ସଲ କମାଣ୍ଡର ସୁରେଶ ସିଂହ ମୁଣ୍ଡା ଓ ସୋମବାରୀ ହେମ୍ବ୍ରମ ବିବାହ ବନ୍ଧନରେ ଆବଦ୍ଧ ହୋଇ ନୂଆ ଜୀବନ ଆରମ୍ଭ କରିଛନ୍ତି । ଏହି ବିବାହର ସବୁଠାରୁ ନିଆରା କଥା ହେଉଛି, ବରଯାତ୍ରୀ ଓ ପରିବାର ସଦସ୍ୟଙ୍କ ଭୂମିକା ନିଭାଇଥିଲେ ପୁଲିସ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀ । ମୁକ୍ତ କାରାଗାରର ଅନ୍ୟ କଏଦୀମାନେ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଉପହାର ଦେବା ସହ ସେମାନଙ୍କ ସୁଖୀ ଦାମ୍ପତ୍ୟ ଜୀବନ କାମନା କରିଥିଲେ ।
ସୂଚନା ଅନୁଯାୟୀ, ସୁରେଶ ସିଂହ ମୁଣ୍ଡା ରାଞ୍ଚି ଜିଲ୍ଲାର ବୁଣ୍ଡୁ ଅଞ୍ଚଳର ବାରୁଆତୁ ଗାଁର ବାସିନ୍ଦା । ସେହିପରି ସୋମବାରୀ ହେମ୍ବ୍ରମ ତମାଡ଼ ଅଞ୍ଚଳର ଆରାହାଙ୍ଗା ଗାଁର ବାସିନ୍ଦା । ଉଭୟ ପୂର୍ବରୁ ନକ୍ସଲ ସଂଗଠନ ସହ ଜଡ଼ିତ ଥିଲେ। କିନ୍ତୁ ପରେ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତିରେ ପ୍ରଭାବିତ ହୋଇ ହିଂସାର ପଥ ଛାଡ଼ିଥିଲେ । ଆତ୍ମସମର୍ପଣ ପରେ ଉଭୟ ହଜାରିବାଗ ମୁକ୍ତ କାରାଗାରରେ ରହୁଥିଲେ । ଏହି ସମୟରେ ଜିଲ୍ଲା ପ୍ରଶାସନ ଓ ପୁଲିସର ମାନବିକ ପଦକ୍ଷେପ ଯୋଗୁଁ ସେମାନଙ୍କ ବିବାହ ସମ୍ଭବ ହୋଇଥିଲା । ପାରମ୍ପରିକ ରୀତିନୀତି ଅନୁସାରେ ପୂରା ଆନୁଷ୍ଠାନିକ ଭାବେ ବିବାହ ସମ୍ପନ୍ନ ହୋଇଥିଲା ।
ବିବାହକୁ ଆଇନଗତ ସ୍ୱୀକୃତି ଦେବା ପାଇଁ ହଜାରିବାଗର ଜିଲ୍ଲା ବିବାହ ଅଧିକାରୀ ରାଜେଶ ଏକ୍କା ଘଟଣାସ୍ଥଳରେ ବିବାହ ପଞ୍ଜୀକରଣ କରିଥିଲେ । ଫଳରେ ଏହି ବିବାହ ସାମାଜିକ ସ୍ୱୀକୃତି ସହ ଆଇନଗତ ବୈଧତା ମଧ୍ୟ ପାଇଛି । ହିଂସାର ପଥ ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଫେରିଥିବା ଏହି ଦମ୍ପତିଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା କେବଳ ଦୁଇ ଜଣଙ୍କ ନୂଆ ଜୀବନର ଆରମ୍ଭ ନୁହେଁ, ବରଂ ଆତ୍ମସମର୍ପଣ ଓ ପୁନର୍ବାସ ମାଧ୍ୟମରେ ସମାଜକୁ ଫେରିବାର ଏକ ପ୍ରେରଣାଦାୟକ ଉଦାହରଣ ।

