ଫ୍ଲାଇଦୁବାଇ ବିମାନରେ କୋ-ପାଇଲଟଙ୍କ ଭୟଙ୍କର କାଣ୍ଡକୁ ନେଇ ଆସିଛି ବଡ଼ ଖୁଲାସା । ନିଜ କ୍ୟାପ୍ଟେନଙ୍କୁ ଛୁରୀରେ ଆକ୍ରମଣ କରିବା ଏବଂ ବିମାନକୁ ଧକ୍କା ଦେଇ ଖସାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ଥିବା କୋ-ପାଇଲଟ୍ଙ୍କୁ ନେଇ ଏବେ ସାମ୍ନାକୁ ଆସିଛି ଆହୁରି ସାଂଘାତିକ ତଥ୍ୟ ।
ଫ୍ଲାଇଦୁବାଇ ବିମାନରେ କୋ-ପାଇଲଟଙ୍କ ଭୟଙ୍କର କାଣ୍ଡକୁ ନେଇ ଆସିଛି ବଡ଼ ଖୁଲାସା । ନିଜ କ୍ୟାପ୍ଟେନଙ୍କୁ ଛୁରୀରେ ଆକ୍ରମଣ କରିବା ଏବଂ ବିମାନକୁ ଧକ୍କା ଦେଇ ଖସାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ଥିବା କୋ-ପାଇଲଟ୍ଙ୍କୁ ନେଇ ଏବେ ସାମ୍ନାକୁ ଆସିଛି ଆହୁରି ସାଂଘାତିକ ତଥ୍ୟ । ରିପୋର୍ଟ ଅନୁସାରେ, ଓମାନର ଏହି କୋ-ପାଇଲଟ୍ଙ୍କୁ ପୂର୍ବରୁ ବିମାନ ଉଡ଼ାଇବାରୁ ବାରଣ କରାଯାଇଥିଲା । ସୁରକ୍ଷା ଆଶଙ୍କା ଏବଂ ତାଙ୍କର ବିଚାରଧାରାକୁ ନେଇ ଓମାନ କର୍ତ୍ତୃପକ୍ଷ ତାଙ୍କ ଉପରେ ଏହି କଟକଣା ଲଗାଇଥିବା ଦାବି କରାଯାଇଛି। ପରେ ସେ ଫ୍ଲାଇଦୁବାଇରେ ଚାକିରି ପାଇଥିଲେ । ତେବେ ଓମାନ ପକ୍ଷରୁ ଏହି ସୂଚନା ଅନ୍ୟ ଦେଶ କିମ୍ବା ଏୟାରଲାଇନ୍ସକୁ ଦିଆଯାଇଥିଲା କି ନାହିଁ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ ।
ଘଟଣାଟି ଘଟିଥିଲା ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ଫ୍ଲାଇଟ୍ ୧୦୭୩ରେ । ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଏହି ବିମାନରେ ୧୭୦ରୁ ଅଧିକ ଯାତ୍ରୀ ଓ କ୍ରୁ ଥିଲେ । ଉଡ଼ାଣ ସମୟରେ କୋ-ପାଇଲଟ୍ କ୍ୟାପ୍ଟେନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାପରେ ବିମାନଟି ହଠାତ୍ ଦୁଇଥର ତଳକୁ ଖସିଥିଲା । ଗୋଟିଏ ସମୟରେ ମାତ୍ର ୩୦ ସେକେଣ୍ଡରେ ବିମାନଟି ୧୬ ହଜାର ଫୁଟ୍ରୁ ଅଧିକ ଉଚ୍ଚତା ହରାଇଥିଲା । ଏହାପରେ ବିମାନରୁ ଜରୁରୀ ସଙ୍କେତ ପଠାଯାଇଥିଲା ଏବଂ ତେଲ୍ ଆଭିଭ୍ ଯିବା ପରିବର୍ତ୍ତେ ସାଉଦି ଆରବର ତାବୁକ୍ରେ ଜରୁରୀ ଅବତରଣ କରାଯାଇଥିଲା ।
ସବୁଠାରୁ ବଡ଼ କଥା ହେଉଛି, କ୍ୟାପ୍ଟେନ୍ ଆହତ ହୋଇଥିଲେ ମଧ୍ୟ କକପିଟ୍ର ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ । ଏହାପରେ କିଛି ଯାତ୍ରୀ କକପିଟ୍ ଭିତରକୁ ପଶି କୋ-ପାଇଲଟ୍ଙ୍କୁ କାବୁ କରିଥିଲେ। ବିମାନରେ ଥିବା ଜଣେ ଡାକ୍ତର ଆହତ କ୍ୟାପ୍ଟେନଙ୍କୁ ଚିକିତ୍ସା କରିଥିଲେ । ଆଉ ଦୁଇଜଣ ଅଫ୍-ଡ୍ୟୁଟି ଫ୍ଲାଇଦୁବାଇ ପାଇଲଟ୍ ବିମାନର ନିୟନ୍ତ୍ରଣ ନେଇ ତାବୁକ୍ରେ ସୁରକ୍ଷିତ ଲ୍ୟାଣ୍ଡିଂ କରାଇଥିଲେ ।
ଏବେ ଏହି ଘଟଣାର ମୋଟିଭ୍କୁ ନେଇ ତଦନ୍ତ ଜୋରଦାର ହୋଇଛି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କୋ-ପାଇଲଟ୍ଙ୍କୁ ‘ଇସ୍ଲାମିଷ୍ଟ ରାଡିକାଲ୍ ଇଣ୍ଡୋକ୍ଟ୍ରିନେସନ୍’ କରାଯାଇଥିବା ଦାବି କରିଛନ୍ତି । ତେବେ ଏହି ଦାବିର ସ୍ୱାଧୀନ ପ୍ରମାଣ ସାର୍ବଜନୀନ ହୋଇନାହିଁ ଏବଂ ତଦନ୍ତକାରୀମାନେ ଏଯାଏଁ ଚୂଡ଼ାନ୍ତ ଭାବେ ଆକ୍ରମଣର ଉଦ୍ଦେଶ୍ୟ ନିର୍ଦ୍ଧାରଣ କରିନାହାନ୍ତି ।

