ଡିଏମକେର ବରିଷ୍ଠ ନେତା ପି. କେ. ଶେଖର ବାବୁଙ୍କ ସମେତ ୧୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ଚେନ୍ନାଇ ପୁଲିସ। କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ଏବଂ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଭେପେରୀ ଥାନାରେ ଏଫ୍ଆଇଆର୍ ଦାୟର ହୋଇଛି ।
ତାମିଲନାଡୁର ରାଜନୀତିରେ ହଟଚମଟ । ଡିଏମକେର ବରିଷ୍ଠ ନେତା ପି. କେ. ଶେଖର ବାବୁଙ୍କ ସମେତ ୧୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ଚେନ୍ନାଇ ପୁଲିସ। କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ଏବଂ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଭେପେରୀ ଥାନାରେ ଏଫ୍ଆଇଆର୍ ଦାୟର ହୋଇଛି । ପୂର୍ବତନ ସ୍କୁଲ ଶିକ୍ଷାମନ୍ତ୍ରୀ ଅନବିଲ୍ ମହେଶ ପୋୟାମୋଝିଙ୍କ ଗିରଫଦାରୀକୁ ନେଇ ହୋଇଥିବା ହଙ୍ଗାମା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।
ସୂଚନା ଅନୁସାରେ, ଗତ ଅକ୍ଟୋବର ୨୬ ତାରିଖରେ ଘରୋଇ ସ୍କୁଲଗୁଡ଼ିକୁ ସ୍ୱୀକୃତି ଓ ଅନୁମୋଦନ ଦେବା ନାଁରେ ପ୍ରାୟ ୧୦୦ କୋଟି ଟଙ୍କାର ଲାଞ୍ଚ କାରବାର ଅଭିଯୋଗ ସହ ଜଡ଼ିତ ମାମଲାରେ ମଦ୍ରାସ ହାଇକୋର୍ଟ ପୋୟାମୋଝିଙ୍କ ଅଗ୍ରିମ ଜାମିନ ଆବେଦନ ଖାରଜ କରିଥିଲେ। ଏହାପରେ କେନ୍ଦ୍ରୀୟ ଅପରାଧ ଶାଖା ତାଙ୍କୁ ଗିରଫ କରି ପଚରାଉଚରା ପାଇଁ ଚେନ୍ନାଇ ପୁଲିସ କମିଶନରଙ୍କ କାର୍ଯ୍ୟାଳୟକୁ ନେଇଥିଲା।
ଏହି ଖବର ପ୍ରଚାର ହେବା ପରେ ଡିଏମକେ ନେତା ଓ ସମର୍ଥକମାନେ ସେଠାରେ ଏକାଠି ହୋଇ ବିକ୍ଷୋଭ କରିଥିଲେ। ଅଭିଯୁକ୍ତଙ୍କ ସହ ଆଇନଜୀବୀଙ୍କୁ ଯିବାକୁ ଦିଆଯାଉନଥିବା ଅଭିଯୋଗ କରି ସେମାନେ ପ୍ରତିବାଦ କରିଥିଲେ। ଏହି ସମୟରେ ପୁଲିସ ଓ ଡିଏମକେ ନେତାଙ୍କ ମଧ୍ୟରେ ପାଟିତୁଣ୍ଡ ସହ ଠେଲାପେଲା ହୋଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଅଦାଲତ ପୋୟାମୋଝିଙ୍କୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି। ଏବେ ଶେଖର ବାବୁଙ୍କ ସମେତ ୧୨ ଜଣଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଡିଏମକେ ପାଇଁ ଅଡୁଆ ବଢ଼ିଛି। ତେବେ ଏହି ମାମଲାରେ ଆଗକୁ ପୁଲିସ କି ପଦକ୍ଷେପ ନେଉଛି, ତାହା ଉପରେ ନଜର ରହିଛି।

