୧୮ ଘଣ୍ଟା ଡ୍ୟୁଟି ପରେ ଦୁର୍ଘଟଣାଗ୍ରସ୍ତ ୧୦୮ ଆମ୍ବୁଲାନ୍ସ । ଗାଡ଼ିରେ ଫସି ରହିଲେ ଡ୍ରାଇଭର ଓ ଜଣେ କର୍ମଚାରୀ । କଟରରେ କାଟି ଉଦ୍ଧାର କଲା ଅଗ୍ନିଶମ ବାହିନୀ । ମୟୂରଭଞ୍ଜ ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ।
୧୮ ଘଣ୍ଟା ଡ୍ୟୁଟି ପରେ ଦୁର୍ଘଟଣାଗ୍ରସ୍ତ ୧୦୮ ଆମ୍ବୁଲାନ୍ସ । ଗାଡ଼ିରେ ଫସି ରହିଲେ ଡ୍ରାଇଭର ଓ ଜଣେ କର୍ମଚାରୀ । କଟରରେ କାଟି ଉଦ୍ଧାର କଲା ଅଗ୍ନିଶମ ବାହିନୀ । ମୟୂରଭଞ୍ଜ ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ଆମ୍ବୁଲାନ୍ସଟି ଜଣେ ରୋଗୀଙ୍କୁ ଆଣିବା ପାଇଁ ଯାଉଥିଲା ବେଳେ ଗତକାଲି ରାତି ପ୍ରାୟ ୨ଟାରେ ରାଇରଙ୍ଗପୁର ଉପଖଣ୍ଡ କୁସୁମୀ ବ୍ଲକ୍ର ଖେରଣା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆହତ କର୍ମଚାରୀଙ୍କ କହିବା ଅନୁସାରେ, ସେମାନେ ସକାଳ ୮ଟାରୁ ଡ୍ୟୁଟିରେ ଯୋଗ ଦେଇଥିଲେ । କିନ୍ତୁ ରାତି ୨ଟା ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ବିଶ୍ରାମ ମିଳିନଥିଲା । ଡ୍ରାଇଭର ସେତେବେଳକୁ ପ୍ରାୟ ୧୮ ଘଣ୍ଟା ଧରି ଲଗାତାର ଗାଡ଼ି ଚଳାଇ ସାରିଥିଲେ । ଏହି ସମୟରେ ପ୍ରବଳ ବର୍ଷା ହେଉଥିବା ବେଳେ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ ତାଙ୍କ ନଜରକୁ ଆସିନଥିଲା । ଆମ୍ବୁଲାନ୍ସଟି ଟ୍ରକର ପଛପଟେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଦୁର୍ଘଟଣା ପରେ ଆମ୍ବୁଲାନ୍ସର ସମ୍ମୁଖ ଅଂଶ ସମ୍ପୂର୍ଣ୍ଣ ଚାପି ହୋଇଯାଇଥିଲା । ଡ୍ରାଇଭର ଓ ଅନ୍ୟ ଜଣେ କର୍ମଚାରୀ ଗାଡ଼ି ଭିତରେ ଫସି ରହିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ ଆମ୍ବୁଲାନ୍ସକୁ କାଟି ଉଭୟଙ୍କୁ ଉଦ୍ଧାର କରିଥିଲା । ପରେ ସେମାନଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଉଭୟଙ୍କ ଚିକିତ୍ସା ଚାଲିଛି । ଏହି ଘଟଣା ପରେ ପୁଣି ଥରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟ ପରିସ୍ଥିତି ଓ ଠିକା ସଂସ୍ଥାର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିଛି। କର୍ମଚାରୀ ସଂଘର ଅଭିଯୋଗ, ଦୀର୍ଘ ସମୟ ଧରି ବିନା ବିଶ୍ରାମରେ କାମ କରାଯାଉଥିବା ସତ୍ତ୍ୱେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଠିକା ସଂସ୍ଥା କୌଣସି ପଦକ୍ଷେପ ନେଉନାହିଁ । ଏପରିକି ଦୁଇ ଦିନ ପୂର୍ବରୁ ଏକ ଗ୍ରୁପ୍ ବାର୍ତ୍ତା ମାଧ୍ୟମରେ କୌଣସି କେସ୍ ବାତିଲ ହେଲେ ସମ୍ପୃକ୍ତ କର୍ମଚାରୀଙ୍କଠାରୁ ୫ଶହ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ସୂଚନା ଦିଆଯାଇଥିବା ସଂଘ ଦାବି କରିଛି । ବାରମ୍ବାର ଘଟୁଥିବା ଆମ୍ବୁଲାନ୍ସ ଦୁର୍ଘଟଣା ପଛରେ ଅତ୍ୟଧିକ କାର୍ଯ୍ୟଭାର, ବିଶ୍ରାମର ଅଭାବ ଓ ଠିକା ସଂସ୍ଥାର ପରିଚାଳନାଗତ ତ୍ରୁଟି ରହିଛି କି ନାହିଁ, ତାହାର ନିରପେକ୍ଷ ତଦନ୍ତ କରିବାକୁ କର୍ମଚାରୀ ସଂଘ ଦାବି କରିଛି ।

