ତ୍ରିପୁରାର ଆଦିବାସୀ ଯୁବକଙ୍କୁ ବାଂଲାଦେଶୀ-ଚାଇନିଜ୍ କହି ଆକ୍ଷେପ ; କଣ୍ଟେଣ୍ଟ କ୍ରିଏଟର୍ ଆମିର ସୋକିନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

ଭାଇରାଲ୍ ଭିଡିଓରେ ଆମିର ସୋକିନ୍ ତ୍ରିପୁରାର ଯୁବକଙ୍କ ଚେହେରା ଓ ପରିଚୟକୁ ନେଇ ଅପମାନଜନକ ମନ୍ତବ୍ୟ ଦେବା ସହ ତାଙ୍କୁ ‘ଚାଇନିଜ୍’ ବୋଲି ସମ୍ବୋଧନ କରିଥିବା ଅଭିଯୋଗ ହୋଇଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ତ୍ରିପୁରା ସମେତ ଉତ୍ତର-ପୂର୍ବ ଭାରତର ବିଭିନ୍ନ ଅଞ୍ଚଳରେ ଏହାକୁ ନେଇ ପ୍ରତିବାଦର ସ୍ୱର ଉଠିଛି ।

ତ୍ରିପୁରାର ଜଣେ ଆଦିବାସୀ ଯୁବକଙ୍କୁ ‘ଚାଇନିଜ୍’ କହି ଉପହାସ କରିବା ମହଙ୍ଗା ପଡ଼ିଛି ସୋସିଆଲ୍ ମିଡିଆ କଣ୍ଟେଣ୍ଟ କ୍ରିଏଟର୍ ଆମିର ସୋକିନଙ୍କୁ । ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଉତ୍ତର-ପୂର୍ବାଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାକୁ ନେଇ ଅଭିଯୁକ୍ତଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିବାବେଳେ ଦିଲ୍ଲୀ ପୁଲିସ ତଦନ୍ତ କରୁଛି ।

ଭାଇରାଲ୍ ଭିଡିଓରେ ଆମିର ସୋକିନ୍ ତ୍ରିପୁରାର ଯୁବକଙ୍କ ଚେହେରା ଓ ପରିଚୟକୁ ନେଇ ଅପମାନଜନକ ମନ୍ତବ୍ୟ ଦେବା ସହ ତାଙ୍କୁ ‘ଚାଇନିଜ୍’ ବୋଲି ସମ୍ବୋଧନ କରିଥିବା ଅଭିଯୋଗ ହୋଇଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ତ୍ରିପୁରା ସମେତ ଉତ୍ତର-ପୂର୍ବ ଭାରତର ବିଭିନ୍ନ ଅଞ୍ଚଳରେ ଏହାକୁ ନେଇ ପ୍ରତିବାଦର ସ୍ୱର ଉଠିଛି । ସମାଲୋଚକଙ୍କ କହିବା ଅନୁସାରେ, କୌଣସି ବ୍ୟକ୍ତିଙ୍କ ଚେହେରା କିମ୍ବା ଜାତିଗତ ପରିଚୟକୁ ନେଇ ଅପମାନ କରିବାକୁ ହାସ୍ୟରସର ନାଁ ଦେଇ ଯଥାର୍ଥ ବୋଲି କୁହାଯାଇପାରିବ ନାହିଁ ।

ବିବାଦ ବଢ଼ିବା ପରେ ଆମିର ସୋକିନ୍ ଏକ କ୍ଷମା ପ୍ରାର୍ଥନା ଭିଡିଓ ଜାରି କରିଥିବା ଜଣାପଡ଼ିଛି। ଏହା ଏକ ପୂର୍ବ ଯୋଜନାବଦ୍ଧ ମଜାଦାର ଭିଡିଓ ଥିଲା ବୋଲି ସେ ଦାବି କରିଛନ୍ତି । ତେବେ ତାଙ୍କର ଏହି ସଫେଇ ସତ୍ତ୍ୱେ ସୋସିଆଲ୍ ମିଡିଆରେ ତାଙ୍କ ବିରୋଧରେ ଅସନ୍ତୋଷ ଜାରି ରହିଛି ।

ଏହି ଘଟଣାକୁ ଗୁରୁତ୍ୱର ସହ ନେଇ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ କଠୋର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବା ଉଚିତ ବୋଲି ସେ କହିଛନ୍ତି । ଦିଲ୍ଲୀ ଓ ତ୍ରିପୁରା ପୁଲିସ ସମନ୍ୱୟ ରକ୍ଷା କରି ଏହି ମାମଲାରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ମଧ୍ୟ ସେ ଆଶ୍ୱାସନା ଦେଇଛନ୍ତି ।

ଅନ୍ୟପଟେ, ଟିପ୍ରା ମୋଥା ଦଳର ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ଅଗରତଳା ପୁଲିସ ଷ୍ଟେସନରେ ଆମିର ସୋକିନଙ୍କ ବିରୋଧରେ ଏତଲା ଦାଖଲ କରାଯାଇଛି । ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ମଧ୍ୟ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଦିଲ୍ଲୀ ପୁଲିସ ସହ ଯୋଗାଯୋଗ ରଖି ଘଟଣାର ତଦନ୍ତ ଓ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣା ପୁଣିଥରେ ଜାତିଗତ ଭେଦଭାବ ଓ ଉତ୍ତର-ପୂର୍ବ ଭାରତର ଲୋକଙ୍କ ପରିଚୟକୁ ନେଇ ହେଉଥିବା ଅପମାନଜନକ ମନ୍ତବ୍ୟ ଉପରେ ଆଲୋଚନାକୁ ଜୋରଦାର କରିଛି । ଏବେ ସମସ୍ତଙ୍କ ନଜର ପୁଲିସ ତଦନ୍ତ ଓ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଉପରେ ରହିଛି ।

Leave a Reply

Your email address will not be published. Required fields are marked *