ଜଣେ ବିଜେପି ସମର୍ଥକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ସମୀର ଘୋଷ । ଏହି ଘଟଣା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ୬ ଜଣ ଆହତ ହୋଇଛନ୍ତି ।
ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ରାଜନୈତିକ ହିଂସାକୁ ନେଇ ଉତ୍ତେଜନା । ଜଣେ ବିଜେପି ସମର୍ଥକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ସମୀର ଘୋଷ । ଏହି ଘଟଣା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ୬ ଜଣ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ବୁଧବାର ରାତିରେ ମାଲଦା ଜିଲ୍ଲାର ରାମକେଲି ଅଞ୍ଚଳରେ ଏହି ଘଟଣା ଘଟିଥିଲା। ସମୀରଙ୍କୁ ପ୍ରଥମେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯିବା ପରେ ଦୁଇ ରାଉଣ୍ଡ ଗୁଳି ଚଳାଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ପୁଲିସ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି । ଏହି ହତ୍ୟାକାଣ୍ଡ ପଛରେ ବିରୋଧୀ ରାଜନୈତିକ ଗୋଷ୍ଠୀର ହାତ ଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ।
ସମୀରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା । ଏଥିରେ ୬ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ମାଲଦା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା ପୁଲିସ ପକ୍ଷରୁ କୁହାଯାଇଛି । ଅନ୍ୟପଟେ, ଏହି ହତ୍ୟାକାଣ୍ଡ ଓ ଗୋଷ୍ଠୀ ସଂଘର୍ଷ ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନଥିବା ଜଣାପଡ଼ିଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି ।

