ରାଲି ଟାଳିବାକୁ ରାହୁଲଙ୍କୁ ବ୍ୟବସାୟୀଙ୍କ ଶେଷ ଅପିଲ୍‌, କ୍ଷତି ହେଲେ ମାଗିବେ କ୍ଷତିପୂରଣ

ବ୍ରିଜେଶ ଗୋୟଲଙ୍କ ଦାବି ଅନୁସାରେ, ରାଲିକୁ ୧୦ ଲକ୍ଷ ଲୋକ ଆସିବାର ସମ୍ଭାବନା ରହିଛି। ହେଲେ ରାମଲୀଳା ମୈଦାନ ନିକଟରେ ୨୦୦ଟି ବସ୍ ପାର୍କିଂ କରିବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ।

ଦିଲ୍ଲୀରେ ରାଜନୈତିକ ରାଲିକୁ ନେଇ ତେଜିଲା ବିବାଦ। ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ ହେବାକୁ ଥିବା ଇଣ୍ଡିଆ ମେଣ୍ଟର ମହାରାଲିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବ୍ୟବସାୟୀ। ଦୀପାବଳି ପରେ ରାଲି କରିବାକୁ ଦାବି କରି ଏବେ ରାହୁଲ ଗାନ୍ଧିଙ୍କୁ ଶେଷ ଥର ପାଇଁ ଅପିଲ୍ କରିଛନ୍ତି ବ୍ୟବସାୟୀ। ଏଥର ନିଜ ଦାବି ଜଣାଇବା ପାଇଁ ଏକ ନିଆରା ଉପାୟ ଆପଣାଇଛନ୍ତି ସେମାନେ। ରାମଲୀଳା ମୈଦାନ ନିକଟସ୍ଥ କମଳା ମାର୍କେଟର ବିଭିନ୍ନ ଦୋକାନ ବାହାରେ ପୋଷ୍ଟର ଲଗାଯାଇଛି। ଯେଉଁଥିରେ ଲେଖାଯାଇଛି, ‘ରାଜନୀତିର ବଜାରରେ ଆମ ମୋହବତ୍‌ର ଦୋକାନ ବନ୍ଦ କରନ୍ତୁ ନାହିଁ।’

ସୂଚନା ଅନୁସାରେ, ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି ବା CTI ପକ୍ଷରୁ ରାହୁଲ ଗାନ୍ଧି, ସୋନିଆ ଗାନ୍ଧିଙ୍କ ସମେତ ଇଣ୍ଡିଆ ମେଣ୍ଟର ନେତାମାନଙ୍କୁ ଏପର୍ଯ୍ୟନ୍ତ ୬ଟି ଚିଠି ଲେଖାଯାଇଛି। ଦୀପାବଳି ପରେ ରାଲି କରିବାକୁ ଏଥିରେ ଅନୁରୋଧ କରାଯାଇଥିଲା। କିନ୍ତୁ ବ୍ୟବସାୟୀଙ୍କ ଅଭିଯୋଗ, ଏତେଥର ଅପିଲ୍ କରିବା ପରେ ମଧ୍ୟ କଂଗ୍ରେସ କିମ୍ବା ଇଣ୍ଡିଆ ମେଣ୍ଟର କୌଣସି ନେତା ସେମାନଙ୍କ ସହ ଆଲୋଚନା କରିନାହାନ୍ତି।

CTI ଅଧ୍ୟକ୍ଷ ବ୍ରିଜେଶ ଗୋୟଲଙ୍କ କହିବା ଅନୁସାରେ, ଦୀପାବଳି ପରେ ରାଲି ହୋଇଥିଲେ ବ୍ୟବସାୟୀଙ୍କର କୌଣସି ଆପତ୍ତି ନଥିଲା। କିନ୍ତୁ ଧନତେରସ୍‌ର ମାତ୍ର ୪ ଦିନ ପୂର୍ବରୁ ଏତେ ବଡ଼ ରାଲି ହେଲେ ଆଖପାଖର ବଜାର ଉପରେ ଗୁରୁତର ପ୍ରଭାବ ପଡ଼ିବ। ରାମଲୀଳା ମୈଦାନର ୫ କିଲୋମିଟର ପରିଧି ମଧ୍ୟରେ ପ୍ରାୟ ୩୫୦ ବର୍ଷ ପୁରୁଣା ବଜାର ରହିଛି। ଏହି ବଜାରଗୁଡ଼ିକ ଶୁଖିଲା ଫଳ, ଲେହେଙ୍ଗା, ଶାଢ଼ି, ସୁଟ୍ ଓ ଅଟୋ ପାର୍ଟସ୍ ବ୍ୟବସାୟ ପାଇଁ ପ୍ରସିଦ୍ଧ।

ବ୍ରିଜେଶ ଗୋୟଲଙ୍କ ଦାବି ଅନୁସାରେ, ରାଲିକୁ ୧୦ ଲକ୍ଷ ଲୋକ ଆସିବାର ସମ୍ଭାବନା ରହିଛି। ହେଲେ ରାମଲୀଳା ମୈଦାନ ନିକଟରେ ୨୦୦ଟି ବସ୍ ପାର୍କିଂ କରିବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ଏତେ ସଂଖ୍ୟକ ଗାଡ଼ି କେଉଁଠି ରହିବ? ଟ୍ରାଫିକ୍ ଜାମ୍ ଓ ବ୍ୟାରିକେଡିଂ ଯୋଗୁଁ ଗ୍ରାହକଙ୍କ ଯାତାୟାତ ବାଧାପ୍ରାପ୍ତ ହେବ। ଏହି ବଜାରକୁ ପ୍ରତିଦିନ ଆଖପାଖ ସହରରୁ ୧ରୁ ୪ ଲକ୍ଷ ଲୋକ କିଣାକିଣି ପାଇଁ ଆସନ୍ତି। ରାଲି ଯୋଗୁଁ ବ୍ୟବସାୟ ପ୍ରଭାବିତ ହେଲେ ୧୦ରୁ ୧୨ ହଜାର କୋଟି ଟଙ୍କାର କ୍ଷତି ହୋଇପାରେ ବୋଲି ବ୍ୟବସାୟୀ ଆଶଙ୍କା କରିଛନ୍ତି।

ରାହୁଲ ଗାନ୍ଧିଙ୍କ ‘ନଫରତ୍‌ର ବଜାରରେ ମୋହବତ୍‌ର ଦୋକାନ ଖୋଲିବି’ ବୟାନକୁ ଉଦାହରଣ ଦେଇ ବ୍ରିଜେଶ କହିଛନ୍ତି, ବ୍ୟବସାୟୀଙ୍କ ଦୋକାନ ମଧ୍ୟ ମୋହବତ୍‌ର ଦୋକାନ। ତେଣୁ ବ୍ୟବସାୟୀଙ୍କ ଜୀବିକାକୁ ଧ୍ୟାନରେ ରଖି ରାଲିକୁ ଦୀପାବଳି ପରେ କରାଯାଉ। ଯଦି ରାଲି ଯୋଗୁଁ ବ୍ୟବସାୟୀଙ୍କୁ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡ଼େ, ତେବେ ସେମାନେ କୋର୍ଟର ଦ୍ୱାରସ୍ଥ ହେବେ। ଏପରିକି କଂଗ୍ରେସଠାରୁ କ୍ଷତିପୂରଣ ମଧ୍ୟ ଦାବି କରିପାରନ୍ତି।

Leave a Reply

Your email address will not be published. Required fields are marked *