ମାଟି ତଳେ ୩ ଡ୍ରମ୍‌ରେ କୋଟି କୋଟି ଟଙ୍କା, ଆହୁରି ଟଙ୍କା ପୋତା ଥିବା ସନ୍ଦେହ

ଉତ୍ତରପ୍ରଦେଶର ପ୍ରୟାଗରାଜ ନବାବଗଞ୍ଜରେ ଏକ ଘର ଭିତରେ ମାଟି ତଳୁ ତିନିଟି ଡ୍ରମ୍‌ରେ ଭର୍ତ୍ତି ଟଙ୍କା ବିଡ଼ା ମିଳିଛି। ପ୍ରାୟ ୬୦ କୋଟି ଟଙ୍କା ଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ଏହାର ଅଧିକାରିକ ପୁଷ୍ଟି ହୋଇନାହିଁ। ଆୟକର ବିଭାଗ ଟଙ୍କା ଗଣତି କରୁଥିବା ବେଳେ ପୁଲିସ ଏହାର ଉତ୍ସ ଓ ପ୍ରକୃତ ମାଲିକଙ୍କୁ ଖୋଜୁଛି।

ଘର ଭିତରେ ମାଟି ଖୋଳିବା ପରେ ବାହାରିଲା ଟଙ୍କାର ପାହାଡ଼ । ଗୋଟିଏ ପରେ ଗୋଟିଏ ତିନିଟି ଡ୍ରମ୍‌ରୁ ମିଳିଲା ନୋଟ୍‌ ବିଡ଼ା । ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲା ନବାବଗଞ୍ଜ ଅଞ୍ଚଳର ବରେଇପୁର ରାମନଗର ଗାଁର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା, କିଏ ଏହାକୁ ମାଟି ତଳେ ଲୁଚାଇ ରଖିଥିଲା ଏବଂ କେତେ ଦିନ ଧରି ଏହା ପୋତା ହୋଇ ରହିଥିଲା, ତାହାର ଖୋଳତାଡ଼ କରୁଛି ପୁଲିସ ଓ ଆୟକର ବିଭାଗ ।

ବୁଧବାର ରାତିରେ ଗଙ୍ଗାନଗର ପୁଲିସ ବରେଇପୁର ରାମନଗର ଗାଁର ରାଜେଶ ଯାଦବଙ୍କ ଘରେ ଚଢ଼ାଉ କରିଥିଲା । ଘର ଭିତରେ ମାଟି ଖୋଳାଯିବା ପରେ ଗୋଟିଏ ପରେ ଗୋଟିଏ ତିନିଟି ଡ୍ରମ୍‌ ମିଳିଥିଲା । ଡ୍ରମ୍‌ ଖୋଲିବା ପରେ ସେଥିରେ ଭର୍ତ୍ତି ହୋଇ ରହିଥିବା ଟଙ୍କା ବିଡ଼ା ଦେଖି ପୁଲିସ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ଡ୍ରମ୍‌ଗୁଡ଼ିକରେ ଖାଲି ୫୦୦ ଟଙ୍କିଆ ନୋଟ୍‌ ଭର୍ତ୍ତି ହୋଇଥିଲା । 

ପ୍ରାରମ୍ଭିକ ଭାବେ ଏହି ଟଙ୍କାର ପରିମାଣ କୋଟି କୋଟି ହୋଇଥିବା କୁହାଯାଉଛି । ଗାଁରେ ପ୍ରାୟ ୬୦ କୋଟି ଟଙ୍କା ମିଳିଥିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ପ୍ରକୃତ ପରିମାଣ ସ୍ପଷ୍ଟ ହୋଇନାହିଁ । ଟଙ୍କା ଗଣତି ପରେ ହିଁ ପ୍ରକୃତ ପରିମାଣ ସ୍ପଷ୍ଟ ହେବ ।

ଅନ୍ୟପଟେ, ଗୁରୁବାର ସନ୍ଧ୍ୟାରେ ଆୟକର ବିଭାଗର ୬ ଜଣିଆ ଟିମ୍‌ ନବାବଗଞ୍ଜ ଥାନାରେ ପହଞ୍ଚିଥିଲା । ଟଙ୍କା ଗଣିବା ପାଇଁ ମେସିନ୍‌ ମଧ୍ୟ ଅଣାଯାଇଥିଲା । ଶୁକ୍ରବାର ଚାରିଟି ମେସିନ୍‌ ସାହାଯ୍ୟରେ ଟଙ୍କା ଗଣତି ଆରମ୍ଭ ହୋଇଥିବା ରିପୋର୍ଟ ଆସିଛି । ରାଜେଶ ଯାଦବ ଓ ତାଙ୍କ ଭାଇ ରାକେଶଙ୍କୁ ଅଲଗା ଅଲଗା ରଖି ପଚରାଉଚରା କରାଯାଉଛି । ତେବେ ଉଭୟଙ୍କ ବୟାନ ମେଳ ଖାଉନଥିବା ଥିବା ନେଇ ମଧ୍ୟ ଖବର ଆସିଛି ।

ଏହି ଘଟଣା ପଛରେ ପାରିବାରିକ ବିବାଦ ଥିବା ନେଇ ଗାଁରେ ଚର୍ଚ୍ଚା ହେଉଛି । ଜମି ଓ ଟଙ୍କା ବଣ୍ଟାକୁ ନେଇ ଭଉଣୀ, ଭିଣୋଇ ଏବଂ ଦୁଇ ଭାଇଙ୍କ ମଧ୍ୟରେ ମନୋମାଳିନ୍ୟ ଥିଲା । ସେହିପରି ପୁଣେରୁ ବିପୁଳ ପରିମାଣର ଟଙ୍କା ଆଣି ମାଟି ତଳେ ଲୁଚାଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । କିନ୍ତୁ ଏସବୁ ଦାବିର ସତ୍ୟତା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଘଟଣାର ଗମ୍ଭୀରତାକୁ ଦେଖି ଗାଁରେ ପୁଲିସ ମୁତୟନ କରାଯାଇଛି । ଘରକୁ ସିଲ୍‌ କରିବା ସହ ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି । ଘର ଭିତରେ ଆହୁରି ଟଙ୍କା କିମ୍ବା ମୂଲ୍ୟବାନ ସାମଗ୍ରୀ ପୋତା ହୋଇଥିବା ସନ୍ଦେହରେ ପୁଣି ଖୋଳାଖୋଳି କରାଯିବାର ସମ୍ଭାବନା ରହିଛି। ଏବେ ପୁଲିସ ଓ ଆୟକର ବିଭାଗର ତଦନ୍ତରୁ ଟଙ୍କାର ପ୍ରକୃତ ମାଲିକ ଏବଂ ଏହାର ଉତ୍ସ ସମ୍ପର୍କରେ କ’ଣ ତଥ୍ୟ ସାମ୍ନାକୁ ଆସୁଛି, ତା’ ଉପରେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *