ନିଶିକାନ୍ତଙ୍କ ବିରୋଧରେ ପୋଷ୍ଟ କରିବା ପଡ଼ିଲା ମହଙ୍ଗା : ମହୁଆଙ୍କୁ ହାଇକୋର୍ଟର ଝଟ୍‌କା

ନିଶିକାନ୍ତ ଦୁବେଙ୍କ ବିରୋଧରେ ସୋସିଆଲ ମିଡିଆରେ କରାଯାଇଥିବା ବିବାଦୀୟ ଟିପ୍ପଣୀକୁ ହଟାଇବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ଯଦି ଏପରି କରାନଯାଏ, ତେବେ କୋର୍ଟ ନିର୍ଦ୍ଦେଶ ଜାରି କରିବେ ବୋଲି ଚେତାବନୀ ଦେଇଥିଲେ ।

ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମାନହାନି ମାମଲାରେ ତୃଣମୂଳ କଂଗ୍ରେସ (TMC) ସାଂସଦ ମହୁଆ ମୋଇତ୍ରା ଏବଂ ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟ୍‌କା ଲାଗିଛି । ନିଶିକାନ୍ତ ଦୁବେଙ୍କ ବିରୋଧରେ ସୋସିଆଲ ମିଡିଆରେ କରାଯାଇଥିବା ବିବାଦୀୟ ଟିପ୍ପଣୀକୁ ହଟାଇବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ଯଦି ଏପରି କରାନଯାଏ, ତେବେ କୋର୍ଟ ନିର୍ଦ୍ଦେଶ ଜାରି କରିବେ ବୋଲି ଚେତାବନୀ ଦେଇଥିଲେ ।

ଏହି ଘଟଣା ପରେ ନିଶିକାନ୍ତ ଦୁବେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବତନ ଅର୍ଥ ସଚିବ ସୁଭାଷ ଗର୍ଗ ମଧ୍ୟ ତାଙ୍କ ବିରୋଧରେ ଦେଇଥିବା ଅନାବଶ୍ୟକ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି। ଏହା ସତ୍ୟର ବିଜୟ ବୋଲି ଦୁବେ ଲେଖିଛନ୍ତି । ବିଜେପି ସାଂସଦ ନିଶିକାନ୍ତ ଦୁବେ ମହୁଆ ମୋଇତ୍ରା ଏବଂ ସୁଭାଷ ଚନ୍ଦ୍ର ଗର୍ଗଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ । ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସମୟରେ ମହୁଆ ମୋଇତ୍ରାଙ୍କ ଓକିଲ ତାଙ୍କ ବିବାଦୀୟ ପୋଷ୍ଟ ହଟାଇବାକୁ ରାଜି ଥିବା ଜଣାଇଥିଲେ । ସେହିପରି ସୁଭାଷ ଗର୍ଗଙ୍କ ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା ଯେ, ସେ ସମ୍ପୃକ୍ତ ପଡ୍‌କାଷ୍ଟରଙ୍କୁ ବିବାଦୀୟ ଭିଡିଓରୁ ଆପତ୍ତିଜନକ ଅଂଶକୁ ବ୍ଲକ୍‌ କରିବାକୁ ଅନୁରୋଧ କରିବେ ।

ମହୁଆ ମୋଇତ୍ରା ନିଶିକାନ୍ତ ଦୁବେଙ୍କୁ ‘ଫେକ୍ ଡିଗ୍ରୀ ଧାରୀ ବ୍ୟକ୍ତି’ ବୋଲି ଉଲ୍ଲେଖ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଏହି ପୋଷ୍ଟକୁ ହଟାଇବାକୁ ସେ ଦିଲ୍ଲୀ ହାଇକୋର୍ଟରେ ରାଜି ହୋଇଥିଲେ । ଏହାପରେ ନିଶିକାନ୍ତ ଦୁବେ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇ ଏହାକୁ ସତ୍ୟର ବିଜୟ ବୋଲି କହିଥିଲେ । ଅନ୍ୟପଟେ, ଏକ ପଡ୍‌କାଷ୍ଟରେ ସୁଭାଷ ଗର୍ଗ ନିଶିକାନ୍ତ ଦୁବେଙ୍କୁ ‘ବ୍ଲାକ୍‌ମେଲିଂ କରୁଥିବା ବ୍ୟକ୍ତି’ ବୋଲି କହିଥିବା ଅଭିଯୋଗ ହୋଇଥିଲା । ଏହାପରେ ବିଚାରପତି ଜଷ୍ଟିସ୍ ତୁଷାର ରାଓ ଗେଡେଲା ଉଭୟ ପକ୍ଷଙ୍କ ବୟାନ ରେକର୍ଡ କରିବା ସହ ଜବାବ ଦାଖଲ ପାଇଁ ସମନ ଜାରି କରିଥିଲେ ।

ଶୁଣାଣି ସମୟରେ ମହୁଆ ମୋଇତ୍ରାଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ନିଶିକାନ୍ତ ଦୁବେଙ୍କ ସହ ତାଙ୍କର ରାଜନୈତିକ ବିବାଦ ରହିଛି ଏବଂ ତାଙ୍କ ଡିଗ୍ରୀ ଉପରେ ପ୍ରଶ୍ନ ଉଠାଇବା ତାଙ୍କର ଅଧିକାର । ଏହି ସମୟରେ ସୁଭାଷ ଗର୍ଗ ନିଶିକାନ୍ତ ଦୁବେଙ୍କୁ ‘ବ୍ଲାକ୍‌ମେଲର୍’ କହିବା ପ୍ରସଙ୍ଗରେ କୋର୍ଟ ଆପତ୍ତି ଉଠାଇଥିଲେ। ବିଚାରପତି ପ୍ରଶ୍ନ କରିଥିଲେ, “ଯଦି କେହି ଆପଣଙ୍କୁ ବ୍ଲାକ୍‌ମେଲର୍ କହିବେ, ତେବେ ଆପଣ କ’ଣ ଏହାକୁ ହାଲୁକା ଭାବେ ନେବେ? ଆପଣ ଭାବୁଛନ୍ତି କି ଆମେ ଏହା ବୁଝିପାରୁନାହୁଁ? କୌଣସି ବ୍ୟକ୍ତିଙ୍କ ପାଇଁ ଏପରି ଶବ୍ଦ ବ୍ୟବହାର କରିହେବ ନାହିଁ । ଏହା ସମ୍ପୂର୍ଣ୍ଣ ଅପମାନଜନକ।”

ସୁଭାଷ ଗର୍ଗଙ୍କ ଆପତ୍ତିଜନକ ଟିପ୍ପଣୀ ଥିବା ଭିଡିଓକୁ ମହୁଆ ମୋଇତ୍ରା ‘ଏକ୍ସ’ରେ ସେୟାର କରିଥିଲେ । ଏହା ସହ ସେ ନିଶିକାନ୍ତ ଦୁବେଙ୍କୁ ‘ବ୍ଲାକ୍‌ମେଲିଂ କରୁଥିବା ବ୍ୟକ୍ତି’ ଏବଂ ‘ଫେକ୍ ଡିଗ୍ରୀ ଧାରୀ’ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ । ଏଥିସହ ମାନହାନି ମାମଲା, ଲୋକପାଳ, ଇଡି ଓ ସିବିଆଇର ଧମକକୁ ସେ ଭୟ କରୁନଥିବା କହିଥିଲେ । ଅନ୍ୟପଟେ, ନିଶିକାନ୍ତ ଦୁବେଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି ଦିଆଯାଇଥିଲା ଯେ, ତାଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗ ମିଥ୍ୟା, ଉଦ୍ଦେଶ୍ୟପ୍ରଣୋଦିତ ଏବଂ ମାନହାନିକାରକ। ଏହି ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଆଇନଗତ ପ୍ରକ୍ରିୟା ଜାରି ରହିଛି ।

Leave a Reply

Your email address will not be published. Required fields are marked *