ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS) ଅନୁସାରେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଚୀନର ତିବ୍ବତ ଅଞ୍ଚଳର ନାଗଚୁ ସହରଠାରୁ ପ୍ରାୟ ୧୯୧ କିଲୋମିଟର ପୂର୍ବ-ଉତ୍ତରପୂର୍ବ ଦିଗରେ ରହିଥିଲା।
ତିବ୍ବତରେ ଅକ୍ଟୋବର ୨୨ ତାରିଖରେ ଆସିଥିବା ୭.୦ ତୀବ୍ରତାର ଭୂକମ୍ପର ଭୟଙ୍କର ପ୍ରଭାବ ଏବେ ଜମି ଉପରେ ଦେଖିବାକୁ ମିଳିଛି। ଭୂକମ୍ପର କେନ୍ଦ୍ରସ୍ଥଳଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଭୂମି ଫାଟିବା ଓ ଘୁଞ୍ଚିବାର ଚିହ୍ନ ଠାବ କରିଛନ୍ତି ବୈଜ୍ଞାନିକ। କେତେକ ସ୍ଥାନରେ ଭୂମିର ଦୁଇ ଭାଗ ମଧ୍ୟରେ ୩.୫ ମିଟର ପର୍ଯ୍ୟନ୍ତ ଉଚ୍ଚତାର ପାର୍ଥକ୍ୟ ଦେଖିବାକୁ ମିଳିଛି। ସେହିପରି କିଛି ଅଞ୍ଚଳରେ ମାଟି ପ୍ରାୟ ୦.୯ ମିଟର ବାମ ପାର୍ଶ୍ୱକୁ ଘୁଞ୍ଚିଯାଇଛି। ଭୂମିରେ ଫାଟ ସୃଷ୍ଟି ହେବା ସହ ବାଲିରେ ପାଣି ଭରିଯିବାର ଚିହ୍ନ ମଧ୍ୟ ମିଳିଛି। ଏହି ଅନୁଧ୍ୟାନ ଭୂକମ୍ପ ସମୟରେ ପୃଥିବୀର ଅଭ୍ୟନ୍ତରରେ କିଭଳି ପରିବର୍ତ୍ତନ ଘଟିଥିଲା, ତାହା ବୁଝିବାରେ ସହାୟକ ହେବ।
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS) ଅନୁସାରେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଚୀନର ତିବ୍ବତ ଅଞ୍ଚଳର ନାଗଚୁ ସହରଠାରୁ ପ୍ରାୟ ୧୯୧ କିଲୋମିଟର ପୂର୍ବ-ଉତ୍ତରପୂର୍ବ ଦିଗରେ ରହିଥିଲା। ଭୂପୃଷ୍ଠଠାରୁ ପ୍ରାୟ ୧୮ କିଲୋମିଟର ଗଭୀରରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା।
ଭୂକମ୍ପ ପରେ ବୈଜ୍ଞାନିକମାନେ ଭୂମିରେ ଫାଟ ଓ ମାଟି ଘୁଞ୍ଚିଯିବାର ଚିହ୍ନ ଦେଖିଛନ୍ତି। ଭୂଗର୍ଭରେ ଥିବା ଚଟାଣ ଭାଙ୍ଗିବା କିମ୍ବା ଗୋଟିଏ ଅଂଶ ଅନ୍ୟ ଅଂଶ ତୁଳନାରେ ଘୁଞ୍ଚିଯିବା ଯୋଗୁଁ ଯେଉଁ ଫାଟ ସୃଷ୍ଟି ହୁଏ, ତାହାକୁ ଫଲ୍ଟ କୁହାଯାଏ। ଏହାର ପ୍ରଭାବ ଯେତେବେଳେ ଭୂପୃଷ୍ଠରେ ଦେଖାଯାଏ, ତାହାକୁ ସର୍ଫେସ୍ ରପ୍ଚର୍ କୁହାଯାଏ। ଅନ୍ୟପଟେ, ଭୂମିରେ ବାଲି ସହ ପାଣି ଉପରକୁ ଆସିବାର ଚିହ୍ନକୁ ସ୍ୟାଣ୍ଡ ଲିକ୍ୱିଫ୍ୟାକ୍ସନ୍ କୁହାଯାଏ। ଭୂକମ୍ପର ତୀବ୍ର କମ୍ପନ ଯୋଗୁଁ ବାଲି କଣିକା ମଧ୍ୟରେ ଥିବା ଜଳର ଚାପ ବଢ଼ିଯାଏ। ଫଳରେ ମାଟି ନିଜର ଦୃଢ଼ତା ହରାଇପାରେ। ଏଭଳି ପରିସ୍ଥିତିରେ ଘର, କୋଠା ଓ ଅନ୍ୟ ନିର୍ମାଣକୁ କ୍ଷତି ପହଞ୍ଚିବାର ଆଶଙ୍କା ରହିଥାଏ।
ବୈଜ୍ଞାନିକଙ୍କ ମତରେ, ଭୂପୃଷ୍ଠର ଉପରିଭାଗରେ ସୃଷ୍ଟି ହୋଇଥିବା ଟାଣ ଯୋଗୁଁ ଚଟାଣରେ ଚାପ ପରିବର୍ତ୍ତନ ହୋଇଥିଲା। ଏହି ପ୍ରକ୍ରିୟାକୁ ନର୍ମାଲ୍ ଫଲ୍ଟିଂ କୁହାଯାଏ। ଏଥିରେ ଚଟାଣର ଗୋଟିଏ ଅଂଶ ଅନ୍ୟ ଅଂଶ ତୁଳନାରେ ତଳକୁ ଖସିଯାଇପାରେ। ଏହି ସମୟରେ ଶକ୍ତି ମୁକ୍ତ ହୋଇ ଭୂକମ୍ପ ସୃଷ୍ଟି ହୁଏ।
ଭାରତୀୟ ଓ ୟୁରେସୀୟ ଟେକ୍ଟୋନିକ୍ ପ୍ଲେଟ୍ର ଗତିବିଧି ସହ ତିବ୍ବତ ଅଞ୍ଚଳର ଭୂଗର୍ଭୀୟ ଗଠନ ଜଡ଼ିତ। ଏହି ଦୁଇ ପ୍ଲେଟ୍ର ଧକ୍କା ଯୋଗୁଁ ହିମାଳୟ ଓ ତିବ୍ବତୀୟ ମାଳଭୂମି ସୃଷ୍ଟି ହୋଇଛି। ଭୂମିରେ ମିଳିଥିବା ଫାଟ ଓ ଘୁଞ୍ଚିବାର ଚିହ୍ନ ଭୂକମ୍ପର ପ୍ରକୃତ ପ୍ରଭାବ ବୁଝିବାରେ ସହାୟକ ହେବ। କେଉଁ ଅଞ୍ଚଳରେ କେତେ ପରିବର୍ତ୍ତନ ହୋଇଛି, ତାହାର ଆକଳନ କରାଯାଇପାରିବ। ଆଗାମୀ ଅନୁଧ୍ୟାନରୁ ଫାଟର ବିସ୍ତାର ଓ ଭୂଗର୍ଭରେ ହୋଇଥିବା ଚଟାଣର ଗତିବିଧି ସମ୍ପର୍କରେ ଅଧିକ ତଥ୍ୟ ମିଳିପାରେ।

