ସେ ସରକାରୀ ଦରରେ ଜମି କିଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ପନ୍ତଙ୍କ ଏହି ପୋଷ୍ଟର ଜବାବ ଦେଇ ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି ଯେ, ଋଷଭ ପନ୍ତ ଉତ୍ତରାଖଣ୍ଡର ଗୌରବ । ତାଙ୍କ ଖେଳ ଓ ସଫଳତା ମାଧ୍ୟମରେ ସେ ଦେଶ ତଥା ବିଦେଶରେ ଦେବଭୂମିର ନାମକୁ ଉଜ୍ଜ୍ୱଳ କରିଛନ୍ତି ।
ନିଜ ମାଟି ଉତ୍ତରାଖଣ୍ଡକୁ ଫେରିବାକୁ ମନ ବଳାଇଛନ୍ତି ଭାରତୀୟ କ୍ରିକେଟର ଋଷଭ ପନ୍ତ । ରାଜ୍ୟରେ ନିଜ ଆବଶ୍ୟକତା ଅନୁଯାୟୀ ଜମି ଖୋଜୁଥିବା ପନ୍ତ ଏନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ନିକଟରେ ସହାୟତା ମାଗିଛନ୍ତି । ପନ୍ତଙ୍କ ଅନୁରୋଧ ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ତୁରନ୍ତ ପଦକ୍ଷେପ ନେଇଛନ୍ତି ।
ବିଳମ୍ବିତ ରାତିରେ ‘ଏକ୍ସ’ରେ ପୋଷ୍ଟ କରି ପନ୍ତ କହିଥିଲେ ଯେ ସେ ଦିଲ୍ଲୀରୁ ଉତ୍ତରାଖଣ୍ଡକୁ ସ୍ଥାନାନ୍ତର ହେବାକୁ ଚାହୁଁଛନ୍ତି । ଏଥିପାଇଁ ଗତ ପ୍ରାୟ ତିନି ବର୍ଷ ଧରି ଜମି ଖୋଜୁଥିଲେ ମଧ୍ୟ ତାଙ୍କ ଆବଶ୍ୟକତା ପୂରଣ କରିପାରୁଥିବା ଜମି ମିଳିନାହିଁ । ସେ ସରକାରୀ ଦରରେ ଜମି କିଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ପନ୍ତଙ୍କ ଏହି ପୋଷ୍ଟର ଜବାବ ଦେଇ ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି ଯେ, ଋଷଭ ପନ୍ତ ଉତ୍ତରାଖଣ୍ଡର ଗୌରବ । ତାଙ୍କ ଖେଳ ଓ ସଫଳତା ମାଧ୍ୟମରେ ସେ ଦେଶ ତଥା ବିଦେଶରେ ଦେବଭୂମିର ନାମକୁ ଉଜ୍ଜ୍ୱଳ କରିଛନ୍ତି । ନିଜ ମାତୃଭୂମିକୁ ଫେରି ଆସି ରାଜ୍ୟ ପାଇଁ କିଛି କରିବାର ପନ୍ତଙ୍କ ଇଚ୍ଛାକୁ ମଧ୍ୟ ଧାମୀ ପ୍ରଶଂସା କରିଛନ୍ତି । ଧାମୀ କହିଛନ୍ତି ଯେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକାରୀମାନେ ଖୁବଶୀଘ୍ର ପନ୍ତଙ୍କ ସହ ଯୋଗାଯୋଗ କରିବେ ଏବଂ ନିୟମ ଅନୁଯାୟୀ ତାଙ୍କୁ ସମ୍ଭବ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ।
ଋଷଭ ପନ୍ତ ଉତ୍ତରାଖଣ୍ଡର ହରିଦ୍ୱାର ଜିଲ୍ଲା ଅନ୍ତର୍ଗତ ରୁଡ଼କିରେ ଜନ୍ମଗ୍ରହଣ କରିଥିଲେ । କ୍ରିକେଟରେ କ୍ୟାରିୟର ଗଢ଼ିବା ଲକ୍ଷ୍ୟରେ ସେ ପରେ ଦିଲ୍ଲୀ ଯାଇଥିଲେ । ଘରୋଇ କ୍ରିକେଟରେ ସେ ଦିଲ୍ଲୀ ଦଳର ପ୍ରତିନିଧିତ୍ୱ କରୁଛନ୍ତି । ବର୍ତ୍ତମାନ ଭାରତୀୟ ଦଳ ସହ ଶ୍ରୀଲଙ୍କା ଗସ୍ତରେ ଥିବା ପନ୍ତ ଦୁଇଟି ଟେଷ୍ଟ ମ୍ୟାଚ୍ର ସିରିଜ୍ ଖେଳୁଛନ୍ତି । ଏହି ସିରିଜ୍ରେ ତାଙ୍କ ବ୍ୟାଟିଂ ଉପରେ ଭାରତୀୟ ଦଳର ନଜର ରହିଛି ।
ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ଦୀପ ଦାସଗୁପ୍ତା ମଧ୍ୟ ପନ୍ତଙ୍କ ଭୂମିକାକୁ ନେଇ ମତ ରଖିଛନ୍ତି । ଶ୍ରୀଲଙ୍କା ଦଳରେ ଦୁଇଜଣ ବାମହାତୀ ସ୍ପିନର ଥିବାରୁ ସେମାନଙ୍କ ବିପକ୍ଷରେ ପନ୍ତଙ୍କ ବ୍ୟାଟିଂ ଭାରତ ପାଇଁ ଗୁରୁତ୍ୱ ବହନ କରିପାରେ ବୋଲି ସେ କହିଛନ୍ତି । ଘରୋଇ କ୍ରିକେଟରେ ଦିଲ୍ଲୀ ପକ୍ଷରୁ ଖେଳି ପନ୍ତ ୪୩.୩୭ ହାରାହାରିରେ ୩,୫୫୭ ରନ୍ ସଂଗ୍ରହ କରିଛନ୍ତି ।

