ଦୀର୍ଘ ଦିନର ବର୍ଷା ଅଭାବ ପରେ ଏବେ ଚାଷୀଙ୍କ ମୁହଁରେ ଦେଖାଦେଇଛି ଆଶାର ଚମକ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ଝିପ୍ ଝିପ୍ ବର୍ଷା ।
ଦୀର୍ଘ ଦିନର ବର୍ଷା ଅଭାବ ପରେ ଏବେ ଚାଷୀଙ୍କ ମୁହଁରେ ଦେଖାଦେଇଛି ଆଶାର ଚମକ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ଝିପ୍ ଝିପ୍ ବର୍ଷା । ଆକାଶରୁ ଝରୁଥିବା ଏହି ବର୍ଷା ବୁନ୍ଦା ଚାଷୀଙ୍କ ପାଇଁ ଆଣିଛି ନୂଆ ଆଶ୍ୱସ୍ତି । ବର୍ଷା ଅଭାବ ଯୋଗୁଁ ଧାନ ରୁଆ ଓ ବେଉସା କାମ ଅଟକି ଯାଇଥିଲା । କ୍ଷେତରେ ଆବଶ୍ୟକ ପାଣି ନଥିବାରୁ ଚାଷୀମାନେ ଚିନ୍ତାରେ ଥିଲେ । ଧାନ ଚାଷ ପଛେଇ ଯାଉଥିବା ବେଳେ ଚାଷୀଙ୍କ ମନରେ ବଢ଼ିଥିଲା ଆଶଙ୍କା ।ହେଲେ ଏବେ ଖଲ୍ଲିକୋଟ ଅଞ୍ଚଳରେ ବର୍ଷା ଆରମ୍ଭ ହେବା ପରେ ଚାଷୀମାନେ ପୁଣି କ୍ଷେତମୁହାଁ ହୋଇଛନ୍ତି ।
ସକାଳୁ ଚାଷ କାମ ପାଇଁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଚାଷୀ । କ୍ଷେତରେ ପାଣି ଜମିବା ଆରମ୍ଭ ହେବାରୁ ଧାନ ରୁଆ କାମ ଆଗକୁ ବଢ଼ିବ ବୋଲି ଆଶା ରହିଛି । ସେପଟେ ପାଣିପାଗ ବିଭାଗ ମଧ୍ୟ ରାଜ୍ୟରେ ବର୍ଷାର ପରିମାଣ ଆହୁରି ବଢ଼ିବା ନେଇ ପୂର୍ବାନୁମାନ କରିଛି । ଯଦି ଆଗାମୀ ଦିନରେ ଲଗାତାର ବର୍ଷା ଜାରି ରହେ, ତେବେ ଚାଷ କାର୍ଯ୍ୟ ସ୍ୱାଭାବିକ ହେବା ସହ ଚାଷୀଙ୍କ ଦୀର୍ଘ ଦିନର ଚିନ୍ତା ମଧ୍ୟ ଦୂର ହେବ । ବର୍ଷାର ଅପେକ୍ଷାରେ ଥିବା ଚାଷୀଙ୍କ ପାଇଁ ଏହି ବର୍ଷା କେବଳ ପାଣି ନୁହେଁ, ବରଂ ନେଇଆସିଛି ନୂଆ ଆଶା ଓ ଭରସା ।

