ଆଇପିଏଲ୍‌ ୨୦୨୭ ମିନି ଅକ୍ସନ୍‌ ତାରିଖ ଘୋଷଣା! ଏହି ଦିନ ଗୋଆରେ ହେବ ଆୟୋଜନ

ବିସିସିଆଇ ପକ୍ଷରୁ ପଠାଯାଇଥିବା ମେସେଜ୍‌ରେ ଉଲ୍ଲେଖ ରହିଛି ଯେ, ଆଇପିଏଲ୍‌ ୨୦୨୭ ପାଇଁ ଖେଳାଳି ନିଲାମ ଡିସେମ୍ବର ୧୬, ୨୦୨୬ରେ ଗୋଆର ଆଇଟିସି ଗ୍ରାଣ୍ଡ ଗୋଆରେ ଅନୁଷ୍ଠିତ ହେବ।

ଆଇପିଏଲ୍‌ ୨୦୨୭କୁ ନେଇ କ୍ରିକେଟ୍‌ ଜଗତରେ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆସନ୍ତା ସିଜିନ୍‌ ପାଇଁ ଖେଳାଳି ନିଲାମ ବା ଅକ୍ସନ୍‌ ତାରିଖ ସାମ୍ନାକୁ ଆସିଛି। ଡିସେମ୍ବର ୧୬ ତାରିଖରେ ଗୋଆର ଏକ ଫାଇଭ୍‌ ଷ୍ଟାର୍‌ ହୋଟେଲରେ ଆଇପିଏଲ୍‌ ୨୦୨୭ର ଖେଳାଳି ନିଲାମ ହେବାକୁ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। କ୍ରିକେଟ୍‌ ୱେବସାଇଟ୍‌ କ୍ରିକ୍‌ବଜ୍‌ର ରିପୋର୍ଟ ଅନୁଯାୟୀ, ବିସିସିଆଇର ଲଜିଷ୍ଟିକ୍ସ ଟିମ୍‌ ପଠାଇଥିବା ଏକ ହ୍ୱାଟ୍ସଆପ୍‌ ମେସେଜ୍‌ରୁ ଏହି ତାରିଖ ବିଷୟରେ ସୂଚନା ମିଳିଛି।

ରିପୋର୍ଟ ଅନୁସାରେ, ବିସିସିଆଇ ପକ୍ଷରୁ ପଠାଯାଇଥିବା ମେସେଜ୍‌ରେ ଉଲ୍ଲେଖ ରହିଛି ଯେ, ଆଇପିଏଲ୍‌ ୨୦୨୭ ପାଇଁ ଖେଳାଳି ନିଲାମ ଡିସେମ୍ବର ୧୬, ୨୦୨୬ରେ ଗୋଆର ଆଇଟିସି ଗ୍ରାଣ୍ଡ ଗୋଆରେ ଅନୁଷ୍ଠିତ ହେବ। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଡିସେମ୍ବର ୧୫ରେ ଅକ୍ସନ୍‌ ସମ୍ପର୍କିତ ବ୍ରିଫିଂ ବା ଆଲୋଚନା ହେବ।

ତେବେ ଏହି ତାରିଖ ଓ ସ୍ଥାନ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ବିସିସିଆଇ ପକ୍ଷରୁ ଫ୍ରାଞ୍ଚାଇଜି ମାଲିକ କିମ୍ବା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କୌଣସି ଔପଚାରିକ ଇମେଲ୍‌ ପଠାଯାଇନାହିଁ। ଏହା ସତ୍ତ୍ୱେ ଅନେକ ଆଇପିଏଲ୍‌ ଫ୍ରାଞ୍ଚାଇଜି କ୍ରିକ୍‌ବଜ୍‌କୁ ହ୍ୱାଟ୍ସଆପ୍‌ ମେସେଜ୍‌ ମିଳିଥିବା କଥା ସ୍ପଷ୍ଟ କରିଥିବା ରିପୋର୍ଟରେ କୁହାଯାଇଛି।

ଏହି ନିଲାମ ଆଇପିଏଲ୍‌ର ସମସ୍ତ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। କେଉଁ ଖେଳାଳିଙ୍କୁ ଦଳରେ ସାମିଲ କରାଯିବ, କେଉଁ ଖେଳାଳିଙ୍କୁ ଛାଡ଼ିବାକୁ ପଡ଼ିବ ଏବଂ କେଉଁ ନୂଆ ଚେହେରାଙ୍କ ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ଭରସା କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିବ। ତେବେ ଅକ୍ସନ୍‌ର ତାରିଖ ଓ ସ୍ଥାନକୁ ନେଇ ବିସିସିଆଇର ଔପଚାରିକ ଘୋଷଣାକୁ ଅପେକ୍ଷା କରାଯାଇଛି। ଆଗାମୀ ଦିନରେ ଏହି ନିଲାମକୁ ନେଇ ଅଧିକ ସ୍ପଷ୍ଟତା ଆସିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *