ହଟିଲା ୨ ମାସିଆ କଟକଣା । ସଜବାଜ ହେଲେଣି ସାଗର ସୌଦାଗର । ଗଭୀର ସମୁଦ୍ରରୁ ମାଛ ମାରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ମତ୍ସ୍ୟଜୀବୀ । ଚଳଚଞ୍ଚଳ ବାଲେଶ୍ୱରରେ ତାଳସାରୀ ଓ ଉଦୟପୁର ବେଳାଭୂମି।କଟକଣା ସମୟର ସରକାରୀ ସହାୟତା ମିଳୁନଥିବାରୁ ଅସନ୍ତୋଷ ଝାଡ଼ିଲେ ମତ୍ସ୍ୟଜୀବୀ ।
ମତ୍ସ୍ୟଜୀବୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଦୀର୍ଘ ଦୁଇ ମାସର ସାମୁଦ୍ରିକ କଟକଣା ଶେଷ ହୋଇଛି। ସୋମବାର ରାତିଠାରୁ ପୁଣିଥରେ ନୀଳ ସମୁଦ୍ରର ବୁକୁ ଚିରି ମାଛ ମାରିବାକୁ ବାହାରିବେ ସାଗର ସୌଦାଗର। ଏଥିପାଇଁ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ପ୍ରମୁଖ ମାଛଧରା କେନ୍ଦ୍ରଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ତେବେ କଟକଣା ହଟିଥିବାରୁ ଖୁସି ତ ଅଛନ୍ତି, କିନ୍ତୁ ସରକାରୀ ଅବହେଳାକୁ ନେଇ କ୍ଷୋଭ ମଧ୍ୟ ରହିଛି।
ସୋମବାର ରାତି ଠାରୁ ସମୁଦ୍ରକୁ ମାଛ ମାରିବାକୁ ଯିବେ ସାଗର ସୌଦାଗର। ଏବେ ଠାରୁ ଭୋଗରାଇର ପ୍ରମୁଖ ମାଛଧରା କେନ୍ଦ୍ର ଉଦୟପୁର, ତାଳସାରୀ, ରଣସିଂହପୁର ଏବଂ କୀର୍ତ୍ତନିଆ ଜେଟି ଚଳଚଞ୍ଚଳ ହୋଇ ଉଠିଲାଣି। ସମୁଦ୍ରିକ ଜୀବ ମାଛ, କଙ୍କଡ଼ାଙ୍କ ପ୍ରଜନନ ଋତୁ ପାଇଁ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୫ରୁ ଜୁନ୍ ୧୪ ଦୁଇ ମାସ ସମୁଦ୍ରରେ ମାଛ ମାରିବା ଉପରେ କଟକଣା ଲାଗିଥିଲା। ଏହି ସମୟରେ ମାଛମାନେ ଗଭୀର ଜଳରୁ କୂଳକୁ ଆସି ଅଣ୍ଡା ଦେଇଥାନ୍ତି, ସେଥିପାଇଁ ଯନ୍ତ୍ରଚାଳିତ ଡଙ୍ଗା ଉପରେ କଟକଣା ଲଗାଇଥିଲେ ସରକାର। ତେବେ ଏହି କଟକଣା ହଟିବା ପରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବେ। ଏଥିପାଇଁ ଟ୍ରଲର ମାଲିକଙ୍କ ଠାରୁ ଆରମ୍ଭ କରି ଡଙ୍ଗା କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ତତ୍ପରତା ବଢ଼ିଯାଇଛି। ତେବେ ଏହି ୨ ମାସ ଭୋଗରାଇର ପ୍ରାୟ ୨ ହଜାରରୁ ଅଧିକ ମତ୍ସ୍ୟଜୀବୀ ଜୀବିକା ହରାଇ ଆର୍ଥିକ ଅନଟନରେ ଗତି କରୁଥିଲେ।
ଭୋଗରାଇ ବ୍ୟତୀତ ଜଳେଶ୍ଵର, ବାଲିଆପାଳ ଓ ବସ୍ତା ଅଞ୍ଚଳର ଶହ ଶହ ମତ୍ସ୍ୟଜୀବୀ ପରିବାର ଭୋଗରାଇକୁ ଆସି ଏଠାରେ ମାଛ ମାରିଥାନ୍ତି। କିନ୍ତୁ ପରିତାପର ବିଷୟ, ଆଜି ଯାଏଁ ଠିକ୍ ଭାବେ ସେମାନଙ୍କ ପରିସଂଖ୍ୟାନ ହୋଇନି କି ସମସ୍ତଙ୍କୁ ବାୟୋମେଟ୍ରିକ କାର୍ଡ ମିଳିପାରିନାହିଁ। ତେଣୁ ୨ ମାସର ଜୀବିକା ହରାଇଲେ ବି ମିଳେ ନାହିଁ କୌଣସି ସରକାରୀ ସହାୟତା। ତେଣୁ ବହୁ କଷ୍ଟରେ ଦୁଇ ମାସ କାଟିଥାନ୍ତି ମତ୍ସ୍ୟଜୀବୀ ପରିବାର। କଟକଣା ହଟିଛି, ପୁଣିଥରେ ନିଜ ଭାଗ୍ୟକୁ ଆଦରି ସମୁଦ୍ର ବୁକୁକୁ ଓହ୍ଲାଇବେ ମତ୍ସ୍ୟଜୀବୀ। ହେଲେ ପ୍ରଶ୍ନ ଉଠୁଛି, ପ୍ରତିବର୍ଷ ଏହି ଦୁଇ ମାସର କଟକଣା ସମୟରେ ମତ୍ସ୍ୟଜୀବୀଙ୍କୁ ମିଳୁଥିବା ସରକାରୀ ସହାୟତା କେବେ ସବୁ ମତ୍ସ୍ୟଜୀବୀଙ୍କ ପାଖରେ ପହଞ୍ଚିବ? କେବେ ସେମାନଙ୍କୁ ହକ୍ ମିଳିବ? ତା ଉପରେ ସମସ୍ତଙ୍କ ନଜର।

