ସୁଦାନ ସେନା ଏବଂ ଅର୍ଦ୍ଧସାମରିକ ସଂଗଠନ ରାପିଡ୍ ସପୋର୍ଟ ଫୋର୍ସେସ୍ (ଆରଏସଏଫ) ମଧ୍ୟରେ ଦୀର୍ଘଦିନ ଧରି ସଂଘର୍ଷ ଜାରି ରହିଛି। ଗତ କିଛି ସପ୍ତାହ ହେଲା ଉଭୟ ପକ୍ଷରୁ ଡ୍ରୋନ୍ ଆକ୍ରମଣ ବୃଦ୍ଧି ପାଇଛି।
ସୁଦାନରେ ଗୃହଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଏହାରି ମଧ୍ୟରେ ଦକ୍ଷିଣ ଦାରଫୁର ପ୍ରଦେଶର ରାଜଧାନୀ ନିଆଲାର ଏକ ବ୍ୟସ୍ତବହୁଳ ବଜାର ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି। ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୩ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ମାନବାଧିକାର ସଂଗଠନ ଏମର୍ଜେନ୍ସି ଲୟର୍ସ ଅନୁଯାୟୀ, ଏହି ଆକ୍ରମଣ ପାଇଁ ସୁଦାନ ସେନା ଦାୟୀ। ସଂଗଠନ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଏହାକୁ ସାଧାରଣ ନାଗରିକଙ୍କ ଉପରେ ଏକ ଭୟଙ୍କର ଆକ୍ରମଣ ବୋଲି କହିଛି। ଅନ୍ୟପଟେ, ଆନ୍ତର୍ଜାତୀୟ ଚିକିତ୍ସା ସଂଗଠନ ଡକ୍ଟର୍ସ ୱିଦାଉଟ୍ ବର୍ଡର୍ସ (ଏମଏସଏଫ) କହିଛି ଯେ, ନିଆଲାସ୍ଥିତ ଏହାର ହସ୍ପିଟାଲକୁ ୩୬ ଜଣଙ୍କ ମୃତଦେହ ଅଣାଯାଇଥିଲା। ଏହା ସହ ୧୫୦ରୁ ଅଧିକ ଆହତଙ୍କୁ ଜରୁରୀକାଳୀନ ବିଭାଗରେ ଚିକିତ୍ସା କରାଯାଇଥିଲା। ଏହି ତଥ୍ୟ ଆକ୍ରମଣର ଭୟାବହତାକୁ ସ୍ପଷ୍ଟ କରୁଛି।
ସୁଦାନ ସେନା ଏବଂ ଅର୍ଦ୍ଧସାମରିକ ସଂଗଠନ ରାପିଡ୍ ସପୋର୍ଟ ଫୋର୍ସେସ୍ (ଆରଏସଏଫ) ମଧ୍ୟରେ ଦୀର୍ଘଦିନ ଧରି ସଂଘର୍ଷ ଜାରି ରହିଛି। ଗତ କିଛି ସପ୍ତାହ ହେଲା ଉଭୟ ପକ୍ଷରୁ ଡ୍ରୋନ୍ ଆକ୍ରମଣ ବୃଦ୍ଧି ପାଇଛି। ହସ୍ପିଟାଲ, ସ୍କୁଲ, ବଜାର, ଡ୍ୟାମ୍ ଏବଂ ବିସ୍ଥାପିତଙ୍କ ଶିବିର ଭଳି ବେସାମରିକ ସ୍ଥାନ ମଧ୍ୟ ଏହି ଆକ୍ରମଣରୁ ବର୍ତ୍ତି ପାରୁନାହିଁ। ଫଳରେ ସାଧାରଣ ଲୋକଙ୍କ ଜୀବନ ଗଭୀର ସଙ୍କଟରେ ପଡ଼ିଛି।
ଏପଟେ ଖାର୍ତୁମ ନିକଟସ୍ଥ ଓମଦୁରମାନରେ ଥିବା ଅଲ୍-ମାରକିୟାତ୍ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଷ୍ଟେସନ ଉପରେ ମଧ୍ୟ ଡ୍ରୋନ୍ ଆକ୍ରମଣ ହୋଇଛି। ଏଥିପାଇଁ ଆରଏସଏଫକୁ ଦାୟୀ କରାଯାଇଛି। ଆକ୍ରମଣ ଯୋଗୁଁ ଖାର୍ତୁମର ଏକ ବଡ଼ ଅଞ୍ଚଳରେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍ ଯୋଗାଣ ବନ୍ଦ ରହିଛି। ଲଗାତାର ଆକ୍ରମଣ ଯୋଗୁଁ ସୁଦାନରେ ମାନବିକ ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି।

