କମ୍ପାନିର ସ୍ୱାସ୍ଥ୍ୟସେବା ପଦକ୍ଷେପ ମାଧ୍ୟମରେ ଆର୍ଥିକ ବର୍ଷ ୨୦୨୫-୨୬ରେ ଓଡ଼ିଶା ଏବଂ ଛତିଶଗଡ଼ର ୭ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ବେଦାନ୍ତ ଆଲୁମିନିୟମ ହସ୍ପିଟାଲ, ମୋବାଇଲ୍ ହେଲ୍ଥ ୟୁନିଟ୍, ଡାଇଗ୍ନୋଷ୍ଟିକ୍ ସେଣ୍ଟର ଏବଂ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳରେ ଆବଶ୍ୟକୀୟ ଚିକିତ୍ସା ସେବା ପହଞ୍ଚାଇ ଆସୁଛି।
ଜାତୀୟ ଡାକ୍ତର ଦିବସ ଅବସରରେ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ Vedanta Aluminium ଗ୍ରାମୀଣ ଭାରତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ନିୟୋଜିତ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଅବଦାନକୁ ସମ୍ମାନ ଜଣାଇଛି ।
ଏହି ଅବସରରେ ବେଦାନ୍ତ ଆଲୁମିନିୟମର ସିଇଓ ରାଜେଶ କୁମାର କହିଛନ୍ତି, “ଆମ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଏବଂ ଜୀବନର ମାନ ଉନ୍ନତ କରିବାରେ ଡାକ୍ତରମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି । ଗୁଣାତ୍ମକ ଚିକିତ୍ସା ସେବା ଯେପରି ପ୍ରତ୍ୟେକ ଲୋକଙ୍କ ପାଖକୁ ପହଞ୍ଚିବ, ସେଥିପାଇଁ ଆମେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ସମୁଦାୟ ଭିତ୍ତିକ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମରେ ନିରନ୍ତର ବିନିଯୋଗ କରୁଛୁ ।”
ଝାରସୁଗୁଡ଼ାରେ କମ୍ପାନିର ମୋବାଇଲ୍ ହେଲ୍ଥ ୟୁନିଟ୍ ୧୮ ହଜାରରୁ ଅଧିକ ଲୋକଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇଥିବା ବେଳେ ଯକ୍ଷ୍ମା, ମ୍ୟାଲେରିଆ, ମଧୁମେହ, କର୍କଟ ଓ ହୃଦରୋଗ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ୨.୮ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି । ଝାରସୁଗୁଡ଼ା ଜିଲ୍ଲା ସାଟେଲାଇଟ୍ ହସ୍ପିଟାଲ ମଧ୍ୟ ୧.୧୭ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇଛି ।
ସେହିପରି, କଳାହାଣ୍ଡିର ଲାଞ୍ଜିଗଡ଼ ଅଞ୍ଚଳରେ ‘ପ୍ରକଳ୍ପ ଆରୋଗ୍ୟ ଲାଞ୍ଜିଗଡ’ ମାଧ୍ୟମରେ ୧.୩୦ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ଏହି ପ୍ରକଳ୍ପ ଅଧୀନରେ ହସ୍ପିଟାଲ, ମୋବାଇଲ୍ ହେଲ୍ଥ ୟୁନିଟ୍, ମେଗା ସ୍ୱାସ୍ଥ୍ୟ ଶିବିର ଓ ମାତୃ-ଶିଶୁ ସ୍ୱାସ୍ଥ୍ୟସେବା ପଦକ୍ଷେପ ଜାରି ରହିଛି । ଗତ ବର୍ଷ କମ୍ପାନିର ଖଣି ଅଞ୍ଚଳରେ ୩,୫୦୦ରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହା ଦ୍ୱାରା ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ୧୮ଟି ଗାଁର ୩୬ ହଜାରରୁ ଅଧିକ ଲୋକ ନିୟମିତ ଡାକ୍ତରୀ ପରାମର୍ଶ, ମାଗଣା ଔଷଧ ଏବଂ ପ୍ରତିରୋଧକ ସ୍ୱାସ୍ଥ୍ୟସେବାର ଲାଭ ପାଇଛନ୍ତି ।
ଛତିଶଗଡ଼ର କୋର୍ବା ସ୍ଥିତ ବାଲ୍କୋ ହସ୍ପିଟାଲ ପ୍ରତିବର୍ଷ ୨.୨ ଲକ୍ଷରୁ ଅଧିକ ରୋଗୀଙ୍କୁ ମଲ୍ଟି-ସ୍ପେଶାଲିଟି ଚିକିତ୍ସା ସେବା ପ୍ରଦାନ କରୁଛି । ଏହା ସହ ରାୟପୁରର ବାଲ୍କୋ ମେଡିକାଲ ସେଣ୍ଟର ଦେଶବ୍ୟାପୀ ରୋଗୀଙ୍କ ପାଇଁ ସୁଲଭ କର୍କଟ ଚିକିତ୍ସା ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରୁଛି । ସ୍ୱାସ୍ଥ୍ୟସେବା ବୃତ୍ତିଗତ, ସରକାରୀ ପ୍ରତିଷ୍ଠାନ ଏବଂ ସ୍ଥାନୀୟ ସମୁଦାୟଙ୍କ ସହଯୋଗରେ ବେଦାନ୍ତ ଆଲୁମିନିୟମ ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ପରିସର ବଢ଼ାଇବା ଏବଂ ସୁସ୍ଥ ସମାଜ ଗଠନ ପାଇଁ ଏହାର ପ୍ରୟାସ ଜାରି ରଖିଛି ।

