ରଥଯାତ୍ରା ପାଇଁ ଶେଷ ସମନ୍ୱୟ ବୈଠକ ଶେଷ , ତ୍ରୁଟିଶୂନ୍ୟ ଆୟୋଜନକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ରଥଯାତ୍ରାର ପ୍ରତ୍ୟେକ ମୁହୂର୍ତ୍ତକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ତ୍ରୁଟିଶୂନ୍ୟ କରିବାକୁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି । ପୁରୀରେ ଆୟୋଜିତ ଶେଷ ସମନ୍ୱୟ ବୈଠକରେ ସମସ୍ତ ବିଭାଗର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ରଥଯାତ୍ରାର ପ୍ରତ୍ୟେକ ମୁହୂର୍ତ୍ତକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଓ ତ୍ରୁଟିଶୂନ୍ୟ କରିବାକୁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି । ପୁରୀରେ ଆୟୋଜିତ ଶେଷ ସମନ୍ୱୟ ବୈଠକରେ ସମସ୍ତ ବିଭାଗର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରଥଯାତ୍ରା କେବଳ ଏକ ପର୍ବ ନୁହେଁ, ଏହା କୋଟି କୋଟି ଭକ୍ତଙ୍କ ଆସ୍ଥାର ପ୍ରତୀକ । ତେଣୁ ପ୍ରତ୍ୟେକ ବିଭାଗ ନିଜ ଦାୟିତ୍ୱକୁ ସମର୍ପଣ ଭାବରେ ପାଳନ କରିବା ସହ ପରସ୍ପର ମଧ୍ୟରେ ସୁଦୃଢ଼ ସମନ୍ୱୟ ରଖି କାର୍ଯ୍ୟ କରିବା ଅତ୍ୟନ୍ତ ଆବଶ୍ୟକ । ପୁଲିସ, ସ୍ୱାସ୍ଥ୍ୟ, ପରିବହନ, ପୌର ପ୍ରଶାସନ, ବିଦ୍ୟୁତ, ଅଗ୍ନିଶମ, ଜଳଯୋଗାଣ ଓ ଅନ୍ୟାନ୍ୟ ସମସ୍ତ ବିଭାଗ ପରସ୍ପର ସହ ମିଳିମିଶି କାମ କଲେ ହିଁ ରଥଯାତ୍ରା ସଫଳ ହେବ ବୋଲି ସେ କହିଛନ୍ତି ।

ଭକ୍ତଙ୍କ ସୁରକ୍ଷା, ଶ୍ରୀଜିଉଙ୍କ ନୀତିକାନ୍ତିର ସୁଚାରୁ ପରିଚାଳନା, ଟ୍ରାଫିକ୍ ବ୍ୟବସ୍ଥା, ପରିମଳ, ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା ଭଳି ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥରର ରଥଯାତ୍ରାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ଭକ୍ତମାନଙ୍କ ପାଇଁ ସୁଗମ କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ସେ ସ୍ପଷ୍ଟ କରିଛନ୍ତି । ବିଶ୍ୱର କୋଟି କୋଟି ଭକ୍ତଙ୍କ ନଜର ଏବେ ପୁରୀ ରଥଯାତ୍ରା ଉପରେ । ସେହିପରିସ୍ଥିତିରେ ଶୃଙ୍ଖଳା, ସୁରକ୍ଷା ଓ ସମନ୍ୱୟକୁ ସର୍ବାଧିକ ପ୍ରାଥମିକତା ଦେଇ ଏଥରର ରଥଯାତ୍ରାକୁ ସଫଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସରକାର ଓ ପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତି କରିଥିବା ସନ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *