ବିଶ୍ୱ କୁସ୍ତି ଚାମ୍ପିଅନସିପ୍ରେ ଇତିହାସ ରଚିଛନ୍ତି ଭାରତୀୟ ରେସଲର୍ ମନୀଷା ଭାନୱାଲା। ମହିଳା ୫୯ କେଜି ଫ୍ରିଷ୍ଟାଇଲ୍ ଫାଇନାଲ୍ରେ ୦-୬ରେ ପଛୁଆ ଥିବା ସତ୍ତ୍ୱେ ଆମେରିକାର ଅବିଗେଲ୍ ନେଟ୍ଙ୍କୁ ୮-୬ରେ ହରାଇ ସ୍ୱର୍ଣ୍ଣ ଜିତିଛନ୍ତି। ବିଶ୍ୱ ଚାମ୍ପିଅନସିପ୍ରେ ସ୍ୱର୍ଣ୍ଣ ଜିତିବାରେ ସେ ଭାରତର ପ୍ରଥମ ମହିଳା ରେସଲର୍ ହୋଇଛନ୍ତି।
ବିଶ୍ୱ କୁସ୍ତି ମଞ୍ଚରେ ଭାରତ ପାଇଁ ନୂଆ ଇତିହାସ ରଚିଲେ ମନୀଷା ଭାନୱାଲା । ମହିଳା ଫ୍ରିଷ୍ଟାଇଲ୍ର ୫୯ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଦେଶର ପ୍ରଥମ ମହିଳା ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି ମନୀଷା । କାଜାଖସ୍ତାନର ଅସ୍ତାନାରେ ଶୁକ୍ରବାର ଅନୁଷ୍ଠିତ ଫାଇନାଲ୍ରେ ଆମେରିକାର ଅବିଗେଲ୍ ନେଟ୍ଙ୍କୁ ୮-୬ରେ ପରାସ୍ତ କରିଛନ୍ତି । ବିଶେଷ କଥା ହେଉଛି, ମ୍ୟାଚ୍ରେ ୦-୬ରେ ପଛୁଆ ଥିବା ସତ୍ତ୍ୱେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ବିଜୟୀ ହୋଇଛନ୍ତି ୨୯ ବର୍ଷୀୟ ମନୀଷା ।
ଏହି ସ୍ୱର୍ଣ୍ଣ ସହ ମନୀଷା ବିଶ୍ୱ କୁସ୍ତି ଚାମ୍ପିଅନସିପ୍ରେ ସ୍ୱର୍ଣ୍ଣ ଜିତିବାରେ ଭାରତର ପ୍ରଥମ ମହିଳା ରେସଲର୍ ହୋଇଛନ୍ତି । ଏଥିସହ ସିନିୟର ବିଶ୍ୱ ଚାମ୍ପିଅନସିପ୍ରେ ଟାଇଟଲ୍ ଜିତିବାରେ ସେ ଦ୍ୱିତୀୟ ଭାରତୀୟ ରେସଲର୍ । ଏହା ପୂର୍ବରୁ ୨୦୧୦ରେ ପୁରୁଷ ୬୬ କେଜି ଫ୍ରିଷ୍ଟାଇଲ୍ ବର୍ଗରେ ସୁଶୀଲ କୁମାର ବିଶ୍ୱ ଚାମ୍ପିଅନ୍ ହୋଇଥିଲେ ।
ପୂର୍ବରୁ ତିନିଥର ସିନିୟର ବିଶ୍ୱ ଚାମ୍ପିଅନସିପ୍ରେ ଭାଗ ନେଇଥିଲେ ମଧ୍ୟ ପଦକ ଜିତିପାରିନଥିଲେ ମନୀଷା । ୨୦୨୪ରେ ଆଲବାନିଆର ତିରାନାରେ ୬୫ କେଜି ବର୍ଗରେ ବ୍ରୋଞ୍ଜ ପଦକ ମ୍ୟାଚ୍ ଖେଳିଥିଲେ । କିନ୍ତୁ ଜାପାନର ମିୱା ମୋରିକାୱାଙ୍କଠାରୁ ୨-୮ରେ ହାରିଥିଲେ ।
ଚଳିତ ବିଶ୍ୱ ଚାମ୍ପିଅନସିପ୍ରେ ମନୀଷା ୫୯ କେଜି ଅଣ-ଅଲିମ୍ପିକ୍ ବର୍ଗରେ ମଇଦାନକୁ ଓହ୍ଲାଇଥିଲେ । ପ୍ରଥମ ମ୍ୟାଚ୍ରେ କାନାଡାର ଲରେନ୍ସ ବିଉରଗାର୍ଡଙ୍କୁ ମାତ୍ ଦେଇଥିବା ବେଳେ କ୍ୱାର୍ଟର ଫାଇନାଲ୍ରେ ମଙ୍ଗୋଲିଆର ବୋଲୋରତୁୟା ଖୁରେଲଖୁଙ୍କୁ ୬-୦ରେ ହରାଇଥିଲେ । ସେମିଫାଇନାଲ୍ରେ ଘରୋଇ ଦର୍ଶକଙ୍କ ସମର୍ଥନ ପାଉଥିବା କାଜାଖସ୍ତାନର ଆଲଟିନ୍ ଶାଗାୟେଭାଙ୍କୁ ୧୦-୦ରେ ପଛରେ ପକାଇ ଚିତ୍ କରି ଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇଥିଲେ ।
ଅନ୍ୟପଟେ, ଏହି ଚାମ୍ପିଅନସିପ୍ରେ ଭାରତର ପଦକ ସଂଖ୍ୟା ୪ରେ ପହଞ୍ଚିଛି । ମନୀଷାଙ୍କ ସ୍ୱର୍ଣ୍ଣ ବ୍ୟତୀତ ନୀଲମ ସିରୋହି ୫୦ କେଜି ଏବଂ କାଜଲ ଧୋଚକ ୭୬ କେଜି ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ସେହିପରି ତନୁ ଶର୍ମା ୭୨ କେଜି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଚାରିଟି ଯାକ ପଦକ ମହିଳା ଫ୍ରିଷ୍ଟାଇଲ୍ ବର୍ଗରୁ ଆସିଛି ।
ଅନ୍ୟପଟେ ପୁରୁଷ ଫ୍ରିଷ୍ଟାଇଲ୍ରେ ଭାରତୀୟ ରେସଲର୍ଙ୍କ ପ୍ରଦର୍ଶନ ନିରାଶାଜନକ ରହିଛି । ୬୧ କେଜି ବର୍ଗରେ ନିଖିଲ୍ ୦-୮ରେ ପଛୁଆ ଥିବା ସତ୍ତ୍ୱେ ୯-୮ରେ ଆଗୁଆ ହୋଇଥିଲେ । କିନ୍ତୁ ଶେଷରେ ଇରାନର ଅହମଦ ମସଉଦ ମହମ୍ମଦନେଜାଦଜାଭାନଙ୍କଠାରୁ ୯-୧୦ରେ ହାରିଥିଲେ । ୮୬ କେଜିରେ ପୁଷ୍ପେନ୍ଦର ଦଲାଲ୍ ଦୁଇଟି ମ୍ୟାଚ୍ ଜିତିବା ପରେ ଆଜରବୈଜାନର ଆର୍ସେନି ଡିଜିଓଏଭ୍ଙ୍କଠାରୁ ୨-୭ରେ ହାରିଥିଲେ ।
ସେହିପରି ୧୨୫ କେଜିରେ ଯଶପୂରନ ସିଂହ ପ୍ରଥମ ମ୍ୟାଚ୍ ଜିତିଥିଲେ ମଧ୍ୟ ପରବର୍ତ୍ତୀ ମୁକାବିଲାରେ ଇରାନର ଅମିର ହୋସେନ୍ ଜାରେଙ୍କଠାରୁ ଟେକ୍ନିକାଲ୍ ସୁପିରିଅରିଟିରେ ହାରିଥିଲେ । ୭୦ କେଜିରେ ବିଶାଲ କଲିରମନ୍ ତୁର୍କୀର ଫେରହାତ କିଲିକ୍ଙ୍କଠାରୁ ୨-୭ରେ ପରାଜିତ ହୋଇଥିଲେ । ୯୭ କେଜି ରିପେଚେଜ୍ ମ୍ୟାଚ୍ରେ ଭିକି ହୁଡା ଇରାନର ହସନ୍ ୟାଜଦାନୀଙ୍କଠାରୁ ୦-୧୦ରେ ହାରି ପଦକ ଦୌଡ଼ରୁ ବାଦ୍ ପଡ଼ିଥିଲେ ।

