ସରକାରୀ କାର୍ଯ୍ୟରେ ବଢ଼ିବ କୃତ୍ରିମ ବୁଦ୍ଧିମତା ବା ଏଆଇର ବ୍ୟବହାର । ଗ୍ରାମ୍ୟ ଉନ୍ନୟନ ବିଭାଗରେ ଏଆଇ ଆଧାରିତ ସେବା ଆରମ୍ଭ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ChatGPT Plus, Google AI Pro ଭଳି ଏଆଇ ସେବା କିଣିବା ସହ ଅଧିକ କ୍ଲାଉଡ୍ ଷ୍ଟୋରେଜ୍ ଓ ଉନ୍ନତ ଭିଡିଓ କନଫରେନ୍ସିଂ ସୁବିଧା ପାଇଁ ଆର୍ଥିକ ମଞ୍ଜୁରି ଲୋଡ଼ିଛି ବିଭାଗ ।

ଡିଜିଟାଲ ଶାସନ ବ୍ୟବସ୍ଥାକୁ ଆହୁରି ଆଧୁନିକ ଓ ଦ୍ରୁତ କରିବା ଦିଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏକ ନୂଆ ପଦକ୍ଷେପ ନେଇଛି । ବିଭାଗର ବିଭିନ୍ନ ପ୍ରଶାସନିକ ଏବଂ ବୈଷୟିକ କାର୍ଯ୍ୟରେ କୃତ୍ରିମ ବୁଦ୍ଧିମତାର ସହାୟତା ନେବାକୁ ପ୍ରସ୍ତାବ ରଖାଯାଇଛି ।
ଏଥିପାଇଁ ChatGPT Plus ଏବଂ Google AI Pro ପରି ଏଆଇ ପ୍ଲାଟଫର୍ମର ସବ୍ସକ୍ରିପ୍ସନ କିଣିବାକୁ ବିଭାଗ ପକ୍ଷରୁ ଆର୍ଥିକ ମଞ୍ଜୁରି ଚାହିଁଛି। ଏହା ସହ ଅଧିକ କ୍ଲାଉଡ୍ ଷ୍ଟୋରେଜ୍, ଉଚ୍ଚମାନର ଭିଡିଓ କନଫରେନ୍ସିଂ ସୁବିଧା ଏବଂ ଏଆଇ ଆଧାରିତ ଡିଜିଟାଲ ସେବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ସୂଚନା ଅନୁସାରେ, ଇଞ୍ଜିନିୟର-ଇନ୍-ଚିଫ୍ କାର୍ଯ୍ୟାଳୟରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ନିକଟକୁ ଏନେଇ ଏକ ଚିଠି ପଠାଯାଇଛି । ସେହି ଚିଠିରେ ଏଆଇ ଟୁଲ୍ ବ୍ୟବହାର କଲେ ଫାଇଲ୍ ପ୍ରସ୍ତୁତି, ପ୍ରକଳ୍ପ ରିପୋର୍ଟ, ଡାଟା ବିଶ୍ଳେଷଣ, ପ୍ରେଜେଣ୍ଟେସନ୍ ପ୍ରସ୍ତୁତି ଏବଂ ଅଫିସ୍ କାର୍ଯ୍ୟକୁ ଅଧିକ ଦ୍ରୁତ ଓ କାର୍ଯ୍ୟକ୍ଷମ କରାଯାଇପାରିବ ବୋଲି ଉଲ୍ଲେଖ ରହିଛି ।
ଯଦି ଏହି ପ୍ରସ୍ତାବକୁ ସରକାର ମଞ୍ଜୁରି ଦିଅନ୍ତି, ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାଜ୍ୟର ପ୍ରଥମ କିଛି ସରକାରୀ ବିଭାଗ ମଧ୍ୟରୁ ଗୋଟିଏ ହୋଇପାରେ, ଯେଉଁଠାରେ ନିୟମିତ ଭାବେ ଏଆଇ ଟୁଲ୍ ବ୍ୟବହାର କରାଯିବ । ଏହା ଦ୍ୱାରା ସମୟ ସଞ୍ଚୟ, ଉତ୍ପାଦନଶୀଳତା ବୃଦ୍ଧି ଏବଂ ଇ-ଗଭର୍ନାନ୍ସକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ଏବେ ସମସ୍ତଙ୍କ ନଜର ରହିଛି ସରକାରଙ୍କ ନିଷ୍ପତ୍ତି ଉପରେ । ପ୍ରସ୍ତାବକୁ ଅନୁମୋଦନ ମିଳିଲେ, ରାଜ୍ୟର ସରକାରୀ କାର୍ଯ୍ୟରେ ଏଆଇ ବ୍ୟବହାରର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇପାରେ ।